• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡିର ଚାନ୍ଦା ଗୁମର ଖୋଲିଲା ECIଙ୍କ ୱେବସାଇଟ୍। ସୁପ୍ରିମକୋର୍ଟଙ୍କ ଛାଟ ପରେ ଏସବିଆଇ ଦେଇଥିବା ଇଲେକଟୋରାଲ୍ ବଣ୍ଡ ତଥ୍ୟ ଅନୁସାରେ ବିଜେଡି ପାଇଛି ୯୪୪ କୋଟି ୫୦ ଲକ୍ଷ ଟଙ୍କା ଚାନ୍ଦା। ଯାମଧ୍ୟରୁ କେବଳ ଆଦିତ୍ୟ ବିର୍ଲା ଗୃପର ବିଭିନ୍ନ ସହଯୋଗୀ କମ୍ପାନୀଙ୍କଠୁ ପ୍ରାୟ ୨୬୦ କୋଟି। କାହିଁକି କଂପାନୀ ଏତେ ଟଙ୍କା ଦେଇଛି ? ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ନା କଂପାନୀ କର୍ତ୍ତୃପକ୍ଷ କି ନିକଟରେ ବିଜେଡି ନେତା ସାଜିଥିବା କଂପାନୀର ପୂର୍ବତନ ମାନବ ସମ୍ବଳ ବିକାଶ ବିଭାଗ ମୁଖ୍ୟ, କେହି ମୁହଁ ଖୋଲୁନାହାନ୍ତି।

ବିଜେଡିକୁ ସବୁଠୁ ଅଧିକ ନିର୍ବାଚନୀ ଚାନ୍ଦା ଦେଇଛି ଆଦିତ୍ୟ ବିର୍ଲା ଗ୍ରୁପ୍। ଓଡ଼ିଶାରେ କ୍ଷମତାସୀନ ଦଳକୁ ବୁଲେଇ ବଙ୍କେଇ ପହଞ୍ଚାଇଛି ପାଖାପାଖି ୨୬୦ କୋଟି ଟଙ୍କା। ନିଜର ବିଭିନ୍ନ ସହଯୋଗୀ କଂପାନୀମାନଙ୍କ ଜରିଆରେ ଦେଇଛି ଚାନ୍ଦା। ସୁପ୍ରିମକୋର୍ଟଙ୍କ ଛାଟ ପରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଇଲେକଟୋରାଲ ବଣ୍ଡ ନେଇ ଦେଇଥିବା ତଥ୍ୟ ଭାରତୀୟ ନିର୍ବାଚନ କମିଶନ ତାଙ୍କ ୱେବସାଇଟ୍‌ରେ ଅପଲୋଡ୍ କରିବା ପରେ ଖୋଲିଛି ଏ ଗୁମର । ତଥ୍ୟ ଅନୁସାରେ ଏ ଗ୍ରୁପ୍ ଅଧୀନରେ ଥିବା ଖଣି କଂପାନୀ SL ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଥର ଥର କରି ୪ ଥରରେ ଦେଇଛି ୧୭୪ କୋଟି ୫୦ ଲକ୍ଷ। କେନ୍ଦୁଝରରେ ଲୁହା ଓ ଅନୁଗୁଳରେ କୋଇଲା ଉତ୍ତୋଳନ କରୁଛି ଏସଏଲ ମାଇନିଂ। ତାସହ ରାୟଗଡ଼ାରେ ବକ୍ସାଇଟରୁ ଆଲମୁନିୟମ ଉତ୍ପାଦନ କରୁଥିବା ସେଇ ବିର୍ଲା ଗ୍ରୁପର ସହଯୋଗୀ କଂପାନୀ ଉତ୍କଳ ଆଲୁମିନା ବି ୪ଟି ପର୍ଯ୍ୟାୟରେ ୫୫ କୋଟି, ଟେକ୍ସଟାଲଇ କମ୍ପାନୀ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ୨୦ କୋଟି ଓ ବିର୍ଲା କାର୍ବନ ଇଣ୍ଡିଆ ଲିମିଟେଡ ଦେଇଛି ୧୦ କୋଟି ଚାନ୍ଦା ।

