/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690903693.jpg)
Odisha Politics
କେନ୍ଦ୍ର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ । ଦିଲ୍ଲୀ ସେବା ବିଲକୁ ସମର୍ଥନ । ପାର୍ଲାମେଣ୍ଟରେ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କଲା ବିଜେଡି । YSR କଂଗ୍ରେସ୍ ପରେ NDAକୁ ବିଜେଡିର ସମର୍ଥନ ନେଇ ଚର୍ଚ୍ଚା, ସମଦୂରତା ନୀତିକୁ କଣ ବଦଳାଉଛି କି ବିଜେଡି ? ମୋଦି ସରକାର ବିରୋଧରେ ମିଳିତ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ସଂସଦରେ ବିରୋଧ କରିବ ବିଜେଡି ।
ସିଧାସଳଖ NDA ସରକାରକୁ ସମର୍ଥନ କରିବା ନେଇ ଘୋଷଣା କରିଛି ଦଳ । ମଣିପୁର ହିଂସା ପ୍ରସଙ୍ଗରେ ମିଳିତ ବିରୋଧୀ ଦଳ ମୋଦି ସରକାରକୁ ଅଡୁଆରେ ପକାଇଥିବା ବେଳେ ବିଜେଡିର ଆଭିମୁଖ୍ୟ କଣ ହେବ ଚର୍ଚ୍ଚା ହେଉଥିଲା । ଏହା ଭିତରେ YSR କଂଗ୍ରେସ୍ ମୋଦି ସରକାରକୁ ଖୋଲାଖୋଲି ସମର୍ଥନ ଘୋଷଣା କରିଥିବାରୁ ଅକଳରେ ପଡ଼ିଥିଲା ବିଜେଡି। ତେବେ ଲୋକସଭାରେ NDA ପାଖରେ ଆବଶ୍ୟକ ସଂଖ୍ୟା ଥିବା ସତ୍ତ୍ୱେ ବିଜେଡି କାହିଁକି ସମର୍ଥନ ଘୋଷଣା କଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।
ବହୁ ଚର୍ଚ୍ଚିତ ଦିଲ୍ଲୀ ସେବା ବିଲ୍କୁ ମଧ୍ୟ ସମର୍ଥନ କରିବ ବିଜେଡି । ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ବିଲ୍ ଆଲୋଚନା ବେଳେ ବିଜେଡିର ସବୁ ସାଂସଦ ଗୃହରେ ଉପସ୍ଥିତ ରହିବା ନେଇ ତିନି ଧାଡ଼ିକିଆ ହୁଇପ୍ ଜାରି କରିଛି ଦଳ। ଯଦିଓ NDA ପାଇଁ ଲୋକସଭାରେ କୌଣସି ସମସ୍ୟା ନଥିଲା କିନ୍ତୁ ରାଜ୍ୟସଭାରେ ଦିଲ୍ଲୀ ବିଲକୁ ଅଟକାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ବିରୋଧୀ । କିନ୍ତୁ YSR କଂଗ୍ରେସ୍ ଓ ବିଜେଡିର ସମର୍ଥନ ଘୋଷଣା ପରେ ବିଲ୍ ପାସ୍ ହେବାରେ ଆଉ କୌଣସି ଅସୁବିଧା ହେବ ନାହିଁ ।
ତେବେ ଏହାକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ଅଭିଯୋଗ କରିଛି, ବିଜେଡି-ବିଜେପି ଏକ୍ ହୋଇ ରହିଛନ୍ତି ।
ଏହା ପୂର୍ବରୁ ମଧ୍ୟ ବିଜେଡି, ମୋଦି ସରକାର ଆଣିଥିବା ଅନେକ ବିଲ୍ କୁ ସମର୍ଥନ କରିଛି । କିନ୍ତୁ କେତେବେଳେ ଆଲୋଚନାରେ ଅନୁପସ୍ଥିତ ରହି ପରୋକ୍ଷରେ ସମର୍ଥନ କରୁଥିଲା ତ ପୁଣି କେତେବେଳେ ସିଧାସଳଖ ସପୋର୍ଟ କରୁଥିଲା। ବଡ଼ ପ୍ରଶ୍ନ, ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ହ୍ୱିପ୍ ଜାରି କରି ଖୋଲାଖୋଲି ସମର୍ଥନ କରିବା ପଛର କାରଣ କଣ? କୌଣସି ଚାପ ଅଛି ? ନା ଅନ୍ୟ କିଛି କାରଣ ରହିଛି ? ସମଦୂରତା କଥା କହୁଥିବା ବିଜେଡି, ଏନଡିଏ ଆଡେ ଢଳୁନି ତ? ଆଗକୁ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ ନାହିଁ ତ? ଏଭଳି ଅନେକ ଚର୍ଚ୍ଚା ଏବେ ଆରମ୍ଭ ହୋଇଛି ।
ରାଜ୍ୟରେ ବିଜେପିର ବିଜେଡି ସହ କଳି। ଦିଲ୍ଲୀରେ କିନ୍ତୁ ଉଭୟେ କୋଳାକୋଳି । ତେଣୁ ଏହି ସମର୍ଥନ ପଲିଟିକ୍ସ ଆଗକୁ କେଉଁ ମୋଡ଼ ନେଉଛି ଉପରେ ସମସ୍ତଙ୍କ ନଜର ।
ଅନ୍ୟପଟେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ ଓ ଦିଲ୍ଲୀ ବିଲକୁ ବିଜେଡି ସମର୍ଥନ ଘୋଷଣା କରିବା ପରେ ପୂର୍ବତନ ସାଂସଦ ତଥାଗତ ସତପଥୀ ଟ୍ବିଟ କରିଛନ୍ତି-ଓଡ଼ିଶାରେ କଂଗ୍ରେସର ଆଉ କିଛି ମୂଲ୍ୟ ନାହିଁ । ଆଗକୁ ବିଜେପି ଓ ବିଜେଡି ଖୋଲାଖୋଲି ଭାବେ ମିଳିମିଶି କାମ କରିବେ। କଳିଙ୍ଗର ସ୍ବର୍ଣ୍ଣିମ ଯୁଗ ଫେରି ଆସିବ। ଆଉ ଏକ ଆଞ୍ଚଳିକ ଦଳ ଜନ୍ମ ହେବା ପର୍ଯ୍ୟନ୍ତ ଏଭଳି ମଧୁର ସଂପର୍କ ରହିବ ବୋଲି ଟ୍ୱିଟରରେ ଲେଖିଛନ୍ତି ତଥାଗତ ସତପଥୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)