/odishatv-khabar/media/post_attachments/uploadimage/library/16_9/16_9_0/VK_Pandian_1689411406.jpg)
VK Pandian
5T ସଚିବଙ୍କୁ ପୁଣି ବିରୋଧ । ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର ପରେ ଏବେ ସମ୍ବଲପୁରରେ ବିରୋଧ କରିଛି ବିଜେପି । 5T ସଚିବ ଭିକେ ପାଣ୍ଡିଆନଙ୍କ ସମ୍ବଲପୁର ଜିଲ୍ଲା ଗସ୍ତକୁ ବିରୋଧ କରିଛନ୍ତି । କଳା ଟିସାର୍ଟ, କଳା କପଡ଼ା ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଛାତ୍ରଛାତ୍ରୀ ଓ ମହିଳା । ଲକ୍ଷ୍ମୀ ଟକିଜ୍ ଛକରେ ‘ଗୋ ବ୍ୟାକ୍ ପାଣ୍ଡିଆନ୍’ ନାରା ଦେଇଛନ୍ତି । ସାରା ରାଜ୍ୟରେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିରୋଧ ଦେଖାଦେଇଛି । ପାଣ୍ଡିଆନ ଯେଉଁ ଯେଉଁ ଅଞ୍ଚଳ ଯାଉଛନ୍ତି ସେଠି ସେଠି ବିକ୍ଷୋଭ ପ୍ରଦର୍ଶନ ହେଉଛି ।
ପୂର୍ବରୁ ଅନଗୁଳ, ଢେଙ୍କାନାଳ ଗସ୍ତକୁ ବି ଜୋରଦାର ବିରୋଧ କରିଥିଲା ବିଜେପି। ସେପଟେ ଦଳୀୟ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ଆବିର୍ଭାବକୁ ନେଇ ବି ତେଜିଥିଲା ଟୁଇଟର ୱାର। ସାଂସଦ ଅପରାଜିତା ଏହି ପ୍ରସଙ୍ଗରେ ପୁଣି ହମଲା କରିଥିଲା ବେଳେ, ଜବାବ ରଖିଥିଲା ବିଜେଡି। ଦେଖିବାକୁ ଗଲେ ଫାଇଭଟି ସଚିବଙ୍କ ଗସ୍ତକୁ ନେଇ ଏବେ ଟେନସନରେ ବିଜେଡି । ରାଜ୍ୟ ସାରା ବିରୋଧ, ହେଲେ ବନ୍ଦ ହେଉନି ପାଣ୍ଡିଆନଙ୍କ ଗସ୍ତ । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ନା ଅଜାଣତରେ ପଲିଟିକାଲ୍ ଷ୍ଟାଇଲରେ ରାଜ୍ୟ ବଲୁଛନ୍ତି ଫାଇଭ୍ ଟି ସଚିବ ? ଯେତିକି ଯେତିକି ଜିଲ୍ଲା ବୁଲୁଛନ୍ତି ସେତିକି ସେତିକି ବଢୁଛି ବିରୋଧ ।
ଯୁଦ୍ଧଂ ଦେହି ମୁଦ୍ରାରେ ବିଜେପି । ଅନୁଗୁଳରେ ତୀବ୍ର ବିରୋଧ ପରେ ଢେଙ୍କାନାଳରେ ବି କଳା ପୋଷାକ ପିନ୍ଧି ଜୋରଦାର ପ୍ରତିବାଦ କରିଥିଲା ଦଳ। ପୂର୍ବତନ ସାଂସଦ ରୁଦ୍ରପାଣିଙ୍କ ନେତୃତ୍ୱରେ ଗଣେଶ ବଜାର ଟାଉନ ହଲ୍ ସାମ୍ନାରେ ଦଳୀୟ ନେତା ଓ କର୍ମୀ ଗୋ ବ୍ୟାକ୍ ନାରା ସାଙ୍ଗକୁ ତାମିଲ ଭଗାଅ, ଓଡ଼ିଶା ବଞ୍ଚାଅ ଭଳି ପ୍ଲାକାର୍ଡ ପ୍ରଦର୍ଶନ କରି ରାଜ୍ୟ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଠିଆ କରିଥିଲେ ।
ସେପଟେ ଯୁବ ବିଜେଡି କାର୍ଯ୍ୟକାରିଣୀରେ ଭର୍ଚୁଆଲ ମୋଡରେ ପାଣ୍ଡିଆନଙ୍କ ଭାଇରାଲ ଫଟୋ ଆସିବାକୁ ନେଇ ତେଜିଛି ବିବାଦ। ଟୁଇଟରରେ ଲଢ଼େଇ । ଦଳୀୟ ଯୁବକର୍ମୀଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ବୋଧିତ କରିବା ପୂର୍ବରୁ ଭର୍ଚୁଆଲ ସ୍କ୍ରିନରେ ପାଣ୍ଡିଆନ୍ ଦୃଶ୍ୟମାନ ହୋଇଥିବା କୁହାଯାଉଛି । ଦଳର ଛାମୁଆ ସଂଗଠନର କର୍ମୀମାନେ ବି ସୋସିଆଲ୍ ମିଡିଆରେ ଏପରି ଫଟୋ ଛାଡ଼ିଛନ୍ତି। ଯାହାକୁ ନେଇ ସାଂସଦ ଅପରାଜିତା ଟୁଇଟ୍ କରି ପୁଣି ଶାସନ ବ୍ୟବସ୍ଥା ଉପରେ ବର୍ଷିଛନ୍ତି । ଲେଖିଛନ୍ତି ଓଡ଼ିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇ ସାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)