• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡକୁ ଆଜି ପୂରିଲା ୫୦ ଦିନ । ଏଯାଏଁ କିନ୍ତୁ କ୍ରାଇମବ୍ରାଞ୍ଚ ଉନ୍ମୋଚନ କରିପାରିଲାନି ହତ୍ୟା ମୋଟିଭ୍ । ଏଣେ ତାରିଖ ଘୋଷଣା ହୋଇନଥିଲେ ବି ଝାରସୁଗୁଡ଼ାରେ ଜମିଲାଣି ଉପନିର୍ବାଚନ ପ୍ରଚାର ରାଜନୀତି । ମିଳନ ଉତ୍ସବ ନାଁରେ ନବଙ୍କ ଝିଅ ଦୀପାଳି ପରୋକ୍ଷ କ୍ୟାଂପେନ ଆରମ୍ଭ କରିଥିବାବେଳେ ବିଜେପି ନେତା ଟଙ୍କଧର ତ୍ରିପାଠୀ ବି ଘେରାଉ ଓ ଆନ୍ଦୋଳନ ନାଁରେ କର୍ମୀଙ୍କୁ ଏକାଠି କରି ଜୋଶ୍ ଭରିଲେଣି । ତେବେ ତାରିଖ ଘୋଷଣା ନହେଉଣୁ ନେତାଙ୍କ ଏଭଳି କାର୍ଯ୍ୟକ୍ରମକୁ ନାପସନ୍ଦ କରିଛନ୍ତି ଝାରସୁଗୁଡ଼ାବାସୀ ।

ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ । ଯାହାର ଦୁଇଟି ଚିତ୍ର ଆପଣଙ୍କ ସାମ୍ନାରେ । ଗୋଟିଏରେ ଲଇକେରାରେ କିଷାନ ସମାଜ ମିଳନ ମହୋତ୍ସବରେ ଆଦିବାସୀ ନୃତ୍ୟରେ ଝୁମୁଛନ୍ତି ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ତ ଅନ୍ୟଟିରେ କର୍ମୀଙ୍କ ଗହଣରେ ବ୍ଲକ୍ ଘେରାଉ ପାଇଁ ବାହାରିଛନ୍ତି ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ ।

ଯେଉଁଥିରୁ ସ୍ପଷ୍ଟ ବାଇ-ଇଲେକ୍ସନ ପୂର୍ବରୁ ଶକ୍ତି ପ୍ରଦର୍ଶନର ଝଲକ । କୁହାଯାଉଛି ଗତ ଫେବ୍ରୁଆରୀ ୧୬ରେ ଝାରସୁଗୁଡ଼ାରେ ଏକ ଆମ୍ବୁଲାନ୍ସ ଲୋକାର୍ପଣ ଉତ୍ସବରୁ ହିଁ ପ୍ରଥମେ ପରୋକ୍ଷରେ ମଇଦାନକୁ ଆସିଥିଲେ ନବଙ୍କ ଝିଅ । ତାପରେ ମାର୍ଚ୍ଚ ୧୨ରେ ଝାରସୁଗୁଡ଼ା ଓ ପରେ ଲଇକେରାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ସମାବେଶ କରି ମହିଳା ଓ ପରେ ପରେ କୁଣହା, ଲକ୍ଷଘର ଓ କିଷାନ ସମାଜର ବନ୍ଧୁମିଳନ ଉତ୍ସବ ନାଁରେ ଚାଲିଛି ସମାବେଶ । ସବୁଠି ଭାଇଙ୍କୁ ଧରି ସଭା କରୁଛନ୍ତି ଦୀପାଳି ।

ନବଙ୍କ ଲିଗାସିଙ୍କୁ ଆଗକୁ ନେବେ ବୋଲି କହିବା ସହ ଯେକୌଣସି ଉପନିର୍ବାଚନକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି । ସେପଟେ ବିଜେପି ନେତା ଟଙ୍କଧର ତ୍ରିପାଠୀ ବି ଦଳୀୟ କର୍ମୀଙ୍କୁ ସକ୍ରିୟ କଲେଣି । ନିର୍ବାଚନମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ କାମରେ ଚାଲିଥିବା ବ୍ୟାପକ ଦୁର୍ନୀତି ବିରୋଧରେ ୧୬ରେ ଝାରସୁଗୁଡ଼ା ମ୍ୟୁନିସିପାଲିଟି, ୧୭ରେ ଲଇକେରା ଓ ୧୮ରେ କିରିମିରାରେ କରିଛନ୍ତି ବ୍ଲକ ଘେରାଉ । ନେତା ଓ କର୍ମୀଙ୍କୁ ଏକାଠି କରି ଲଢ଼େଇ ପାଇଁ ରଣନୀତି ପ୍ରସ୍ତୁତ କଲେଣି । ତେବେ ଜିଲ୍ଲା କଂଗ୍ରେସ କିନ୍ତୁ ଏଯାଏଁ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ କରିନଥିଲେ ବି ଭିତରେ ଭିତରେ ଲୋକଙ୍କ ପାଖକୁ ଯାଉଥିବା ଓ ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କହିଛି ।

୨୯ ଜାନୁଆରୀ ୨୦୨୩। ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କୁ ଦିନଦ୍ୱିପ୍ରହରେ ଗୁଳି ଘଟଣାକୁ ଆଜି ପୂରିଛି ୫୦ ଦିନ । ହତ୍ୟାକାରୀ ଗୋପାଳ ଦାସ ଧରାପଡ଼ିଛି, ସତ ଓଗାଳିବାକୁ ନାର୍କୋ ଆନାଲିସିସ୍ ଟେଷ୍ଟ ଯାଏଁ ବି ସରିଛି । ହେଲେ ଏଯାଏଁ କିନ୍ତୁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଭେଦିପାରିଲାନି ହତ୍ୟାର ମୋଟିଭ୍ । ଯାହାକୁ ନେଇ କ୍ଷୁବ୍ଧ ଝାରସୁଗୁଡ଼ାର ସାଧାରଣ ଜନତାଙ୍କ ସହ ବୁଦ୍ଧିଜୀବୀ । ନବ ହତ୍ୟା ମୋଟିଭ୍ ଧିରେ ଧିରେ ଶୀଥିଳ ପଡ଼ି ଯାଉଥିବାବେଳେ ଉପ-ନିର୍ବାଚନକୁ ନେଇ ବଢୁଥିବା ଉଷ୍ମତାକୁ ନେଇ ବି ଆଶ୍ଚର୍ଯ୍ୟ ପ୍ରକଟ କଲେଣି

ଝାରସୁଗୁଡ଼ାରୁ ଭାଗୀରଥି ପ୍ରଧାନଙ୍କ ସହ ଦେବେନ୍ଦ୍ର ବେହେରାଙ୍କ ରିପୋର୍ଟ, ଓଟିଭି...