• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବୀନ-ନୀତୀଶ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହେଲା, ମହାମେଣ୍ଟରେ ସାମିଲ ନେଇ ନୀତୀଶଙ୍କ ପ୍ରସ୍ତାବ ଉପରେ ନବୀନ କଣ କହିଲେ ତାକୁ ନେଇ ଲାଗି ରହିଛି ସସପେନ୍ସ । ଦୁଇ ପୋଖତ ରାଜନେତା ଏ ସଂପର୍କରେ ଆଦୌ କାର୍ଡ ଖୋଲି ନଥିବା ବେଳେ ବୈଠକ ସରିବା ପରେ ପୁରୀରେ ବିହାର ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ ବୋଲି ନବୀନ କହିଥିଲେ । ତେବେ ଜେଡିୟୁର ଟୁଇଟର ଆକାଉଣ୍ଟରେ ଉଭୟଙ୍କ ଫଟୋ ସହିତ ନୀତୀଶ ବିରୋଧୀଙ୍କୁ ଏକଜୁଟ୍ କରୁଛନ୍ତି ବୋଲି ପୋଷ୍ଟ କରାଯିବା ପରେ ସେଥିପାଇଁ ଏ ଭେଟ୍‌ଘାଟ ବୋଲି କୁହାଯାଉଛି । ବଡ଼ ପ୍ରଶ୍ନ, ସବୁ ବେଳେ ସମଦୂରତାର କଥା କହୁଥିବା ନବୀନ, ନୀତୀଶଙ୍କୁ ଭେଟି କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ?

ନୀତିଶଙ୍କ ଟିମ୍ ସଦସ୍ୟ ତଥା ଜେଡିୟୁ ସଭାପତି ଲଲନ ସିଂ ଓ ଅନ୍ୟ ନେତାମାନେ ମଧ୍ୟ ନବୀନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି  ତା’ପୂର୍ବରୁ ନୀତୀଶ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବରିଷ୍ଠ ବିଧାୟକ ଦେବୀ ମିଶ୍ରଙ୍କ ତାଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ସିଧାସଳଖ ନୀତୀଶ ପହଞ୍ଚିଥିଲେ ନବୀନ ନିବାସରେ । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ହୋଇଥିଲା ଆଲୋଚନା । ବୈଠକ ପରେ ସେଠାରେ ଅପେକ୍ଷା କରିଥିବା ଗଣମାଧ୍ୟମକୁ ଦୁଇ ପୋଖତ ରାଜନେତା ଖାଲି ଏତିକି କହିଥିଲେ, କୌଣସି ରାଜୈନତିକ ପ୍ରସଙ୍ଗ କିମ୍ବା ମେଣ୍ଟ ଗଠନ ଉପରେ ଆଲୋଚନା ହୋଇ ନାହିଁ । ଏଥିସହ ପୁରୀରେ ତୀର୍ଥଯାତ୍ରୀଙ୍କ ପାଇଁ ବିହାର ଭବନ ନିର୍ମାଣ ହେବ । ଓଡ଼ିଶା ସରକାର ମାଗଣାରେ ଦେଢ ଏକର ଜମି ଯୋଗାଇ ଦେବେ ବୋଲି କହିଥିଲେ ନବୀନ। ତେବେ କୌଣସି ରାଜନୈତିକ ଆଲୋଚନା ହୋଇଛି କି ବୋଲି ପଚରାଯାଇଥିବା ପ୍ରଶ୍ନକୁ ନୀତୀଶ ଏଡାଇ ଯାଇଥିଲେ। ।

ଉଭୟ ମୁଖ୍ୟମନ୍ତ୍ରୀ ରାଜନୈତିକ ଆଲୋଚନା ହୋଇନଥିବା କହିଥିବା ବେଳେ ଜେଡିୟୁର ଅଫିସିଆଲ୍ ଟୁଇଟର ଆକାଉଣ୍ଟରେ କିନ୍ତୁ ନବୀନ-ନୀତୀଶଙ୍କ ଭେଟଘାଟର ଏକ ଫଟୋ ପୋଷ୍ଟ କରାଯାଇ, ବିରୋଧୀଙ୍କୁ ଏକଜୁଟ୍ କରୁଛନ୍ତି ନୀତୀଶ ବୋଲି ଉଲ୍ଲେଖ କରାଯାଇଛି ।

ନୀତୀଶଙ୍କ ଗତ କିଛିମାସର କାର୍ଯ୍ୟଧାରାକୁ ଦେଖିଲେ ବିରୋଧୀ ନେତାଙ୍କୁ ଏକଜୁଟ୍ କରିବା ଲାଗି ସେ ପ୍ରୟାସ ଚଳାଇଥିବା ସ୍ପଷ୍ଟ ହେଉଛି । ପୂର୍ବରୁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭଳି ଅନେକ ନେତାଙ୍କୁ ଭେଟିଥିଲେ । ସେହି ଏଜେଣ୍ଡା ନେଇ ନୀତୀଶ, ନବୀନଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି। ହେଲେ ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହେଲା, ନୀତୀଶଙ୍କ ପ୍ରସ୍ତାବରେ ନବୀନ ରାଜି ହେଲେ କି ନାହିଁ ସେ ପ୍ରଶ୍ନ ଉଙ୍କି ମାରୁଛି ।

ନବୀନ ବିଭିନ୍ନ ଦଳର ଟପ୍ ଲିଡରମାନଙ୍କୁ ଭେଟି ସବୁ ପ୍ରକାର ବିକଳ୍ପ ଖୋଲା ରଖିବାକୁ ଚାହୁଁଛନ୍ତି କି ? ବିଜେପିକୁ ଦେଖାଇବା ପାଇଁ ଏହା ଏକ ଷ୍ଟ୍ରାଟେଜି ନୁହେଁ ତ ?

  • Reported by:
  • HARIHARA CHAND