• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିକୁ ଅଡୁଆ ଗୋଷ୍ଠୀ କନ୍ଦଳ ! ନବୀନ ନିବାସରେ ବୁଝାସୁଝା, ଗ୍ରାଉଣ୍ଡରେ ଛକାପଞ୍ଝା । ସମ୍ବଲପୁର ଜିଲ୍ଲାରେ ଜଳଜଳ ଦେଖାଦେଲାଣି ଦଳୀୟ ଫାଟ । ନିର୍ବାଚନ ପାଖଉଥିବାରୁ ଟିକଟ ଆଶାରେ ଚାଲିଛି ପ୍ରତିଯୋଗିତା । ବିଜେଡି ସଂଗଠନ ସଂପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପୁର ଗସ୍ତରେ ସମୟରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ ନେତାଙ୍କ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା । ଏପରିକି ଜିଲ୍ଲା ବାହାର ନେତାଙ୍କ ମାମଲାତି ବି ଦେଖିବାକୁ ମିଳିଥିଲା ।

ନିକଟରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ରୋହିତ ପୂଜାରୀ ରେଢ଼ାଖୋଲ ଓ ଯୁଜୁମୁରାଠାରେ ବଡ଼ ଧରଣର ସ୍ୱାଗତ ସମ୍ବର୍ଦ୍ଧନା ଦେଇ ନିଜ ପାୱର୍ ସୋ କରିଥିଲେ । ସେହିଭଳି ମୁଣ୍ଡେରରେ ବରଗଡ଼ିଆ ନେତା ସୁଶାନ୍ତ ସିଂଙ୍କ ପକ୍ଷରୁ ପ୍ରଣବଙ୍କୁ ସ୍ୱାଗତ କରାଯାଇଥିବା ବେଳେ ମାନେଶ୍ୱରରେ ସ୍ୱାଗତ କରିଥିଲେ ଝାରସୁଗୁଡ଼ାର ନେତା ତଥା ଦିବଙ୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ । ଏପଟେ ସମ୍ବଲପୁର ସହର ଭିତରେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ସମେତ ଅନେକ ନେତା ପ୍ରଣବଙ୍କୁ ସ୍ୱାଗତ କରିଥିଲେ।

ତେବେ ବଡ଼ ପ୍ରଶ୍ନ ହେଲା, ସମ୍ବଲପୁରରେ ନେତାଙ୍କ ଭିତରେ ଏତେ ପ୍ରତିଯୋଗିତା କାହିଁକି ? ୨୪ ନିର୍ବାଚନ ପାଇଁ ଟିକଟ ଆଶାରେ ଏଭଳି ପ୍ରତିଯୋଗିତା କି? ନା ସମ୍ବଲପୁର ବିଜେଡିରେ ଫାଟର ଏସବୁ ପ୍ରତିଫଳନ? ସମ୍ବଲପୁରକୁ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ନେତାମାନେ ଆସି ମାମଲାତି ଦେଖାଇବା ପଛରେ କଣ ରହିଛି କାରଣ ? ଏସବୁ ନେଇ ଚର୍ଚ୍ଚା ଭିତରେ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ କହିଛନ୍ତି, ନିର୍ବାଚନ ଆସିଲେ ଏମିତି ହୁଏ । ବିଭିନ୍ନ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ଏଭଳି ସ୍ୱାଗତ କରାଯାଇଥିଲା ।

କେବେଳ ସମ୍ବଲପୁର ନୁହେଁ, ଗଂଜାମ ବିଜେଡିରେ ବି ଗୋଷ୍ଠୀକନ୍ଦଳ ତୀବ୍ର। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ବିରୋଧରେ ଦାନ ବାନ୍ଧିଲାଣି ଅସନ୍ତୋଷ । ବିଧାୟିକାଙ୍କ ବିରୋଧରେ କବିସୂର୍ଯ୍ୟନଗର, ବେଗୁନିଆପଡା ଓ ପୁରୁଷୋତ୍ତମପୁର ବ୍ଳକ୍‌ର ଆଗଧାଡ଼ିର ନେତାମାନେ ମେଳି କରିଥିଲେ। ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ସମର୍ଥକମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେପଟେ ଲତିକାଙ୍କ ସମର୍ଥକ କହିଛନ୍ତି ବିଧାୟିକାଙ୍କୁ ବଦାନାମ କରିବାକୁ ଏଭଳି କରାଯାଉଛି । ଅନ୍ୟପକ୍ଷରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ସଂପର୍କ ବିଗିଡି ଥିବା ଚର୍ଚ୍ଚା ହେଉଛି ।

ସମ୍ବଲପୁର ଓ ଗଂଜାମ ଜିଲ୍ଲା ବ୍ୟତୀତ ରାଜ୍ୟର ବହୁ ନିର୍ବାଚନ ମଣ୍ଡଳୀରେ ଏକାଧିକ ବିଧାୟକ ଆଶାୟୀ ପ୍ରାର୍ଥୀ ଥିବାରୁ ଅନ୍ତର୍ଦ୍ୱନ୍ଦ୍ୱ ବଢିଛି । ନବୀନ ନିବାସରେ ବିଧାୟକଙ୍କୁ ଟିକଟ ଦେବା ନେଇ ଗ୍ରୀନ୍ ସିଗନାଲ୍ ଦେବା ସହ ଅନ୍ତର୍ଦ୍ୱନ୍ଦ୍ୱର ସମାଧାନ ପାଇଁ ତାଳିପକା ଉଦ୍ୟମ ହେଉଛି। ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଚିତ୍ର ଭିନ୍ନ।

  • Reported by:
  • SANJAY JENA , HARIHARA CHAND , Pitabasa Das