Advertisment

ଦିଗପହଣ୍ଡିରେ ବିଜେଡି ଦୁଇ ଫାଳ ! ବିପ୍ଲବ-ବିପିନ ଗୋଷ୍ଠୀ ମୁହାଁମୁହିଁ

ବ୍ଲକ ଅଫିସ ସାମ୍ନାରେ ହଙ୍ଗାମା କଲେ ବିପିନଙ୍କ ସମର୍ଥକ । ଦଳୀୟ କନ୍ଦଳର ଗୋହି ଖୋଳିଲେ ପୂର୍ବତନ ଅଧ୍ୟକ୍ଷଙ୍କ ଗୋଷ୍ଠୀ ।

author-image
Satyendu Shekher Mishra
undefined

Odisha Politics, BJD

ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଗଞ୍ଜାମ ଦିଗପହଣ୍ଡିରେ ହଙ୍ଗାମା। ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା। ହୋ ହଲ୍ଲା ନାରାବାଜି ସହ ଟାୟାର ଜାଳି ଅସନ୍ତୋଷ ଜାହିର କଲେ ବିପିନଙ୍କ ଗୋଷ୍ଠୀ। ଖାଲି ଏତିିକି ନୁହେଁ ଭାଙ୍ଗିଲେ ବ୍ୟାରିକେଡ । ବ୍ଲକ ଅଫିସରେ ଧସେଇ ପଶିବାକୁ କଲେ ଉଦ୍ୟମ ।

Advertisment

ପୋଲିସ ଉପସ୍ଥିତିରେ ଘଟିଗଲା ସବୁକିଛି...ଆଜି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ନେଇ ପୂର୍ବରୁ ବିଜ୍ଞପ୍ତି ଜାରି ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାକୁ ସ୍ଥଗିତ ରଖାଯାଇଥିବା ଅଭିଯୋଗ ଆଣି ତାତି ଉଠିଥିଲେ ବିପିନ ପ୍ରଧାନଙ୍କ ସମର୍ଥକ। ଆଉ ଭିଆଇଥିଲେ ଲଙ୍କାକାଣ୍ଡ। ପୂର୍ବରୁ କାହିଁକି ସୂଚନା ଦିଆଗଲା ନାହିଁ ବୋଲି ପ୍ରଶ୍ନ ଉଠାଇବା ସହ ଉପରେ ପ୍ରେସର ଯୋଗୁ ଏଭଳି ଘଟଣା ଘଟିଲା ବୋଲି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ ଆଡ଼କୁ ଇଙ୍ଗିତ କରିଛନ୍ତି ବିପିନଙ୍କ ସମର୍ଥକ। ତାସହ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ କଥା ଉଠାଇ ଅସନ୍ତୋଷ ଜାହିର କରିଛନ୍ତି।

ସୁନୀତା ସେଠୀଙ୍କ ପରଲୋକ ପରଠୁ ଗତ ୨ ମାସ ହେଲା ଖାଲି ପଡ଼ିଛି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦ। ଆଉ ୨୫ଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ଅଧ୍ୟକ୍ଷ ପଦ ପୂରଣ ପାଇଁ ଆଜି ମତଦାନ ହେବାର ଥିଲା। କିନ୍ତୁ କିଛି ସମିତି ସଭ୍ୟ ନିଖୋଜ ରହିଛନ୍ତି ଏବଂ ଆଇନଶୃଙ୍ଖଳା ସ୍ଥିତି ଉପୁଜିବାର ଆଶଙ୍କା କରି ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା ଆଧାରରେ ନିର୍ବାଚନକୁ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନ ସ୍ଥଗିତ ଘୋଷଣା କରିଛନ୍ତି।

Advertisment

ଏହି ଉପ ନିର୍ବାଚନ ପାଇଁ ବିପ୍ଲବ ପାତ୍ର ଓ ବିପିନ ପ୍ରଧାନଙ୍କ ମଧ୍ୟରେ ଲାଗି ରହିଛି ଛକାପଞ୍ଝା। କାରଣ ଯେଉଁ ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷ ପଦ ହାତେଇବେ, ଆସନ୍ତା ସାଧାରଣ ନିର୍ବାଚନବେଳେ ତାଙ୍କର ଦବଦବା ରହିବ। ତା ସାଙ୍ଗକୁ ସୂର୍ଯ୍ୟ ପାତ୍ରଙ୍କ ଅସୁସ୍ଥତା ଯୋଗୁ ତାଙ୍କୁ ଟିକଟ ମିଳିବ ନା ନାହିଁ, ତାକୁ ନେଇ ନାନା ଚର୍ଚ୍ଚା ଭିତରେ ଉଭୟେ ଜଣେ ଜଣେ ଟିକଟ ଆଶାୟୀ। ତେଣୁ କଳବଳ କୌଶଳ ଖଟାଇ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଲାଗିପଡ଼ିଛନ୍ତି ବିପ୍ଲବ ପାତ୍ର ଓ ବିପିନ ପ୍ରଧାନ ଗୋଷ୍ଠୀ। ଆଉ ଏହାକୁ ନେଇ ଲାଗିରହିଥିବା ଶୀତଳ ଯୁଦ୍ଧ ଭିତରେ ଆଜି ନିର୍ବାଚନ ସ୍ଥଗିତ ହେବା ପରେ ବିପିନଙ୍କ ଗୋଷ୍ଠୀ ଉଗ୍ର ହୋଇଛନ୍ତି।

ତେବେ ଏନେଇ ବିପ୍ଲବ ପାତ୍ରଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ତାଙ୍କ ସମର୍ଥକ କହିଛନ୍ତି, ଆମର ୨ ସମିତି ସଭ୍ୟ ନିଖୋଜ ଅଛନ୍ତି। ଦିଗପହଣ୍ଡି ଥାନାରେ ମାମଲା ବି ହୋଇଛି। କୌଣସି ଗୋଷ୍ଠୀ କନ୍ଦଳ ନାହିଁ।

ତେବେ ଗତ ୨ ମାସ ଧରି ଖାଲିପଡ଼ିଥିବା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ କେବେ ହେବ ମତଦାନ, ସେନେଇ ସ୍ପଷ୍ଟତା ଆସିନଥିବାବେଳେ ବିଜେଡିର ଏହି ୨ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ବିବାଦ ଆଗକୁ କି ରୂପ ନେଉଛି, ତାକୁ ଅପେକ୍ଷା।

BJD BJP Congress Odisha Politics
Advertisment
Advertisment