• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପି ସମର୍ଥିତଙ୍କୁ ଡରାଉଛି ବଜେଡି । ବ୍ଲକ୍‌ ଚେୟାର ମ୍ୟାନ୍‌ ନିର୍ବାଚନ ପୂର୍ବରୁ ବିଜେପି ସମର୍ଥିତ ସମିତି ସଭ୍ୟଙ୍କୁ ଡରାଉଛି ବିଜେଡି । କେତେବେଳେ ଧମକ ଚମକ ଦେଉଛି ତ କେତେବେଳେ ପୋଲିସ ପ୍ରଶାସନର ଭୟ ଦେଖାଉଛି ବିଜେଡି । ଏମିତିକି ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ଘରେ ରାତି ଅଧିଆ ଚଢ଼ାଉ କରୁଛି ପୋଲିସ । ଆଉ ନାନା ପ୍ରକାର ହଇରାଣ କରୁଛି । ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । 

ବ୍ଲକ ଚେୟାରମ୍ୟାନ ନିର୍ବାଚନ ପୂର୍ବରୁ ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ଉପରେ ମିଛ କେସ କରାଯାଉଛି । ଗୋଡେଇ ଗୋଡେଇ ତାଙ୍କୁ ଘରୁ ଉଠାଇ ନିଆଯାଉଛି । ଏମିତିକି ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ନାଁରେ ଅପହରଣର ମିଛ କେସ ସହ ଘରେ ଗଞ୍ଜେଇ ରଖି ମାମଲା କରିବାର ଧମକ ଦିଆ ଯାଉଛି । ଅସ୍ତରଙ୍ଗରେ ଏଭଳି ୮ ଜଣଙ୍କ ଘରେ ରେଡ୍‌ କରିଛି ପୋଲିସ । ଅପହରଣ ହୋଇଛି ବୋଲି କହି ପୋଲିସ ତାଙ୍କୁ ଉଠେଇବାର ଚେଷ୍ଟା କରୁଛି । ଅନୁସୂଚିତ ଜାତି ଓ ଜନଜାତି ସମିତିସଭ୍ୟଙ୍କ ଉପରେ ବେଶି ଜୁଲମ କରାଯାଉଛି ।

ତେବେ ଜୋର ଜବରଦସ୍ତ ଭୋଟ ଗ୍ରହଣୀୟ ନୁହେଁ । ତୁରନ୍ତ ନିର୍ବାଚନ ଆୟୋଗ ଏଥିରେ ହସ୍ତକ୍ଷେପ କରନ୍ତୁ । ପୋଲିସ ସରକାରଙ୍କ ହାତ ବାରିସି ସାଜି ବିଜେଡି ପାଇଁ ସମିତି ସଭ୍ୟ ଯୋଗାଡ଼ କରିବା ବନ୍ଦ କରୁ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ତେବେ ଲେଖାଶ୍ରୀଙ୍କ ଅଭିଯୋଗକୁ ନେଇ ବିଜେଡି ଏବେ ସୁଦ୍ଧା କୌଣସି ପ୍ରତିକ୍ରିୟା ରଖିନାହିଁ ।  

ତେବେ ଏହା ପୂର୍ବରୂ ଗତକାଲି ୟୁପି ବିଜେପି ବିରୋଧରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବଡ଼ ଅଭିଯୋଗ ଆଣିଥିଲେ । ସେ କହିଥିଲେ ବିଜେପି ଇଭିଏମ୍‌ ଟ୍ରାମ୍ପରିଂ କରୁଛି । ୟୁପିରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ କହିଛନ୍ତି ଭୋଟ୍ ଗଣତି କେନ୍ଦ୍ରରୁ ଇଭିଏମ ଚୋରି କରାଯାଇଛି । ଯାହାର ଭିଡିଓ ଫୁଟେଜ୍ ପ୍ରମାଣ ତାଙ୍କ ନିକଟରେ ରହିଛି । ବାରଣସୀର ଏକ ସ୍ଥାନରୁ ତିନିଟି ଟ୍ରକରେ ଇଭିଏମ୍ ଯାଇଥଲା, ଯାହା ଭିତରୁ ଗୋଟିଏକୁ ସମାଜବାଦୀ ପାର୍ଟି କର୍ମୀମାନେ ପିଛା କରିଥିଲେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେ ଶୁଣୁନଥିବା କହିଛନ୍ତି ଅଖିଳେଶ । ସେପଟେ ଏସବୁ ଇଭିଏମ୍ ତାଲିମ୍ ଉଦ୍ଦେଶ୍ୟରେ ଯାଉଥିବା ସ୍ଥାନୀୟ ପ୍ରଶାସନ କହିଥିଲେ ବି ପ୍ରଶାସନର ଏହି ଦାବିକୁ ଗ୍ରହଣ କରି ପାରି ନାହାନ୍ତି ଅଖିଳେଶ ।