/odishatv-khabar/media/post_attachments/uploadimage/library/16_9/16_9_0/Protest__1726934098.jpg)
Protest
ତେଜୁଛି ଭରତପୁର ଥାନା ଘଟଣା । ରାଜରାସ୍ତାରେ ରାଜନୈତିକ ଦଳ । ସରକାର ବିରୋଧରେ ହଲ୍ଲାବୋଲ, ନାରାବାଜି । ଅଣ୍ଡା ସାଙ୍ଗକୁ ଟମାଟୋ ମାଡ଼। ଆଜି ବିଜୁ ମହିଳା ଜନତା ଦଳ, ଆର୍ମି ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଘଟଣାରେ ରାଜଭବନ ସମ୍ମୁଖରେ ପ୍ରତିବାଦ ଜଣାଇଛି । ଦୋଷୀଙ୍କୁ ତୁରନ୍ତ ଗିରଫ ସହ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛି ଦଳ । ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମ୍ଙ୍କ ଏକ ସ୍ମାରକ ପତ୍ର ଦେଇଛି ବିଜେଡି ।
ଆଉ ଏପଟେ ସରକାରଙ୍କ ନିଷ୍କ୍ରିୟତା ଅଭିଯୋଗ ଆଣି, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଯୁବ କଂଗ୍ରେସର ଲଙ୍କାକାଣ୍ଡ । କଂଗ୍ରେସ ଭବନରୁ ରାଲିରେ ଯାଇ ବ୍ୟାରିକେଡ୍ ଡେଇଁଲେ ଆଉ ପୋଲିସ୍ ସହ ଧସ୍ତାଧସ୍ତି ହେଲେ । ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଅଣ୍ଡା ଟମାଟୋ ମାଡ଼ କରିଛନ୍ତି ଯୁବ କଂଗ୍ରେସ କର୍ମୀ । ପରିସ୍ଥିତି ବିଗୁଡୁଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରୁ ଆନ୍ଦୋଳନକାରୀଙ୍କୁ ଉଠାଇନେଇଥିଲା ପୋଲିସ । ସେପଟେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଛି। କହିଛି ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଥାନାର ପାଞ୍ଚ ପାଞ୍ଚ ଜଣ କର୍ମଚାରୀଙ୍କ ଉପରେ ଆକ୍ସନ ହୋଇଛି। ରାଜନୀତି
କରୁଥିବା ଦଳ ନିଜକୁ ଆଇନାରେ ଦେଖନ୍ତୁ ।
ସେପଟେ ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଘଟଣାକୁ ନେଇ ଜାତୀୟ ରାଜନୀତି ବି ବେଶ ସରଗରମ। ଗତକାଲି ରାହୁଲ୍ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ସୋସିଆଲ୍ ମିଡିଆରେ ଘଟଣାକୁ ତୀବ୍ର ନିନ୍ଦା କରିଥିବା ବେଳେ ଦଳର ନେତ୍ରୀ ସୁପ୍ରିୟା ଶ୍ରୀନେଟ୍ ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଛନ୍ତି । ସେହିପରି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଭି.କେ. ସିଂହ ମଧ୍ୟ ଘଟଣାର କଡ଼ା ନିନ୍ଦା କରିଛନ୍ତି।
ଅପରପକ୍ଷେ ବିଜେପି ମୁଖପାତ୍ର ନଳୀନ କୋହଲି ଘଟଣାର ଦୃଢ଼ ନିନ୍ଦା କରିବା ସହିତ କହିଛନ୍ତି, ପୋଲିସ୍ ଷ୍ଟେସନ ଭିତରେ ଖୋଦ୍ ପୋଲିସ୍ କର୍ମଚାରୀଙ୍କ ଦ୍ବାରା ଜଣେ ମହିଳାଙ୍କ ଏଭଳି ଉତ୍ପୀଡ଼ନ ଅକଳ୍ପନୀୟ। ଘଟଣାକୁ ପାଖାପାଖି ସପ୍ତାହେ ହୋଇଗଲା। ପ୍ରାଥମିକ ସ୍ତରରେ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବନ ସହ ରୋଡ୍ ରୋମିଓଙ୍କୁ ବି ବନ୍ଧା ଯାଇଛି। କିନ୍ତୁ ରାଜନୀତି ଥମିବାର ନାଁ ଧରୁନି। ଏଭଳିସ୍ଥଳେ ଘଟଣା ଆଗକୁ କି ମୋଡ ନେଉଛି ଏବଂ ପୋଲିସ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)