• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଜେଡି ପାଇଁ କାମ କରୁଛନ୍ତି ତାରା !

  • ଖାଲି ତାରା ନୁହଁନ୍ତି ତାଙ୍କ ପତ୍ନୀ ବି ବିଜେଡି ପାଇଁ କାମ କରୁଛନ୍ତି ।

  • କୁଲେସିକା ଆଣିଛନ୍ତି ତାରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ।

ଭୁବନେଶ୍ୱର: ବିଜେଡି ପାଇଁ କାମ କରୁଛନ୍ତି ତାରା । ଖାଲି ତାରା ନୁହଁନ୍ତି ତାଙ୍କ ପତ୍ନୀ ବି ବିଜେଡି ପାଇଁ କାମ କରୁଛନ୍ତି । କୋରାପୁଟର ବରିଷ୍ଠ ନେତା କୁଲେସିକା ଆଣିଛନ୍ତି ତାରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ । କଂଗ୍ରେସରେ ଗୋଟିଏ ବିବାଦ ନ ଥମୁଣୁ ଆଉ ଗୋଟିଏ ବିବାଦ ମୁଣ୍ଡ ଟେକିଲାଣି । କହିବାକୁ ଗଲେ କଂଗ୍ରେସର ପିଛା ଛାଡ଼ୁନି ବିବାଦ । ଆଉ ଏହି ବିବାଦ କାରଣରୁ କଂଗ୍ରେସ କ୍ଷତି ସହୁଥିବା କୁହନ୍ତି ରାଜନୀତି ବିଶେଷଜ୍ଞ ।

ପ୍ରଥମେ ନିରଞ୍ଜନଙ୍କୁ ଅଯୋଗ୍ୟ କହି ତାରା ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି ଥରେ ତାରାଙ୍କ ନାଁରେ ଆସିଛି ବଡ଼ ଅଭିଯୋଗ । କୋରାପୁଟର ବରିଷ୍ଠ ନେତା କୈଳାସ କୁଲେସିକା ଅଭିଯୋଗ କରିଛନ୍ତି ଯେ, ତାରା ବିଜେଡି ପାଇଁ କାମ କରୁଛନ୍ତି । କେବଳ ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ନୁହଁନ୍ତି ବରଂ ତାଙ୍କ ପତ୍ନୀ ତଥା କୋରାପୁଟ୍ କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ବିଜେଡି ପାଇଁ କାମ କରୁଛନ୍ତି ବୋଲି କହି ସାଂଘାତିକ ଅଭିଯୋଗ ଆଣିଛନ୍ତି କୈଳାସ କୁଲେସିକା । 

ସେ ଆହୁରି କହିଛନ୍ତି ଏସମ୍ପର୍କରେ ପିସିସି ପ୍ରଭାରୀ ଚେଲା କୁମାରଙ୍କୁ ଜଣାଇଥିଲେ । ହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କୁ ଦଳରେ ରହି କାମ କରିବାକୁ ବୁଝାଇ ଦିଆଗଲା । ଘଟଣାକୁ ନେଇ ତାରା କ୍ଷମା ପ୍ରାର୍ଥନା କରିଛନ୍ତି ସତ । ହେଲେ ଯଦି ସବୁ ଭୁଲ କ୍ଷମା ଦ୍ୱାରା ସମାଧାନ ହୋଇଯିବ, ତେବେ ସେ ମଧ୍ୟ ଭୁଲ କରିବେ ବୋଲି କହି ଚେତାବନୀ ଦେଇଛନ୍ତି କୈଳାସ କୁଲେସିକା । କୋରାପୁଟ ଜିଲ୍ଲାରେ କନ୍ଦଳର କାରଣ ହେଉଛନ୍ତି ତାରା ବୋଲି ସେ ଦୋହରାଇଛନ୍ତି ।

ସେପଟେ ତାରା ମଧ୍ୟ କୁଲେସିକାଙ୍କ ଏଭଳି ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି । ତାରାଙ୍କ କହିବା କଥା କୁଲେସିକା ତାଙ୍କର ସମସ୍କନ୍ଦ ନୁହଁନ୍ତି, ତେଣୁ ସେ ତାଙ୍କର ଏଭଳି ଆଚରଣ ନେଇ କିଛି କହିବାକୁ ଚାହାନ୍ତି ନାହିଁ । କୁଲେସିକା କଣ କରୁଛନ୍ତି ସେକଥା ପିସିସି ଓ AICC ଜାଣିଛନ୍ତି ବୋଲି କହି କଥାକୁ ଏଡ଼ାଇ ଦେଇଛନ୍ତି ତାରା ।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାର ଦୁଇ ବରିଷ୍ଠ ନେତା ହେଉଛନ୍ତି ତାରା ବାହିନୀପତି ଓ କୈଳାସ କୁଲେସିକା । ପ୍ରଥମେ ପିସିସି ସଭାପତିଙ୍କ ନାଁରେ ବିଷୋଦଗାର କରିଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ପରେ ନିରଞ୍ଜନଙ୍କୁ ବଡ଼ ଭାଇ ବୋଲି କହିଥିଲେ । ସେପଟେ ଚେଲ୍ଲା କୁମାର ମଧ୍ୟ ଶୁଣାଇଥିଲେ ଚରମ ବାଣୀ । ସେ କହିଥିଲେ ଯିଏ କଂଗ୍ରେସ ଛାଡ଼ିବାକୁ ଚାହୁଁଛନ୍ତି ସେମାନେ ପଳାନ୍ତୁ । କିଛି ଚିନ୍ତା ନାହିଁ । କଂଗ୍ରେସ ଚିନ୍ତାଧାରାକୁ ଭଲପାଉଥିବା, ନେତୃତ୍ୱକୁ ଭରସା କରୁଥିବା ଲୋକ ଦଳରେ ରହିବେ । ବହୁ ନେତା ଦଳ ଛାଡ଼ିଛନ୍ତି, ତା ପରେ ବି କଂଗ୍ରେସ ଶକ୍ତିଶାଳୀ ହୋଇଛି । ତେବେ ତାରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମନା କରିଥିଲେ ଚେଲ୍ଲା କୁମାର ।