ସେମିତି ବିଜେଡିକୁ ଚାନ୍ଦା ଦେଇଥିବା ଅନ୍ୟ ବଡ଼ କମ୍ପାନୀଙ୍କ ମଧ୍ୟରେ ଇସ୍ପାତ ଓ ଶକ୍ତି କ୍ଷେତ୍ରରେ କାମ କରୁଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ ବି ତିନି ଥରରେ ୯୫ କୋଟି ଟଙ୍କା ଚାନ୍ଦା ଦେଇଛି। କେବଳ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ୍ ୪୫ କୋଟି ଦେଇଛି। ଅନ୍ୟ ଖଣି ଓ ଶିଳ୍ପ କଂପାନୀ ମାନଙ୍କ ମଧ୍ୟରେ ରୁଙ୍ଗଟା ସନ୍ସ ୫୦ କୋଟି, ଏସ ଏନ ମହାନ୍ତି ଗ୍ରୁପ୍ ୪୫ କୋଟି, ବେଦାନ୍ତ ୪୦ କୋଟି, ରଶ୍ମି ସିମେଣ୍ଟ ଲିମିଟେଡ ୪୫ କୋଟି, ପେଙ୍ଗୁଇନ୍ ଟ୍ରେଡିଂ ଆଣ୍ଡ୍ ଏଜେନସି ୩୦ କୋଟି ୫୦ ଲକ୍ଷ, ଓଡ଼ିଶା ମେଟାଲିକକ୍ସ ୯ କୋଟି, କାଇପି ଏଣ୍ଟରପ୍ରାଇଜର୍ସ ୧୦ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଏମିତିକି ବିଜେଡି ଦୁଇଟି ମଦ କମ୍ପାନୀଙ୍କଠୁ ବି ଇଲେକଟୋରାଲ ବଣ୍ଡରେ ଚାନ୍ଦା ସଂଗ୍ରହ କରିଛି। ପଶ୍ଚିମବଙ୍ଗର ମଦ କମ୍ପାନୀ- ଲକ୍ଷ୍ମୀ ଇଣ୍ଡଷ୍ଟ୍ରିଆଲ ବଟଲିଂ ପ୍ଲାଣ୍ଟରୁ ୧୦ କୋଟି ଓ କ୍ୟାସଲ ଲିକର୍ସ ପ୍ରାଇଭେଟ ଲିମିଟେଡଠାରୁ ୫ କୋଟି ଚାନ୍ଦା ପାଇଛି।

ବିଭିନ୍ନ କଂପାନୀଙ୍କ ପାଖରୁ ବିଜେଡିକୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଆସିଛି ମୋଟ ୯୪୪ କୋଟି ୫୦ ଲକ୍ଷ ଟଙ୍କା ଚାନ୍ଦା। ତେବେ ବିର୍ଲା ଗୃପ୍ କାହିଁକି ବିଜେଡିରୁ ସର୍ବାଧିକ ୨୬୦ କୋଟି ଟଙ୍କା ଦେଲା ? ତାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ଏଣେ ସେହି କଂପାନୀର ପୂର୍ବତନ ମାନବ ସମ୍ବଳ ବିକାଶ ବିଭାଗ ମୁଖ୍ୟ ସନ୍ତୃପ୍ତ ମିଶ୍ର ଦୀର୍ଘ ବର୍ଷ କମ୍ପାନୀରେ କାମ କରି କିଛିଦିନ ତଳେ ବିଜେଡିରେ ମିଶିଥିବାରୁ ତାକୁ ନେଇ ବି ଉଠିଛି ପ୍ରଶ୍ନ । ଏମିତିକି ସନ୍ତୃପ୍ତ ମିଶ୍ରଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରାଯିବାରେ ସଂକ୍ଷିପ୍ତ ପ୍ରତିକ୍ରିୟାରେ କହିଥିଲେ- ସେ ଏବେ ଆଉ ବିର୍ଲା କମ୍ପାନୀରେ ନାହାନ୍ତି, ତେଣୁ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ। ଅନ୍ୟପଟରେ ଆଦିତ୍ୟ ବିର୍ଲା ଗ୍ରୁପର ଭୁବନେଶ୍ୱର ଅଫିସକୁ ଯୋଗାଯୋଗ କରଯାଇଥିଲେ ସୁଦ୍ଧା ସ୍ଥାନୀୟ ବରିଷ୍ଠ ଅଧିକାରୀ ଏ ନେଇ ଉତ୍ତର ଦେବାକୁ ଉପଯୁକ୍ତ ଅଧିକାରୀ ନୁହନ୍ତି ବୋଲି କହିଥିଲେ। ତେଣେ ବିଜେଡିର ବି ଏ ନେଇ ପ୍ରତିକ୍ରିୟା ମିଳିନାହିଁ।