• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨୪ ମହାସମର ପୂର୍ବରୁ ରାଜନୈତିକ ଦଳଙ୍କ ମହାମେଳି । ଶକ୍ତି ପ୍ରଦର୍ଶନ ମୁଡରେ ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ସମେତ ମିଳିତ ବିରୋଧୀ ଆଜିଠୁ ବେଙ୍ଗାଲୁରୁରେ ୨ ଦିନିଆ ବୈଠକ ଆରମ୍ଭ କରିଥିବା ବେଳେ, ବିଜେପି ନେତୃତ୍ୱାଧୀନ NDA କାଲି ଦିଲ୍ଲୀରେ ବଳ ଦେଖାଇବ । ପୂର୍ବରୁ ପାଟନା ବୈଠକରେ ୧୫ଟି ଦଳକୁ ଗୋଟିଏ ମଂଚକୁ ଆଣି ପାରିଥିବା ବିରୋଧୀ ଏଥର ସଂଖ୍ୟା ୨୪କୁ ବଢ଼ିବ ବୋଲି ଆଶା ରଖିଛି । ତେଣେ NDA ବୈଠକରେ ୩୮ଟି ଦଳ ଏକାଠି ହେବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଣେ ବିଜେଡି ସମଦୂରତା ନୀତିରେ ବଜାୟ ରହିଥିବା ଦୋହରାଇଛି ।

ବୈଠକରେ କଂଗ୍ରେସରୁ ସୋନିଆ, ରାହୁଲ ଓ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇଛନ୍ତି । ଏଥିସହ ସାମିଲ ହୋଇଛନ୍ତି ମମତା, ଅଖିଳେଶ, ନୀତୀଶ,ଲାଲୁ, ତେଜସ୍ୱୀ, ଫାରୁକ୍, ମେହବୁବା ଓ ଷ୍ଟାଲିନଙ୍କ ଭଳି ଅନେକ ହେଭିୱେଟ୍ । ତାଛଡ଼ା ଜେଏମ୍ଏମ୍, ବାମପନ୍ଥୀ, ଶିବସେନାର ଉଦ୍ଧବ ଗୋଷ୍ଠୀ ଓ ଏନ୍ସିପିର ଶରଦ-ସୁପ୍ରିୟା ଗୋଷ୍ଠୀ ସମେତ ପ୍ରାୟ ୨୪ଟି ଦଳ ଏହି ମେଳିରେ ଯୋଗ ଦେଉଛନ୍ତି । ପୂର୍ବରୁ ପାଟନା ବୈଠକକୁ ଉପେକ୍ଷା କରିଥିବା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ, ବେଙ୍ଗଳୁରୁ ବୈଠକରେ ସାମିଲ ହେଉଛନ୍ତି । ଏହି ବୈଠକରେ ଇଭିଏମ୍, ଲୋକସଭା ସିଟ୍ ସେୟାରିଂ, ଏପିରିକି ମିଳିତ ବିରୋଧୀ ମେଣ୍ଟର ନୂଆ ନାଁ ସଂପର୍କରେ ଆଲୋଚନା ହେବାକୁ ଥିବା ବେଳେ, ଏହା ଗେମ୍ ଚେଞ୍ଜର ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି କଂଗ୍ରେସ । ସେପଟେ ବିରୋଧୀ ମେଳିକୁ ବିଜେପି ସ୍ୱାର୍ଥପର ଗଠବନ୍ଧନ ବୋଲି କହିଛି ।

ଏଣେ ବେଙ୍ଗାଳୁରୁରେ ୨୪ ବିରୋଧୀ ଦଳଙ୍କ କସରତ, ତେଣେ ଦିଲ୍ଲୀରେ ୩୮ ଦଳକୁ ଏକାଠି କରି ଏନ୍‌ଡିଏର ପାଗଭିଡ଼ା । ଆସନ୍ତାକାଲି ବିଜେପି ନେତୃତ୍ୱାଧୀନ ଏନଡିଏର ୩୮ଟି ଦଳ ଏକାଠି ଶକ୍ତି ପ୍ରଦର୍ଶନ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଏଥିରେ ଚିରାଗ ପାଶ୍ବାନଙ୍କ LJP, ଉତ୍ତରପ୍ରଦେଶର ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି, ଜିତନ ରାମ ମାଂଝିଙ୍କ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଆଦି ଦଳ ସାମିଲ ହେଉଛନ୍ତି । ଏଥର ଏନ୍‌ଡିଏ ବୈଠକରେ ଏନ୍‌ସିପି’ର ଅଜିତ ପାୱାର ଗୋଷ୍ଠୀ ଏବଂ ଶିବସେନାର ସିନ୍ଦେ ଗୋଷ୍ଠୀ ମଧ୍ୟ ସାମିଲ ହେବେ । ବୈଠକର ଅବ୍ୟବହିତ ପୂର୍ବରୁ ଆଜି ଚିରାଗ ପାଶୱାନ୍ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ବେଳେ, ଆସନ୍ତାକାଲି ଜନସେନା ମୁଖ୍ୟ ତଥା ସାଉଥ୍ ସୁପରଷ୍ଟାର ପୱନ କଲ୍ୟାଣ ମଧ୍ୟ ବୈଠକରେ ଯୋଗ ଦେଇ ୨୪ ରୋଡମ୍ୟାପ୍ ସଂପର୍କରେ ଆଲୋଚନା କରିବେ ।

କେ.ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍, ଜଗନମୋହନ ରେଡ୍ଡିଙ୍କ ୱାଇଏସ୍ଆର୍ କଂଗ୍ରେସ, ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି, ଏଚ.ଡି. ଦେବଗୌଡ଼ାଙ୍କ ଜେଡିଏସ୍ ଏବଂ ଅକାଳି ଦଳ ଆଦି କୌଣସି ମେଣ୍ଟରେ ସାମିଲ ହେବେ କି ନାହିଁ ତାକୁ ନେଇ ସସପେନ୍ସ ଜାରି ରହିଛି । ସେପଟେ ବିଜେଡି ନିଜ ସମଦୂରତା ନୀତିରେ କାଏମ ରହି, କୌଣସି ବୈଠକରେ ସାମିଲ ହେବନାହିଁ ବୋଲି ସ୍ପଷ୍ଟ କରିଛି ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଦୁଇ ମେଣ୍ଟ ଏବେଠାରୁ ଅଣ୍ଟା ଭିଡିଥିଲେ ମଧ୍ୟ, କିଛି ଦିନ ଭିତରେ ହେବାକୁ ଥିବା ୫ଟି ରାଜ୍ୟର ନିର୍ବାଚନ ହିଁ ଦୁଇମେଣ୍ଟ ପାଇଁ ହେବ ଅସଲ ପରୀକ୍ଷା ।