• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜ ଅଞ୍ଚଳରେ ମନ୍ତ୍ରୀଙ୍କୁ ବିରୋଧ । ସେ ପୁଣି ଏମିତି ସେମିତି ମନ୍ତ୍ରୀ ନୁହଁନ୍ତି । ଦଳର ହେଭିୱେଟ୍‌ ନେତା ତଥା ମନ୍ତ୍ରୀଙ୍କୁ ନିଜ ଅଞ୍ଚଳରେ ପୁଣି ନିଜ ଦଳର କର୍ମୀମାନେ ଜୋରଦାର ବିରୋଧ କରିଛନ୍ତି ।

୨୦୨୨ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କାରଣ ଏବେ ଦଳରେ କୁହୁଳୁଛି ଗୋଷ୍ଠୀ କନ୍ଦଳ ନିଆଁ । କ୍ୟାନ୍‌ସର୍‌ ଭଳି ମାଡ଼ିଗଲାଣି ଦଳୀୟ କନ୍ଦଳ ରୋଗ । କେହି କାହାକୁ ଛାଡ଼ିବାକୁ ନାରାଜ । ଦୀର୍ଘ ୨୧ ବର୍ଷର ଶାସନ ପରେ ବିଜେଡିରେ ଅହେତୁକ ଭାବେ ବଢ଼ିଚାଲିଛି ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା । ଯାହାକୁ ମ୍ୟାନେଜ୍ କରିବାରେ ବିଫଳ ହୋଇଛି ଦଳ ।

ପୂର୍ବରୁ ଦଳ ଭିତରେ ଯେତେ କନ୍ଦଳ ଥିଲେ ବି ସବୁଗୁଡ଼ିକୁ ମ୍ୟାନେଜ କରିବାର କ୍ଷମତା ରଖୁଥିବା ବିଜେଡି ଏଥର କିନ୍ତୁ ଫେଲ୍‌ ମାରୁଥିବା ଦେଖାଯାଇଛି । ଅନୁଭବ ହେଉଛି ହାଇକମାଣ୍ଡଙ୍କ ହାତରୁ ଖସୁଛି ଲଗାମ । ଯେଉଁଥିପାଇଁ ଏବେ ଆଶାୟୀ ପ୍ରାର୍ଥୀ ବି ବିଦ୍ରୋହର ମୁଣ୍ଡ ଟେକିଲେଣି । ଏମିତିକି ଅସନ୍ତୁଷ୍ଟ ବିଜେଡି କର୍ମୀ ବି ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ନେତୃତ୍ୱକୁ ବିରୋଧ କରୁଥିବା ଦେଖାଯାଇଛି । ଯେଉଁ ଆଶାୟୀ ପ୍ରାର୍ଥୀମାନେ ବିଜେଡି ସମର୍ଥନ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନେ ଖୋଲାଖୋଲି ଭାବେ ବିରୋଧୀ ପ୍ରାର୍ଥୀଙ୍କ ପ୍ରଚାରରେ ମାତିଛନ୍ତି । ଆଉ ବିଜେଡି ଭୋଟ ବ୍ୟାଙ୍କ ଭାଙ୍ଗିବାରେ ବଡ଼ ଭୂମିକା ନେଉଛନ୍ତି । ଠିକ୍‌ ଏମିତି ଏକ ଘଟଣଶ ଏବେ ସାମ୍ନାକୁ ଆସିଛି ଆଠଗଡ଼ରୁ । 

ନିଜ ନିର୍ବାଚନ ମଣ୍ଡଳୀ ଆଠଗଡ଼ରେ ବିରୋଧର ଶିକାର ହୋଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ, ଖୁଣ୍ଟୁଣୀ ପଞ୍ଚାୟତରେ ମନ୍ତ୍ରୀ ରଣେନ୍ଦ୍ରଙ୍କୁ ବିରୋଧ କରାଯାଇଛି । ଆଠଗଡ଼ ବିଧାନସଭା ମଣ୍ଡଳୀରୁ ଏକାଧିକ ଥର ବିଧାୟକ ହୋଇଥିଲେ ମଧ୍ୟ ତାଙ୍କୁ ଏବେ ସେଠାରେ ବିରୋଧର ସାମ୍ନା କରିବାକୁ ପଡ଼ୁଛି । ଆଉ ଏହି ବିରୋଧ ପୁଣି ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ।

ସବୁଠାରୁ ଚର୍ଚ୍ଚାର ବିଷୟ ହେଲା ବିଜେଡିର ହେଭିୱେଟ୍‌ ଭାବେ ଜଣାଶୁଣା ନେତା ତଥା ରାଜ୍ୟର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁଙ୍କୁ ଖୋଦ୍‌ ବିଜେଡି କର୍ମୀ ବିରୋଧ କରିଛନ୍ତି । ଏମାନେ ହେଉଛନ୍ତି ସେହି ବିଜେଡି କର୍ମୀ ଯେଉଁମାନେ ପଞ୍ଚାୟତ ନିର୍ବାଚନରେ ଦଳର ସମର୍ଥନରେ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ । ହେଲେ ଦଳ ତାଙ୍କୁ ଧୋକା ଦେଇଦେଲା । ଦୀର୍ଘ ଦିନ ଧରି ଦଳରେ କାମ କରିବା ପରେ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବାକୁ ପୂର୍ବରୁ ଦଳୀୟ ନେତାମାନେ ସିଗ୍ନାଲ ଦେଇଥିଲେ । ହେଲେ ଶେଷ ମୂହୁର୍ତ୍ତରେ ଟିକଟ ଦେଇନଥିଲେ । ତେଣୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଭରି ରହିଛି । ଯାହାକି ଆଗାମୀ ଦିନରେ ବିଜେଡି ପାଇଁ ଘାଟା ହୋଇପାରେ ବୋଲି କୁହାଯାଉଛି ।

ତେବେ ରଣେନ୍ଦ୍ର ପ୍ରତାପଙ୍କୁ ବିରୋଧ ବେଳେ, ତାଙ୍କ ସହ ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ପ୍ରାର୍ଥୀ, ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମଧ୍ୟ ରହିଥିଲେ । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଏବେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ହେଲେ ଏହି ଘଟଣାନେଇ ମନ୍ତ୍ରୀ ରାଜା ସ୍ୱାଇଁଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।