• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ୨ BJD ପ୍ରାର୍ଥୀ । ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନ ଭରିବେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବିଧାନସଭାରେ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି । ଗତକାଲି ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା BJD ।

ଖାଲିପଡୁଥିବା ରାଜ୍ୟସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା BJD । ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ BJD ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଥିଲା ଦଳ । ଦେବାଶିଷ ସାମନ୍ତରାୟ ତିନି ଥର ବିଧାୟକ ହୋଇଛନ୍ତି ।

ପ୍ରଥମେ ତିର୍ତ୍ତୋଲ ଏବଂ ପରେ ବାରବାଟୀ-କଟକରୁ ଦୁଇଥର ବିଧାୟକ ହୋଇଛନ୍ତି ଦେବାଶିଷ । ସେହିପରି ସମସ୍ତଙ୍କୁ ଚକିତ କରି ପୁରୀର ଯୁବ BJD ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ BJD ରାଜ୍ୟସଭା ପ୍ରାର୍ଥୀ କରିଛି । ସେ ରାଜ୍ୟ ଯୁବ BJD ଉପସଭାପତି ଅଛନ୍ତି । ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଛି ।

ଏହି ୩ ଆସନ ପାଇଁ ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ହେବ । ଗତକାଲି ଦୁଇ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ ବିଜେଡିର ତୃତୀୟ ପ୍ରାର୍ଥୀ କିଏ ହେବେ, ତାକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ । ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଟି ଯାକ ଆସନ ଦଖଲ କରିବାରେ କୌଣସି ସମସ୍ୟା ନାହିଁ ।

ରାଜ୍ୟସଭା ନିର୍ବାଚନ ପାଇଁ ଗତ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୫ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ୨୦ ଫେବ୍ରୁଆରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ୨୭ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ୍‌ ପଡ଼ିବ । ୫ଟାରୁ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।

  • Reported by:
  • JAGDISH DAS