• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସର ପଥ ଅନୁସରଣ କରୁଛି କି ବିଜେଡି ? କଂଗ୍ରେସ ଯେଉଁ ରାସ୍ତାରେ ଯାଇ ଆଜି ଓଡ଼ିଶାରେ ତିନି ନମ୍ବର ସ୍ଥାନରେ ରହିଛି, ବିଜେଡି ମଧ୍ୟ ସେହି ରାସ୍ତାରେ ଚାଲିବା ଆରମ୍ଭ କରିଛି କି ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ରାଜନୈତିକ ମହଲରେ ବି ଚର୍ଚ୍ଚା ଆରମ୍ଭ ହେଲାଣି । କାରଣ ଯେଉଁ ଗୋଡ଼ ଟଣା ନୀତି କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦେଇଛି, ଏବେ ବିଜେଡି ଦଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।

ବିଜେଡିରେ ତୀବ୍ର ହେଉଛି ଗୋଷ୍ଠି କନ୍ଦଳ । ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି, ନିଜ କର୍ମୀଙ୍କୁ ମ୍ୟାନେଜ କରିବାରେ ବିଫଳ ହୋଇଥିବା ଦେଖାଦେଇଛି । ଦୀର୍ଘ ୨୨ ବର୍ଷ ଧରି ଶାସନ କରିବା ଫଳରେ ବିଜେଡିରେ ଯୋଡ଼ି ହୋଇଛନ୍ତି ଅନେକ କର୍ମୀ ଓ ଟାଣୁଆ ନେତା । ହେଲେ ସମସ୍ତେ ଟିକଟ ଆଶାରେ ସାମିଲ ହୋଇଥିଲେ ଦଳରେ । କିନ୍ତୁ ଦଳ କେତେ ଜଣଙ୍କୁ ବା ଦେବ ଟିକଟ ।

ପୂର୍ବରୁ ଦଳ ଭିତରେ ଯେତେ କନ୍ଦଳ ଥିଲେ ବି ସବୁଗୁଡ଼ିକୁ ମ୍ୟାନେଜ କରିବାର କ୍ଷମତା ରଖୁଥିବା ବିଜେଡି ଏଥର କିନ୍ତୁ ଫେଲ୍‌ ମାରୁଥିବା ଦେଖାଯାଇଛି । ଅନୁଭବ ହେଉଛି ହାଇକମାଣ୍ଡଙ୍କ ହାତରୁ ଖସୁଛି ଲଗାମ । ଯେଉଁଥିପାଇଁ ଏବେ ଆଶାୟୀ ପ୍ରାର୍ଥୀ ବି ବିଦ୍ରୋହର ମୁଣ୍ଡ ଟେକିଲେଣି । ଏମିତିକି ଅସନ୍ତୁଷ୍ଟ ବିଜେଡି କର୍ମୀ ବି ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ନେତୃତ୍ୱକୁ ବିରୋଧ କରୁଥିବା ଦେଖାଯାଇଛି । ଯେଉଁ ଆଶାୟୀ ପ୍ରାର୍ଥୀମାନେ ବିଜେଡି ସମର୍ଥନ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନେ ଖୋଲାଖୋଲି ଭାବେ ବିରୋଧୀ ପ୍ରାର୍ଥୀଙ୍କ ପ୍ରଚାରରେ ମାତିଛନ୍ତି । ଆଉ ବିଜେଡି ଭୋଟ ବ୍ୟାଙ୍କ ଭାଙ୍ଗିବାରେ ବଡ଼ ଭୂମିକା ନେଉଛନ୍ତି । ଠିକ୍‌ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ ।

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ବିଜେଡି ସଭାପତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଆଉ ସବୁଠୁ ବଡ଼ କଥା ହେଲା ଖୋଦ୍‌ ବିଜେଡି ସାଂସଦ ପ୍ରତିନିଧିଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ବିଜେଡି ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନଙ୍କୁ ଉଦ୍ଧାର କରିଥିଲା । ଆଉ ଏହି ମାମଲାରେ ୬ ଜଣଙ୍କୁ ଏବେ ଅଟକ ରଖିଛି ପୋଲିସ ।

କୋଟଗଡ଼ ବ୍ଲକର ସାଂସଦ ପ୍ରତିନିଧି ମନୋଜ ସାବତ ଓ ତାଙ୍କ ସମର୍ଥକ ଏହି ଅପହରଣ କରିଥିବା ଅଭିଯୋଗ ହୋଇଛି । ଏନେଇ କୋଟଗଡ ଥାନାରେ ସାଂସଦ ପ୍ରତିନିଧି ଓ ତାଙ୍କ ସମର୍ଥକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ହୋଇଛି । କୋଟଗଡ଼ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଗୋଷ୍ଠୀ କନ୍ଦଳ ହିଁ ଅପହରଣର କାରଣ ବୋଲି ଚର୍ଚ୍ଚା ହେଉଛି ।

ଗତକାଲି ଷ୍ଟିଫେନ ପ୍ରଧାନ ସଂଧ୍ୟା ସମୟରେ ବଜାର ଯାଉଥିବା ବେଳେ ମନୋଜ ସାବତ ଓ ତାଙ୍କ ସମର୍ଥକ ବୋଲେରୋ ଗାଡ଼ିରେ ଅପହରଣ କରିଥିବା ଏତଲାରେ ଦର୍ଶାଯାଇଛି । ଏହି ଘଟଣାକୁ ନେଇ କୋଟଗଡ ଅଂଚଳରେ ତୀବ୍ର ଅସନ୍ତୋଷ ଲାଗି ରହିବା ସହ ସାଂସଦ ପ୍ରତିନିଧି ମନୋଜ ସାବତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜୋର ଧରିଛି । ତେବେ ଏହି ଘଟଣାରେ ତାଙ୍କର କୋଣସି ସଂପୃକ୍ତି ନାହିଁ ବୋଲି କହିଛନ୍ତି ସାଂସଦ ପ୍ରତିନିଧି ମନୋଜ ସାବତ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଠଗଡ଼ରେ ଦଳର ହେଭିୱେଟ୍‌ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନିଜ ଅଞ୍ଚଳରେ ଦଳୀୟ କର୍ମୀମାନେ ଜୋରଦାର ବିରୋଧ କରିଥିଲେ । ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ, ଖୁଣ୍ଟୁଣୀ ପଞ୍ଚାୟତରେ ମନ୍ତ୍ରୀ ରଣେନ୍ଦ୍ରଙ୍କୁ ବିରୋଧ କରାଯାଇଥିଲା । ଦୀର୍ଘ ଦିନ ଧରି ଦଳରେ କାମ କରିବା ପରେ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବାକୁ ପୂର୍ବରୁ ଦଳୀୟ ନେତାମାନେ ସିଗ୍ନାଲ ଦେଇଥିଲେ । ହେଲେ ଶେଷ ମୂହୁର୍ତ୍ତରେ ଟିକଟ ଦେଇନଥିଲେ । ତେଣୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଭରି ରହିଛି । ଯାହାକି ଆଗାମୀ ଦିନରେ ବିଜେଡି ପାଇଁ ଘାଟା ହୋଇପାରେ ବୋଲି କୁହାଯାଉଛି ।