/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635612088.jpg)
ବିଜେଡିର ଦରବୃଦ୍ଧି ପ୍ରତିବାଦ
ଭୁବନେଶ୍ୱର: ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡିର ରଣହୁଙ୍କାର। ଦୀର୍ଘ ୩ ବର୍ଷ ପରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ଦଳ। ତୈଳ ଦରବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ରାଜଭବନ ଆଗରେ ପ୍ରତିବାଦ କରିବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବ। ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ନଭେମ୍ବର ୧ରେ ୧୪୭ଟି ଯାକ ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ ଓ ବିକ୍ଷୋଭ କରିବେ। ନଭେମ୍ବର ୫ରୁ ୭ ଯାଏ ବିଜୁ ଯୁବ ଓ ଛାତ୍ର ସଂଗଠନ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ କରିବେ।
ବିଜେଡିର ଅଭିଯୋଗ, ଗଲା ୨ ବର୍ଷ ଭିତରେ ତେଲ ଦର ୩୦% ବଢ଼ିଯାଇଛି। ଏହା ପ୍ରଭାବରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ୪୦ରୁ ୧୦୦ ପ୍ରତିଶତ ବଢ଼ିଯାଇଛି। ଦରବୃଦ୍ଧି ଏବେ ଜନତାଙ୍କ ପାଇଁ ବେଡି ଉପରେ କୋରାଡ଼ା ମାଡ଼ ଭଳି ହୋଇଛି। ଏପଟେ ବିଜେପି ପ୍ରଶ୍ନ କରିଛି, ହଠାତ୍ ୩ ବର୍ଷ ପରେ ବିଜେଡିର ଦରଦାମ ବୃଦ୍ଧି ପ୍ରସଙ୍ଗ ମନେ ପଡ଼ିବା ପଛର ପ୍ରକୃତ କାରଣ କଣ ? ନିଜ ଅପରାଧୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଏ ନାଟକ ରଚିନି ତ ବିଜେଡି ? ଯଦି ବିଜେଡି ଲୋକଙ୍କୁ ଦରବୃଦ୍ଧିରୁ ଆଶ୍ୱସ୍ତ କରିବାକୁ ଚାହୁଁଛି, ରାଜ୍ୟ ସରକାର ତେଲ ଉପରେ ନେଉଥିବା ଭାଟ୍ କାହିଁକି କମାଉ ନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି।
ଦରବୃଦ୍ଧିକୁ ନେଇ ଓଡ଼ିଶାରେ ବଢ଼ୁଛି ରାଜନୈତିକ ଉଷ୍ମତା। ଅନ୍ୟପଟେ ତ୍ରାହି ତ୍ରାହି ଡାକିଲେଣି ଜନତା। କରୋନାରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି କିନ୍ତୁ ଏ ସମସ୍ୟାର ସମାଧାନ ପରିବର୍ତ୍ତେ ନିଇତି ବଢ଼ୁଥିବା ତେଲଦରରେ ସନ୍ତୁଳି ହେଲେଣି ଖାଉଟି। ଏପଟେ ବ୍ୟବସାୟୀ ମହାସଂଘର କହିବା କଥା, କେନ୍ଦ୍ର-ରାଜ୍ୟ କଳି ଖାଉଟିଙ୍କ ଲାଗି ଉପହାସ ପାଲଟିଛି। ଏବେ ସମୟ ଆସିଛି, ଉଭୟ ସରକାର ତେଲ ଉପରୁ ଟିକସ କମାନ୍ତୁ।
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ମମିତାଠୁ ଆରମ୍ଭ କରି ଦରଦାମ ବୃଦ୍ଧି ପ୍ରସଙ୍ଗକୁ ମୁଖ୍ୟ ହତିଆର କରୁଛନ୍ତି ବିରୋଧୀ ଓ ଶାସକ। ହେଲେ ଭୋଟର୍ ସୀମିତ ରୋଜଗାରରେ କେମିତି ଗୁଜରାଣ ମେଣ୍ଟାଉଛି, ତାହା କେବଳ ସେ ନିଜେ ହିଁ ଜାଣେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)