• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବିଜେଡିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଧାନସଭାରୁ ସଂସଦ ଯିବାକୁ ସୁଯୋଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ସେହିପରି ରାଜ୍ୟସଭାରେ ଯୁବ ପିଢ଼ିଙ୍କ ନେତୃତ୍ୱ ଓ ସ୍ୱର ପହଞ୍ଚାଇବେ ବୋଲି କହିଛନ୍ତି ଶୁଭାଶିଷ ।

ଅପରପକ୍ଷେ, ତୃତୀୟ ପ୍ରାର୍ଥୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଆସନ୍ତା ୨୭ ତାରିଖରେ ଓଡ଼ିଶାର ୩ ଆସନ ସହ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ସିଟ୍ ପାଇଁ ହେବ ନିର୍ବାଚନ । ଦେବାଶିଷ ସାମନ୍ତରାୟ ତିନି ଥର ବିଧାୟକ ହୋଇଛନ୍ତି । ପ୍ରଥମେ ତିର୍ତ୍ତୋଲ ଏବଂ ପରେ ବାରବାଟୀ-କଟକରୁ ଦୁଇଥର ବିଧାୟକ ହୋଇଛନ୍ତି ଦେବାଶିଷ ।

ସେହିପରି ପୁରୀର ଯୁବ BJD ନେତା ଶୁଭାଶିଷ ଖୁଣ୍ଟିଆ ରାଜ୍ୟ ଯୁବ BJD ଉପସଭାପତି ଅଛନ୍ତି । ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଛି । ଏହି ୩ ଆସନ ପାଇଁ ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ହେବ ।

ରାଜ୍ୟସଭା ନିର୍ବାଚନ ପାଇଁ ଗତ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୫ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ୨୦ ଫେବ୍ରୁଆରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ୨୭ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ୍‌ ପଡ଼ିବ । ୫ଟାରୁ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।