• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ମହିଳାଙ୍କ ପରେ ଯୁବ ଭୋଟ ହାତେଇବାକୁ ବିଜେଡି ସରକାରର ଆଉ ଏକ ଫନ୍ଦି। ଏଥିପାଇଁ ରାଜ୍ୟ କ୍ୟାବିନେଟରେ ନୂତନ ଉନ୍ନତ ଅଭିଲାଷା ବା ସଂକ୍ଷେପରେ ନୂଆ ଯୋଜନାକୁ ଅନୁମୋଦନ ମିଳିଛି। ଯେଉଁଥିରେ ପ୍ରତିବର୍ଷ ଏକ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷ କରିବାକୁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା। ଯାହାକୁ ନେଇ ତେଜିଛି ରାଜନୀତି। ଭୋଟ ଟାଣିବାକୁ ନୂଆ ଯୋଜନା କହି ବିଜେପି ବର୍ଷିବା ସହ, ସରକାର ଏପର୍ଯ୍ୟନ୍ତ କେତେ ନୂଆ ନିଯୁକ୍ତି ଦେଇଛନ୍ତି ତାର ଶ୍ବେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛି। ଯାହାର ଜବାବ ରଖିଛି ବିଜେଡି।

ବିଜେଡି ଟାର୍ଗେଟରେ ଯୁବ ଭୋଟର। ଯୁବ ଭୋଟ ହାତେଇବାକୁ ଶାସକ ଦଳର ଭରପୂର ପ୍ରୟାସ। ସ୍ପୋର୍ଟସ ପରେ ଏବେ ଦକ୍ଷତା ବିକାଶକୁ ଗୁରୁତ୍ୱ। ନୂଆ ଓଡ଼ିଶା ସ୍କିମରେ ଖର୍ଚ୍ଚ ହେବ ୩୮୫ କୋଟି। ୨୪ ସାଧାରଣ ନିର୍ବାଚନ ବୈତରଣୀ ପାର୍ ହେବାକୁ ତ୍ରିଶକ୍ତି ଫର୍ମୂଲା- ମହିଳା, ଯୁବ ଓ ଚାଷୀଙ୍କ ଉପରେ କାମ କରୁଥିବା ରାଜ୍ୟ ସରକାର ଏବେ ରାଜ୍ୟର ଯୁବ ଶକ୍ତିଙ୍କ ପାଇଁ ଆଣୁଛନ୍ତି ଗୋଟିକ ପରେ ଗୋଟିଏ ନୂଆ ସ୍କିମ୍। ଗାଁ ଗାଁରେ ଖେଳ ଉପକରଣ ବାଣ୍ଟିବା ପାଇଁ ଆମ ଓଡିଶା ନବୀନ ଓଡିଶା ଯୋଜନା ଆସିଥିଲା। ହେଲେ କାଳେ ଏ ଥୋପ ବି ଯଥେଷ୍ଟ ହେବନି ସେଇ ଡରରେ ଆସୁଛି ଆଉ ଏକ ନୂଆ ସ୍କିମ୍- ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ବା ନୂଆ ଓଡ଼ିଶା।

ରାଜ୍ୟ କ୍ୟାବିନେଟ ଆଜି ଏଇ ସ୍କିମକୁ ମଂଜୁରୀ ଦେଇଛି। ଏହା ଅନୁଯାୟୀ, ପ୍ରତିବର୍ଷ ରାଜ୍ୟର ଏକ ଲକ୍ଷ ଯୁବକ ଯୁବତୀ ଦକ୍ଷ କରାଯିବ। ଏବଂ ଏଥିପାିଇଁ ତିନି ବର୍ଷରେ ୩୮୫ କୋଟି ଖର୍ଚ୍ଚ ହେବ। ଯୁବ ବର୍ଗଙ୍କୁ ଆକୃଷ୍ଟ କରିବାକୁ ୧୯ ନିର୍ବାଚନ ପୂର୍ବରୁ ବି ରାଜ୍ୟ ସରକାର ଆଣିଥିଲେ ବହୁଚର୍ଚ୍ଚିତ ବିଜୁ ଯୁବ ବାହନୀ ସ୍କିମ୍। ଆଉ ଏବେ ନିର୍ବାଚନ ପୂର୍ବରୁ ନୂଆ ଓଡ଼ିଶା।

ହେଲେ କଣ ଏଇ ନୂଆ ଓଡ଼ିଶାର ଲକ୍ଷ୍ୟ, ଯୁବ ବର୍ଗଙ୍କ ନିଯୁକ୍ତି ନା କେବଳ ଭୋଟ୍ ଗୋଟେଇବାର ଚାଲ୍। କୁହାଯାଉଛି ମୋଦିଙ୍କ ଆଡ଼କୁ ଯୁବ ଭୋଟ୍ ଢଳୁଥିବାରୁ ସେମାନଙ୍କୁ ନବୀନ ମୁହାଁ କରି କାଉଣ୍ଟର ପ୍ରସ୍ତୁତିକୁ ମଜଭୁତ କରିବାକୁ ଏ ଯୋଜନା। ଯାହାକୁ ନେଇ ତେଜିଛି ରାଜନୀତି। ବିଜେପି କହିଛି ସରକାର ଯୋଜନା ପରେ ଯୋଜନା ତ ଆଣୁଛନ୍ତି, ହେଲେ କେତେ ଲୋକ ନିଯୁକ୍ତି ମିଳିଛି ଆଗ ତାର ଶ୍ୱେତପତ୍ର ଆସୁ। ବିଜେଡି ଏହାର ଜବାବ ରଖିଛି।

ପ୍ରତି ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଯୋଜନା ପରେ ଯୋଜନା ଆଣୁଛନ୍ତି। ଖାଲି ବିଜୁ ଯୁବ ବାହିନୀ ନୁହେଁ, ୧୯ ନିର୍ବାଚନ ପୂର୍ବରୁ ବି ପିଠା, କାଳିଆ ଭଳି ଅନେକ ଯୋଜନା ଆସିଥିଲା। ହେଲେ ସେ ଭିତରୁ ଅନେକ ଯୋଜନା ବନ୍ଦ ହୋଇଥିବାବେଳେ ଆଉ କିଛି ସ୍କିମରେ ସଂଶୋଧନ କରାଯାଇଛି। ଆଉ ଏବେ ଯୁବ ଭୋଟ ହାତେଇବାକୁ ସରକାରଙ୍କ ଏ ନୂଆ ଯୋଜନା ସତ୍ତ୍ବେ ପରିଣାମ କଣ ଆସୁଛି ତା ଉପରେ ନଜର।

  • Reported by:
  • HARIHARA CHAND