Advertisment

ନିର୍ବାଚନ ପୂର୍ବରୁ ଫେରିଲା ବିଜେଡିର ପୁରୁଣା ‘କେନ୍ଦ୍ର ଦାୟୀ’ ଫର୍ମୂଲା

ତିନି ବର୍ଷ ପରେ ବସିଲା ବିଜେଡି କାର୍ଯ୍ୟକାରଣୀ। ପ୍ରଥମ ଥର ପାଇଁ ଶଙ୍ଖଭବନରେ ବସିଥିବା ବୈଠକରେ କେନ୍ଦ୍ର ଅବହେଳାକୁ ପୁଣି ମୁଦ୍ଦା କରିବାକୁ ଦଳ ନେଲା ନିଷ୍ପତ୍ତି। ତେବେ କେନ୍ଦ୍ର ବିରୋଧରେ କଡ଼ା ପ୍ରତିବାଦ କେବଳ ଅନୁରୋଧରେ ସୀମିତ ରହିବ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

BJD Executive Meeting

ନିର୍ବାଚନ ପାଖେଇଲା । ଫେରିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ। କେନ୍ଦ୍ର ବିରୋଧରେ ବିଜେଡିର ପୁରୁଣା ମୁଦ୍ଦା। ହେଲେ ଏଥର କିନ୍ତୁ ଗରମ ନୁହେଁ ଦଳ ରଖିବ ନରମ ଆଭିମୁଖ୍ୟ। ତିନି ବର୍ଷ ପରେ ଆଜି ବସିଥିବା ପରିବର୍ଦ୍ଧିତ କାର୍ଯ୍ୟକାରିଣୀର ୨୪ ନିର୍ବାଚନକୁ ଯିବା ପୂର୍ବରୁ ଏଭଳି ଢଙ୍ଗରେ ରାଜନୈତିକ ପ୍ରସ୍ତାବ ରଖିଛି ବିଜେଡି। ହକ୍ ମାଗିବା ଲାଗି ଲଢେଇ ନୁହେଁ ବରଂ କେନ୍ଦ୍ରକୁ ଅନୁରୋଧ କରିବ ଦଳ। ମହାନଦୀ, ପୋଲାଭରମ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, କୋଇଲା ରୟାଲଟି, ସେସ୍ ପ୍ରଦାନ, କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସ୍‌ଟି ପ୍ରତ୍ୟାହାର ଓ ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ କେନ୍ଦ୍ର ନିକଟରେ ପ୍ରମୁଖ ଭାବେ ରଖିବ। ହେଲେ କେବଳ ଅନୁରୋଧ ବା ଦାବି ଭାବେ।

Advertisment

ସେହିପରି କାର୍ଯ୍ୟକାରିଣୀରେ ଅଭିଭାଷଣ ରଖି ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିରୋଧୀଙ୍କ ପାଖେ ପ୍ରସଙ୍ଗ ନାହିଁ। ଓଡ଼ିଶାରେ ରୂପାନ୍ତରୀକରଣ ବିରୋଧୀଙ୍କୁ ସକ୍ ଦେଇଛି। ଯେଉଁଥିପାଇଁ ବିରୋଧୀ ଅପପ୍ରଚାର କରିବେ। ତେଣୁ ସୋସିଆଲ୍ ମିଡିଆରେ ଏହାର ମୁକାବିଲା କରିବାକୁ ମନ୍ତ୍ର ଦେଇଛନ୍ତି ନବୀନ। ତେବେ କେନ୍ଦ୍ର ଅବହେଳାର ଅଭିଯୋଗର ଜବାବରେ ବିଜେପି କହିଛି ମୋଦି ସରକାରରେ ଓଡ଼ିଶାକୁ ୧୮ ଲକ୍ଷ କୋଟି ମିଳିଛି। ହେଲେ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ବହୁ କେନ୍ଦ୍ରୀୟ ପ୍ରକଳ୍ପ କାର୍ଯ୍ୟକାରୀ ହେଇପାରୁନି। ଅନ୍ୟପଟେ କେନ୍ଦ୍ର ପ୍ରତି ବିଜେଡିର ନରମ ଆଭିମୁଖ୍ୟକୁ ନିନ୍ଦା କରି କଂଗ୍ରେସ କହିଛି ବିଜେପି ପାଖରେ ଶରଣ ପଶିଛି ବିଜେଡି।

ତେବେ ୨୪ ନିର୍ବାଚନ ପୂର୍ବରୁ ହଠାତ୍ କାହିଁକି ଆଭିମୁଖ୍ୟରେ ପରିବର୍ତ୍ତନ କଲା ବିଜେଡି। ଗଲା ୩ ବର୍ଷ ହେଲା ଏସବୁ ପ୍ରସଙ୍ଗରେ ନିରବ ରହିବା ସହ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରକୁ ପୂର୍ଣ୍ଣ ସମର୍ଥନ ଦେଇ ଆସୁଥିଲା। ଏବେ କେନ୍ଦ୍ର ବିରୋଧରେ ପୁରୁଣା ପ୍ରସଙ୍ଗକୁ ଧରି ନିର୍ବାଚନ ବୈତରଣୀକୁ ଓହ୍ଲାଇବାକୁ ଯାଉଥିଲା ବେଳେ ଆକ୍ରମଣାତ୍ମକ ନ ହୋଇ ରକ୍ଷଣାତ୍ମକ ମୁଦ୍ରାକୁ କାହିଁକି ଓହ୍ଲାଉଛି, ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ବିଜେଡି କାର୍ଯ୍ୟକାରିଣୀରେ ସାମାଜିକ, ରାଜନୈତିକ ଓ ସାଂଗଠନିକ କ୍ଷେତ୍ରରେ ୩୨ଟି ପ୍ରସ୍ତାବ ପାରିତ ହୋଇଛି। କାର୍ଯ୍ୟକାରିଣୀ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୬ ତାରିଖ ପ୍ରତିଷ୍ଠା ଦିବସ ପରେ ପଞ୍ଚାୟତୱାରୀ ସମ୍ମିଳନୀ ଆୟୋଜନ କରାଯିବ। ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏଁ ତୃଣମୂଳସ୍ତରକୁ ଯାଇ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ସେହିପରି ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସାଂଗଠନିକ ନିର୍ବାଚନକୁ ବର୍ଷେ ଯାଏଁ ଘୁଞ୍ଚାଇବାକୁ ପ୍ରସ୍ତାବ ପାରିତ ହୋଇଛି। 

Odisha Naveen Patnaik BJD
Advertisment
Advertisment