Advertisment

୨୪ ଭୋଟ୍ ପୂର୍ବରୁ ନିଇତି ନୂଆ ନୂଆ ଯୋଜନା, 'ଆମ ବ୍ୟାଙ୍କ' ବିଜ୍ଞାପନରେ ବି ଲାଗିଲା ଶଙ୍ଖ ଚିହ୍ନ

ଗୋଟିଏ ପଟେ ନୂଆ ଭୋଟରଙ୍କୁ ଆକୃଷ୍ଟ ଲକ୍ଷ୍ୟ ତ ଅନ୍ୟପଟେ ଯୋଜନା ମାଧ୍ୟମରେ ମାଇଲେଜ୍ ନେବା ଚକ୍କରରେ କେଉଁ ବାଟ ବି ବିଜେଡି ଛାଡୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJD Logo

BJD Logo

ନା ଅଛି ବିରୋଧୀଙ୍କୁ ଖାତିର, ନା ନୀତି ନୈତିକତା। ନିର୍ବାଚନ ଯେତିକି ପାଖୋଉଛି ସରକାରୀ ଯୋଜନା ସେତିକି ସେତିକି ବଢୁଛି। ଆଉ ତାକୁ ଢାଲ କରି ଶାସକ ବିଜେଡି ଦଳୀୟ ପ୍ରଚାର ବି କରୁଛି। ଏଭଳି ମାଳ ମାଳ ଅଭିଯୋଗକୁ ନେଇ ବିରୋଧୀ ଖଡ୍ଗହସ୍ତ। ଆମ ଓଡ଼ିଶା ନବୀନ ଓଡ଼ିଶା ଠାରୁ ଆରମ୍ଭ କରି ଆମ ବ୍ୟାଙ୍କ ଭଳି ଯୋଜନା ଯାଏଁ। ସବୁଥିରେ ଲାଗିଛି ବିଜେଡି ଚିହ୍ନ ଶଙ୍ଖ। ଏପରିକି ସ୍କୁଲ୍ କଲେଜ ପାଇଁ ଉଦ୍ଦିଷ୍ଟ ଯୋଜନାରେ ବି ଦଳୀୟ ଚିହ୍ନର ବ୍ୟାପକ ବ୍ୟବହାର ଦେଖିବାକୁ ମିଳୁଛି। ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଚାଲିଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ବି ଏଥିରୁ ବାଦ୍ ପଡ଼ିନି ।

Advertisment

ଗୋଟିଏ ପଟେ ନୂଆ ଭୋଟରଙ୍କୁ ଆକୃଷ୍ଟ ଲକ୍ଷ୍ୟ ତ ଅନ୍ୟପଟେ ଯୋଜନା ମାଧ୍ୟମରେ ମାଇଲେଜ୍ ନେବା ଚକ୍କରରେ କେଉଁ ବାଟ ବି ବିଜେଡି ଛାଡୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଅବଶ୍ୟ ବିଜେପି ଏନେଇ ପୂର୍ବରୁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ବିଧାୟକ ସୂର୍ଯ୍ୟବଂଶୀ ସୁରଜ- ଆମ ବ୍ୟାଙ୍କ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ସୋସିଆଲ୍ ମିଡିଆ ଏକ୍ସରେ ବି ପ୍ରବଳ ସମାଲୋଚନା କରିଛନ୍ତି। ସରକାରୀ ଯୋଜନାରେ ଦଳୀୟ ପ୍ରଚାର ଶାସକ ଦଳର ଅଭ୍ୟାସ। କଂଗ୍ରେସ କହିଛି ଲୋକେ ବୁଝିଲେଣି, ୨୪ରେ ଜବାବ ଦେବେ। ବିଜେଡିର ଜବାବ ବିରୋଧୀଙ୍କୁ ବିକାଶ ଦେଖାଯାଉନି।

ସୁପ୍ରିମ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କୌଣସି ଦଳୀୟ ଲୋଗୋ ବା ପତାକା ସରକାରୀ ଯୋଜନା ସମ୍ପର୍କିତ ବିଜ୍ଞାପନରେ ଲାଗି ପାରିବ ନାହିଁ। ଏ ନିୟମ ପାଳନ କରିବାରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ବଜାୟ ରଖିବା ସରକାରଙ୍କ ଦାୟିତ୍ୱ। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ସରକାରୀ ଦଳ ଯୋଜନା ଜରିଆରେ ଦଳୀୟ ପ୍ରଚାର କରିବା ନିଶ୍ଚିତ ଆଇନର ଉଲ୍ଲଂଘନ। କିନ୍ତୁ ଯେଉଁ ଦଳ ସରକାରରେ ଥାନ୍ତି ସ୍କିମ୍ ଜରିଆରେ ପ୍ରଚାର କରିବାକୁ ପଛାଉ ନାହାନ୍ତି।

Advertisment

ଆରୋପ-ପ୍ରତ୍ୟାରୋପ ଭିତରେ ଶାସକ ଦଳ କିନ୍ତୁ ସରକାରୀ ଯୋଜନାକୁ ଦଳୀୟ ପ୍ରଚାରର ମୁଖ୍ୟ ଅସ୍ତ୍ର କରିଛି। ବିରୋଧୀଙ୍କ ଚାପ ତା ଉପରେ କେତେ ପ୍ରଭାବ ପକାଉଛି ଏବେ ତା ଉପରେ ନଜର।

BJP BJD Odisha
Advertisment
Advertisment