Advertisment

ଜଗନ୍ନାଥଙ୍କ ଫଟୋ ଛୁଆଁଇ ଶପଥ ପାଠ କରାଉଥିଲା ବିଜେଡି, ଭାଇରାଲ ହେଲା ଭିଡିଓ..

ବେଜେଡି ପ୍ରାର୍ଥୀ ଓ ନେତ୍ରୀ ଓଡ଼ିଆଙ୍କ ଆରାଧ୍ୟ ଜଗନ୍ନାଥଙ୍କ ଫଟୋ ଛୁଆଇଁ ଭୋଟ ଦେବାକୁ କରାଉଛନ୍ତି ଶପଥ । ଭାଇରାଲ ହେଉଛି ଭିଡିଓ

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Panchayat Election

Panchayat Election

ଏଥର ପଞ୍ଚାୟତ ନିର୍ବାଚନ ଟିକେ ଭିନ୍ନ ମୋଡ଼ ନେଇଥିବା ଦେଖାଯାଉଛି । ଦିନକୁ ଦିନ ହିଂସାକାଣ୍ଡ ବଢ଼ିବାରେ ଲାଗିଛି । କେହି କାହାକୁ ଛାଡ଼ିବାକୁ ନାରାଜ । ଗୋଟିଏ ପଟେ ଗଣ୍ଡଗୋଳ ମାର୍‌ପିଟ୍‌ ସହ ବୁଥ୍‌ ରିଗିଂ, ବୁଥ୍‌ କ୍ୟାପ୍‌ଚରିଂ, ବାଲାଟ୍ ବକ୍ସ ପାଣିକୁ ଫିଙ୍ଗିଦେବା ଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ପୋଲିସକୁ ମାଡ଼, ସାମ୍ବାଦିକଙ୍କୁ ମାଡ଼, ବିଡିଓଙ୍କୁ ମାଡ଼, ପ୍ରିଜାଇଡିଂ ଅଫିସରଙ୍କୁ ଧମକ ଚମକ ଦିଆଯାଉଥିବା ଦେଖିବାକୁ ମିଳିଛି  । ତେବେ ଏତେ ସବୁ ଘଟଣା ପୋଲିସ ଉପସ୍ଥିତିରେ କେମିତି ଘଟୁଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । କ’ଣ କରୁଛି ପୋଲିସ ? କାହିଁକି ନିଦା ବିଷ୍ଣୁ ପାଲଟିଛି ପୋଲିସ ? ନିର୍ବାଚନ କମିଶନ କାହିଁକି କଠୋର ପଦକ୍ଷେପ ନେଉନାହାନ୍ତି ? ଚାପରେ ଅଛନ୍ତି କି ନିର୍ବାଚନ କମିଶନ ? କିଏ ତାଙ୍କ ହାତ ବାନ୍ଧି ରଖିଛି ? ଏଭଳି ପ୍ରଶ୍ନ ଏବେ ଗାଁର ପ୍ରତ୍ୟେକ ଲୋକଙ୍କ ମନରେ ।

Advertisment

ତେବେ ଏହାରି ଭିତରେ ପୁଣି ଥରେ ସାମ୍ନାକୁ ଆସିଛି ଭୋଟ ପାଇଁ ନିୟମ କରିବା ଘଟଣା । ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଛୁଆଁଇ ବିଜେଡି ନେତା, କର୍ମୀ ଓ ପ୍ରାର୍ଥୀ ଭୋଟରମାନଙ୍କୁ ଭୋଟ ଦେବା ପାଇଁ ପ୍ରଭାବିତ କରୁଛନ୍ତି । ଏଭଳି ଘଟଣ ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ ଘଟିଥିବା ନଜର ଆସିଛି । 

ଭୋଟ ପାଇଁ ଶପଥ । ଜଗନ୍ନାଥଙ୍କ ଫଟୋ ଛୁଆଁଇ ଶପଥ କରାଉଛନ୍ତି ପ୍ରାର୍ଥୀ ଓ ନିର୍ଦ୍ଦିଷ୍ଟ ଦଳର ନେତ୍ରୀ । ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ଇଟୁଆରରେ ମହିଳା ଭୋଟରଙ୍କୁ ଏଭଳି ଶପଥ ପାଠ କରାଯାଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ପ୍ରତିଭା ବିଶ୍ୱାଳ ନାମକ ଜଣେ ସରପଞ୍ଚ ପ୍ରାର୍ଥୀ ଓ ଚାନ୍ଦବାଲି ବ୍ଲକ ମହିଳା ବିଜେଡି ସଭାନେତ୍ରୀ ମାନସୀ ପାଢୀ ଏଭଳି ଶପଥ ପାଠ କରାଉଥିବା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ, ସରପଞ୍ଚ, ସମିତିସଭ୍ୟ ଓ ଓ୍ୱାର୍ଡମେମ୍ବର ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଜଗନ୍ନାଥ ମହାପ୍ରଭୁଙ୍କ ଫଟୋ ଛୁଆଁଇ ଶପଥ କରାଯାଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ସରପଞ୍ଚ ପ୍ରାର୍ଥୀ ପ୍ରତିଭା ବିଶ୍ୱାଳ ଘଟଣା ସ୍ଥଳରେ ଉପସ୍ଥିତି ଥିବା ସ୍ୱୀକାର କରିଥିବା ବେଳେ ଚାନ୍ଦବାଲି ବ୍ଲକ ମହିଳା ବିଜେଡି ସଭାନେତ୍ରୀ ମାନସୀ ପାଢୀ କିନ୍ତୁ ଶପଥ କରାଇବା ଘଟଣାକୁ ଅସ୍ୱୀକାର କରିଛନ୍ତି । ଶପଥ କରାଇଥିବା ସରପଞ୍ଚ ପ୍ରାର୍ଥୀଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଭାରତୀ ବିଶ୍ୱାଳ କହିଛନ୍ତି ଲୋକଙ୍କ ଉପରେ ବଳ ପ୍ରୟୋଗ କରାଯାଉଛି । ହେଲେ ଲୋକେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବେ । ବୁଥ ରିଗିଂ ଯୋଗୁ ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ଇଟୁଆର ୧୨ ନମ୍ବର ଓ୍ୱାର୍ଡରେ ଆସନ୍ତା ୨୩ରେ ସାନି ନିର୍ବାଚନ ହେବାକୁ ଯାଉଛି । 

Panchayat Election Vote
Advertisment
Advertisment