• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗତକାଲି ପୌର ନିର୍ବାଚନ ଶେଷ ହୋଇଛି । ରାଜନୀତି ବିଶେଷଜ୍ଞଙ୍କ କହିବାନୁଯାୟୀ ଏଥର କଂଗ୍ରେସ ରେସ୍‌ରେ ମଧ୍ୟ ନାହିଁ । ବିଭିନ୍ନ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଦେଇପାରିନଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ଖୋଜିବା ପାଇଁ ଢ଼େର ପରିଶ୍ରମ କରିବାକୁ ପଡ଼ିଛି । ତେବେ ମୋଟା ମୋଟି କହିବାକୁ ଗଲେ ଏଥର ପୌର ନିର୍ବାଚନ ବିଜେଡି-ବିଜେପି ମଧ୍ୟ ଲଢ଼େଇ ହୋଇଛି । ଫଳାଫଳ ଭଲ କରିବେ ବୋଲି ଉଭୟ ଦଳ ଆଶା ରଖିଛନ୍ତି ।

ହେଲେ ଗୋଟିଏ ପଟେ ବିଜେଡି ପକ୍ଷରୁ କ୍ଲିନ୍‌ ସ୍ୱିପ୍‌ ନେଇ କୁହାଯାଉଥିବା ବେଳେ ବିଜେପି କହିଛି ୩୦ ରୁ ୩୫ ପୌର ପରିଷଦ ହାତେଇବ । ଆସନ୍ତାକାଲି ଫଳାଫଳ ଆସିବାକୁ ଥିବା ବେଳେ, ତା’ପୂର୍ବରୁ ଏଭଳି ଦୃଢୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । ସେ କହିଛନ୍ତି, ପୌରଞ୍ଚଳର ଭୋଟର ସଚେତନ, ଏଣୁ ସିଟ୍‌ ସଂଖ୍ୟା ବଢିବା ନେଇ ସେ ଆଶାବାଦୀ ।

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ୧୭ଟି ଆସନରେ ଦଳ ବାଜିମାତ୍‌ କରିବ । କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବାକୁ ଥିବାବେଳେ, ବିଜେପି ତୃତୀୟ ସ୍ଥାନରେ ରହିବ ବୋଲି ସେ କହିଛନ୍ତି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ବହୁ ସ୍ଥାନର କଂଗ୍ରେସ ଭଲ ଫାଇଟ କରିଛି, ଗଣତି ପରେ ହିଁ ଫଳାଫଳ ସାମନାକୁ ଆସିବ । ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, ପଞ୍ଚାୟତ ଫଳାଫଳ ପରି ହେବ ପୌର ଫଳାଫଳ । ୯୫ ପ୍ରତିଶତ ଆସନ ବିଜେଡି ଖାତାକୁ ଯିବ । ମଇଦାନରେ ବିରୋଧୀଙ୍କ ଅସ୍ତିତ୍ୱ ନଥିଲା ବୋଲି ମଧ୍ୟ କହିଛନ୍ତି ରାଜକିଶୋର ।

ତେବେ ସରିଛି ପୌର ଭୋଟ, ଆସନ୍ତାକାଲି ଗଣତି । ଷ୍ଟ୍ରଙ୍ଗ ରୁମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ସେପଟେ ନିର୍ବାଚନ ହୋଇଥିବା ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମରେ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ସକାଳ ୮ଟାରେ ଗଣତି ଆରମ୍ଭ ହେବାକୁ ଥିବାବେଳେ, ସ୍ୱତନ୍ତ୍ର ଟେବୁଲର ବ୍ୟବସ୍ଥା କରାଯାଇଛି ।

ସେହିପରି ବାଲେଶ୍ୱର ପୌରପାଳିକାର ସରକାରୀ ଆଇଟିଆଇରେ ଗଣତି ପାଇଁ ବ୍ୟବସ୍ଥା କରାଯିବ । ଅଧ୍ୟକ୍ଷ ପାଇଁ ୭ ଏବଂ କାଉନସିଲର ପାଇଁ ୭ଟି ଲେଖାଏଁ ଟେବୁଲ କରାଯାଇଛି । ସୋନପୁର ଜିଲ୍ଲା ବିନିକାରେ ମଧ୍ୟ ବିଜେପି କର୍ମୀ ଷ୍ଟ୍ରଙ୍ଗରୁମ ଜଗିଛନ୍ତି । ଯଦିଓ ସିସିଟିଭି ଓ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌ ରହିଛି, ତଥାପି ପ୍ରଶାସନ ଉପରେ ଭରସା କରିପାରିନାହାନ୍ତି ବିଜେପି କର୍ମୀ । ବିନିକା ଏନଏସି ଆଗରେ ରାତିତମାମ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।

ଅନ୍ୟପକ୍ଷେ, ଗତକାଲି ପୌର ନିର୍ବାଚନ ମତଦାନ ହୋଇଥିଲା । ଯେଉଁଥିପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା । ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିଛନ୍ତି ।