• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିକୁ ଧାମନଗରରେ ବଡ୍ ଝଟକା । ଶଙ୍ଖ ଉପରେ ଭାରି ପଡିଲା ପଦ୍ମ । କାମ ଦେଲାନି ବିଜେଡିର ମହିଳା କାର୍ଡ । ଫେଲ୍ ମାରିଲା SHG ଏକ୍ସପେରିମେଣ୍ଟ । ଧାମନଗର ଉପନିର୍ବାଚନ ଫଳାଫଳ ଦଳ ସପକ୍ଷରେ ଯିବା ପରେ ଉତ୍ସାହିତ ପଦ୍ମ ଶିବିର । ହେଲେ ବିଜେଡି କ୍ୟାମ୍ପରେ ନିରାଶା । ଭୁଲ ପ୍ରାର୍ଥୀ ଚୟନ ଓ ଦଳୀୟ ଟିକଟ ଆଶାୟୀ ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ଲଢିବା ଯୋଗୁଁ ଓଲଟି ଯାଇଛି ବିଜେଡି ଗଣିତ ।

ତେବେ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା କିଏ ? କିଭଳି ଆକଳନ କରି ତାଙ୍କୁ ପ୍ରାର୍ଥୀ ବଛାଗଲା ? ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ପୂର୍ବରୁ ହୋଇଥିଲା କି କିଛି ସର୍ଭେ ? ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ଲଢିଲେ ବି ବିଜେଡି ଜିତିବ, କିଏ ଦେଇଥିଲେ ଏହି ଗ୍ୟାରେଣ୍ଟି । ନବୀନଙ୍କ ବିଜୟ ଧାରାରେ କିଏ କଳଙ୍କ ଲଗାଇଲା ? ଏସବୁ ପ୍ରଶ୍ନକୁ ନେଇ ଏବେ ବିଜେଡିରେ ଜୋରଦାର ଚର୍ଚ୍ଚା ।

ଅବନ୍ତୀ ଏକ୍ସପେରିମେଣ୍ଟ ସଫଳ ହୋଇଥିଲେ କିଛି ନେତାଙ୍କୁ ଦଳରେ ଅଲୋଡା ହୋଇଯିବା ଡର ଘାରିଥିଲା । ତେଣୁ ଏହି ଗୋଷ୍ଠୀ ରାଜେନ୍ଦ୍ରଙ୍କୁ ନିରବ ସମର୍ଥନ କରିଥିବା କୁହାଯାଉଛି । ବିଜେପିର ବାଜିମାତ୍ ପରେ ଏହି ନେତାମାନେ ବେଶ ଖୁସି ବୋଲି ଚର୍ଚ୍ଚା ବି ହେଉଛି । ଏହା ବିଜେଡି ଅନ୍ଦର ମହଲରେ ଆଲୋଡନ ସୃଷ୍ଟି କରିଛି । ତେଣୁ ଅବନ୍ତୀଙ୍କ ଲାଗି ଲବି କରିଥିବା ନେତାଙ୍କ ବିରୁଦ୍ଧରେ ନବୀନ ନେବେ କି କାର୍ଯ୍ୟାନୁଷ୍ଠାନ, ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

ଧାମନଗର ବିଜେଡିର ପରାଜୟକୁ ନେଇ ଆରମ୍ଭ ହୋଇଛି ପୋଷ୍ଟମର୍ଟମ । ଏହା ଭିତରେ ପ୍ରଶ୍ନ ଉଠିଛି ବିଜେଡିର ମହିଳା ଭୋଟ ବ୍ୟାଙ୍କ ଗଲା କୁଆଡେ ? ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧାମନଗରରେ ୮୫ ହଜାର ମହିଳା ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ । ତେବେ ଏସବୁ ଭୋଟ ଯାଇଛି କାହାକୁ । ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ଥ୍ରୀଏମ୍ ଫର୍ମୁଲା, ମାଇନରିଟି, ମହିଳା, ମନି ଅନୁସାରେ ବିଜେପି ଲଢିଥିଲା । ତେଣୁ ବିଜେଡିର ମହିଳା ଭୋଟବ୍ୟାଙ୍କ ବିଭାଜନ କରିବାରେ ବିଜେପି ସଫଳ ହୋଇଥିବା କୁହାଯାଉଛି । ଅର୍ଥାତ୍ ବିଜେଡିର ବଳ କୁହାଯାଉଥିବା ମହିଳା ଭୋଟ୍ ବ୍ୟାଙ୍କକୁ କ୍ରାକ୍ କରାଯାଇପାରିବ, ଯାହାକି ଧାମନଗରରେ ତାହା ପ୍ରମାଣିତ ହୋଇଛି । ଅବନ୍ତୀ ଏସ୍ଏଚ୍‌ଜି ମହିଳା ହୋଇଥିଲେ ବି ସ୍ୱୟଂ ସହାୟକ ଗୋଷ୍ଠୀ ଯେ, ସବୁବେଳେ ବିଜେଡି ସହିତ ରହିବେ ଆଉ ସେ ଗ୍ୟାରେଣ୍ଟି ନାହିଁ ।