• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasan Subudhi

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ । ଭୁବନେଶ୍ବର ଲୋୟରପିଏମଜିରେ ବିକ୍ଷୋଭ କରିଛି ବିଜେଡି । ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ । ବିକ୍ଷୋଭରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଦଳର ବିଧାୟକ, ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।

ଦରଦାମ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେଡି । ବିଜେଡି କହିଛି ଅର୍ଥନୀତି ପରିଚାଳନାରେ ସରକାର ଫେଲ୍ ହୋଇଛନ୍ତି । ମୁଦ୍ରାସ୍ପିତି ରେକର୍ଡ ସ୍ତରରେ ପହଁଚିଛି। ଆନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର କମିଛି ହେଲେ ଏଠି ସରକାର କମାଉ ନଥିବା କହିଛି ଦଳ।

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ, ଆମେ ୨୪ ବର୍ଷ ଧରି ଶାସନରେ ଥିଲୁ । ଆମେ କ୍ଷମତାକୁ ଆସିବାକୁ ବ୍ୟସ୍ତ ନୁହଁ । ଆପଣମାନେ ଭାବିବେ ନାହିଁ, ବିଜେପି ସହ ଆମର ସମଝୋତା ଅଛି । ବିଜେପିର ଜନବିରୋଧୀ କାର୍ଯ୍ୟକୁ ଜୋରଦାର୍ ବିରୋଧ କରାଯିବ । ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ତାଙ୍କ ମତରେ, ଯିଏ ଏପଟ ସେପଟ ହେଉଛି ସିଏ ଦଳରୁ ଯିବା ଦରକାର । ନିହାତି ଭାବେ କିଛି ଲୋକ ଥିବେ ଯେଉଁମାନେ ସୁବିଧା ଦେଖୁଥିବେ । ଯେଉଁମାନେ ରହିବେ ସେମାନେ ଭଲ ଭାବେ ଜାଣିଛନ୍ତି ଆମେ ୫ ବର୍ଷ କାଳ ବିରୋଧୀ ଦଳରେ ରହିବୁ ଏବଂ ଲଢେଇ କରିବୁ । ଆମେ କିନ୍ତୁ କ୍ଷମତା ପାଇଁ ଦୌଡୁ ନାହୁଁ । ଆମକୁ ବିଜୁ ବାବୁ ଲଢେଇ କରିବା ଶିଖେଇ ଦେଇ ଯାଇଛନ୍ତି ।

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ମୋହନ ମାଝୀ ସରକାର ଯାହା କହୁଛି ତାହା କରୁଛି । ବିଜେଡି ଆଉ କେବେ ବି ସରକାରକୁ ଆସିବନି । ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ସାକାର ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ବିଜେପି ଦିନକୁ ଦିନ ଶକ୍ତିଶାଳୀ ହେଉଥିବା ସେ କହିଛନ୍ତି ।

ବିଜେଡିର ଆନ୍ଦୋଳନ ଉପରେ କଡ଼ା ଜବାବ ରଖିଲା ବିଜେପି । ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ସମୟରେ ବିଜେଡ଼ି ଆନ୍ଦୋଳନକୁ ଓହ୍ଲାଇବାକୁ ନିନ୍ଦା କରିଛି ବିଜେପି । ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି । ଓଡ଼ିଶାର ବିକାଶ ବିଜେଡ଼ି ଦେହରେ ଯାଉ ନାହିଁ । ବିଜେପି ସରକାରର ସଫଳ ଶାସନ ଦେଖି ସହିପାରୁନି ବିଜେଡ଼ି । ଦର ବୃଦ୍ଧି ସମସ୍ୟା ବିଜେପିକୁ ଉତ୍ତରାଧିକାରୀ ସୂତ୍ରରେ ଦେଇଛି ବିଜେଡ଼ି ।

ପୂର୍ବ ସରକାର କରିଥିବା ଆଳୁ, ପିଆଜ ମିଶନ ଫେଲ । ଅଧିକାଂଶ ସାମଗ୍ରୀ ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି । ତେବେ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ବିଜେପି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଗତ ସରକାର ଲମ୍ବା ସମୟ ଧରି ଯାହା କରିପାରିଲାନି, ବିଜେପି ସରକାର ୬ ମାସରେ କରି ଦେଖାଇଛି ।

ବିଜେଡ଼ି ସରକାର କହିଥିଲା ଧାନ ଉପରେ ୧୦୦ ଟଙ୍କା ବୋନସ ଦେବ, କିନ୍ତୁ ଦେଲା ନାହିଁ । ବିଜେପି ପ୍ରତିଶ୍ରୁତି ଦେଇଥିଲା ଓ ଚାଷୀଙ୍କୁ ୮୦୦ ଟଙ୍କା ବୋନସ ଦେଲା । ମହିଳା ସଶକ୍ତୀକରଣ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବିଜେଡ଼ି । କିନ୍ତୁ ବିଜେପି ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ସମ୍ମାନ ଦେଲା ।

 

 

OTV is now on Whatsapp

Join and get latest news update delivered to you via whatsapp

Join Now