• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାରମ୍ପରିକ ବାଦ୍ୟ ସହ ନାଚଗୀତ । ଘୋଡ଼ାନାଚ, ବାଘ ନାଚ, ଆଦିବାସୀ ନୃତ୍ୟ ଓ ସଂକୀର୍ତ୍ତନରେ ଉଠୁଥିଲା ପଡୁଥିଲା ସାରା ପରିବେଶ । ବିଜୁ ପଟ୍ଟନାୟକ ବିମାନ ବନ୍ଦର ପୁରା ଉତ୍ସବ ମୁଖର ହୋଇ ଉଠିଥିଲା । ଲୋକଙ୍କ ହାତରେ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିଲା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଖୁସିରେ ଝାଞ୍ଜ ବଜାଉଥିବା ଦେଖିବାକୁ ମିଳିଥିଲା । ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ବିମାନ ବନ୍ଦରରେ ସ୍ୱାଗତ ପାଇଁ ଏଭଳି ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା ।

ସେପଟେ ଦ୍ରୌପଦୀ ପହଚିଂବା ପରେ ବିମାନବନ୍ଦର ଭିତରେ ବିଜେଡିର ମନ୍ତ୍ରୀ, ବିଧାୟକ, ସାଂସଦମାନେ ତାଙ୍କୁ ସ୍ୱାଗତ କରିଥିଲେ । ବିଜେପିର ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ତାପରେ ତାଙ୍କୁ ପାଛୋଟି ନିଆଯାଇଥିଲା ରାଜ୍ୟ ଅତିଥି ଭବନକୁ ।

କିଛି ସମୟ ବିଶ୍ରାମ ପରେ ସେ ପହଚିଂଥିଲେ ବିଧାନସଭାରେ । ଯେଉଁଠି ଦିନେ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ରାଇରଙ୍ଗପୁରରୁ ପ୍ରତିନିଧିତ୍ୱ କରୁଥିଲେ । ନିଜ ଅଞ୍ଚଳର ଏବଂ ଓଡ଼ିଶାର ସ୍ୱାର୍ଥ କଥା ଉଠାଉଥିଲେ । ଏଇ ବିଧାନସଭାରେ ଦିନେ ମନ୍ତ୍ରୀ ଭାବେ ବସୁଥିବା ଦ୍ରୌପଦୀ ଏବେ ଦେଶର ସର୍ବୋଚ୍ଚ ପଦବୀ ପାଇଁ ହେଉଥିବା ନିର୍ବାଚନର ପ୍ରାର୍ଥୀ । ବିଧାନସଭାରେ ଦ୍ରୌପଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତାମାନେ ସ୍ୱାଗତ କରିଥିଲେ ।

ତାପରେ ବିଜେଡିର ବିଧାୟକ, ସାଂସଦଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ସଭା କାର୍ଯ୍ୟ । ଯଦିଓ ବିଜେଡି ସମର୍ଥନ ଘୋଷଣା କରିସାରିଛି । ତଥାପି ଔପଚାରିକତା ଦୃଷ୍ଟିରୁ ଭୋଟ ଦେବାକୁ ଅପିଲ୍ କରିଥିଲେ ଦ୍ରୌପଦୀ । ଆଉ ଦ୍ରୌପଦୀ କହିଥିଲେ ନବୀନ ତାଙ୍କ ଭାଇ । ତାଙ୍କୁ ରାକ୍ଷୀ ବାନ୍ଧିଥିଲେ, ସମର୍ଥନ ମାଗିବା ପୂର୍ବରୁ ନବୀନ ତାଙ୍କୁ ସମର୍ଥନ ଦେଇଦେଇଛନ୍ତି ବୋଲି ସେ କହିଥିଲେ ।

ସେପଟେ ବିଧାନସଭାରେ ବୈଠକ ଶେଷ ହେବା ପରେ ପୁଣି ଦ୍ରୌପଦୀ ରାଜ୍ୟ ଅତିଥି ଭବନକୁ ଫେରିଥିଲେ । ସେଠାରେ ସେ ବିଜେପିର ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ତାଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ଶୀର୍ଷ ନେତୃତ୍ୱକୁ ଧନ୍ୟବାଦ ଦେଇଥିଲେ ଦଳର ନେତାମାନେ । କେମିତି ଭୋଟ ଦିଆଯିବ ସେ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ରସିଂହ ଶେଖାୱତ ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଅବଗତ କରାଇଥିଲେ ।

ଶେଷରେ ନବୀନ ନିବାସରେ ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ଦ୍ରୌପଦୀ ମୁର୍ମୁ, ତାଙ୍କ ସଙ୍ଗେ ଥିଲେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ଓ ସାଂସଦ ପିନାକୀ ମିଶ୍ର ।