Advertisment

ଜଗନ୍ନାଥ ନୁହଁନ୍ତି ବରଂ ନବୀନ ଓଡ଼ିଶାର ପରିଚୟ କହି ଚର୍ଚ୍ଚାରେ ଶିଳ୍ପମନ୍ତ୍ରୀ

ଯାହାଙ୍କୁ ଟାର୍ଗେଟ୍ ପାଇଁ ଏତେ ଆୟୋଜନ, ସେଠି କିନ୍ତୁ ମୁହଁରେ ତାଲା।

author-image
Chandan Shishu
Minister Pratap Deb

Minister Pratap Deb

ଓଡ଼ିଶାର ମୁଖ୍ୟ ପରିଚୟ କିଏ ? ମହାପ୍ରଭୁ ଜଗନ୍ନାଥଙ୍କ ବ୍ୟତିରକେ ଅନ୍ୟ କାହାକୁ କୌଣସି ଓଡ଼ିଆ କେବେ ବି ଭାବନାକୁ ଆଣିବେନି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିନ୍ତୁ ଓଡ଼ିଶାର ମୁଖ୍ୟ ପରିଚୟ ବୋଲି ଖୋଲାଖୋଲି ଦଳୀୟ ସଭାରେ ଘୋଷଣା କରିଛନ୍ତି ଖୋଦ୍ ବିଜେଡିର ଜଣେ ମନ୍ତ୍ରୀ। ''ଆଗରୁ ଓଡ଼ିଶାରୁ, ଏହାର ଅର୍ଥ ଜଗନ୍ନାଥ ପୁରୀରୁ। ଆଜି ଯଦି ଭାରତବର୍ଷର ଯେକୌଣସି ସ୍ଥାନକୁ ଯିବେ, ଯଦି ଓଡ଼ିଶା ବୋଲି ଅନ୍ୟ ଜାଣନ୍ତି, ତେବେ ପ୍ରଥମେ ଆସିବ ନବୀନ ପଟ୍ଟନାୟକ।''  ଏକଥା ଆମେ କହୁନୁ, କହିଛନ୍ତି ଖୋଦ୍ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ତା ପୁଣି ବିଜେଡି ପଦଯାତ୍ରା ପ୍ରସ୍ତୁତି ସଭାରେ।

Advertisment

ଯେଉଁ ଦଳ ମହାପ୍ରଭୁ ଜଗନ୍ନାଥଙ୍କୁ ଓଡିଆ ଜାତିର ଅସ୍ମିତା ବୋଲି କହିବା ସହ ନବୀନଙ୍କୁ ଜଗନ୍ନାଥଙ୍କ ଭକ୍ତ ବୋଲି କହିବୁଲେ, ସେଇ ଦଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ମୁହଁରେ ଜଗନ୍ନାଥଙ୍କୁ ଏଭଳି ତୁଳନା କେତେଦୂର ଶୋଭନୀୟ, କେତେଦୂର ଗ୍ରହଣୀୟ ? ତାକୁ ନେଇ ଚର୍ଚ୍ଚା ଆଲୋଚନା। ତାହାଲେ ଓଡିଶାର ପରିଚୟ ଆଉ ମହାପ୍ରଭୁ ଜଗନ୍ନାଥ ନୁହଁନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କୁ ହିଁ ବିଶ୍ୱ ଜାଣୁଛି ଓଡ଼ିଶାର ପରିଚୟ। ସେପଟେ ପ୍ରତାପ ଦେବଙ୍କ ଏଭଳି ମନ୍ତବ୍ୟକୁ କଡ଼ା ଭଷାରେ ନିନ୍ଦା କରିଛି ବିଜେପି।

ସେଇ ବିଜେଡିର ଆଉ ଜଣେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବି ସେମିତି ଢଙ୍ଗରେ କହିଛନ୍ତି। ବରମୁଣ୍ଡା ସଭା ମଞ୍ଚରେ ଗର୍ଜନ କରୁଛନ୍ତି, ହେଲେ ଯାହାକୁ ନିଶାନା ତାଙ୍କ ନାଁ ଧରିବାକୁ ଡରୁଛନ୍ତି। ଦରଦାମ୍ ବୃଦ୍ଧି ଓ ଓଡ଼ିଶାକୁ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବର୍ଷୁଛନ୍ତି, ହେଲେ ବିଜେପିର କୋଉ ନେତାଙ୍କୁ ଆକ୍ଷେପ କରୁଛନ୍ତି, ନାଁ ତୁଣ୍ଡରେ ଧରୁନାହାନ୍ତି। ଆଉ କହୁଛନ୍ତି ତାଙ୍କୁ କୁଆଡ଼େ କାହା ନାଁ ଧରିବାକୁ ମନା କରାଯାଇଛି। ତେଣୁ ଏଠି ଚର୍ଚ୍ଚା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସଭାକୁ କାଉଣ୍ଟର କରିବାକୁ ବାଦବୁଦିଆରେ ବିଜେଡି ସଭା ଆୟୋଜନ କଲା। ହେଲେ ଯାହାଙ୍କୁ ଟାର୍ଗେଟ୍ ପାଇଁ ଏତେ ଆୟୋଜନ, ସେଠି କିନ୍ତୁ ମୁହଁରେ ତାଲା। କୋଉ ଜଣେ ହେଲେ ବିଜେପି ନେତାଙ୍କ ନାଁରେ ପଦୁଟିଏ କହିବାକୁ ସାହସ ପାଇଲାନି ଏଡ଼େ ବଡ଼ ବଡ଼ ବିଜେଡି ନେତାଙ୍କର।

Advertisment

ତେଣୁ ଏଠି ପ୍ରଶ୍ନ ଭାରତ ଭଳି ଗଣତାନ୍ତ୍ରକି ରାଷ୍ଟ୍ରରେ ପୁଣି ମନ୍ତ୍ରୀଙ୍କ ବାକ୍ ସ୍ବାଧୀନତା କିଏ ଛଡାଇ ନେଲା ? ବିଜେପି ନେତାଙ୍କ ବିରୋଧରେ କିଛି ନ କହିବାକୁ କିଏ ଓ କାହିଁକି ତାଗିଦ୍ କରିଛି ? ଖାଲି ସେତିକି ନୁହେଁ ନବୀନ ଓ ବିଜେଡିର ବହୁ ବରିଷ୍ଠ ଓ କୁହାଳିଆ ନେତା ଥାଉ ଥାଉ ଦଳକୁ କାହିଁକି ଆବଶ୍ୟକ ପଡିଲେ ଏମିତି ଜଣେ ମୋଟିଭେସନାଲ୍ ସ୍ପିକର ? କଣ ବିଜେଡିରେ ଥିବା ପୁରୁଖା ସାଂସଦ କି ବିଧାୟକଙ୍କ କଥାରେ ମୋଟିଭେଟ୍ ହେଉନାହାଁନ୍ତି କି କର୍ମୀ ଓ ନେତା? ବିଜୁ ଦନତା ଦଳର ଏସବୁ ହାବଭାବକୁ ରାଜନୀତି ସମୀକ୍ଷକ ଭିନ୍ନ ନଜରରେ ଦେଖୁଥିବାବେଳେ ଦଳର କହିବା କଥା ବ୍ୟକ୍ତିତ୍ୱର ବିକାଶ ଲାଗି ଏମିତି ଆବଶ୍ୟକ, ଅନ୍ୟ ଦଳ ମାନେ ବି ଏଭଳି କରିବା ଉଚିତ୍।

ସେପଟେ ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବି ମୁଖ୍ୟମନ୍ତ୍ରୀ ବିଜେଡିର ଦୁଇଦିନିଆ ସଭାକୁ ଆଦୌ ନଯିବା ବଡ଼ ପ୍ରଶ୍ମବାଚୀ ସୃଷ୍ଟି କରିଛି।

(ରିପୋର୍ଟ: ଭୁବନେଶ୍ୱରରୁ ହରିହର ଚାନ୍ଦ, ଜଗଦୀଶ ଦାସ ଓ ଚନ୍ଦନ ପାଇକରାୟ)

BJD Naveen Pattnaik
Advertisment
Advertisment