• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା । ଛିନଛତ୍ର ଛାତ ଓ କାନ୍ଥ, ଇତଃସ୍ତତ ଆସବାବପତ୍ର । କେତେ ଭୟଙ୍କର ଥିଲା ବ୍ଲାଷ୍ଟ, ସ୍ପଷ୍ଟ ବୟାନ କରୁଛି ଘଟଣାସ୍ଥଳ ଓ ପାରିପାର୍ଶ୍ୱିକ ପରିସ୍ଥିତି । ସମୟ ଗତକାଲି ରାତି ପ୍ରାୟ ୧୨ଟା ୦୫ । ହଠାତ୍ ବଳଙ୍ଗା ଥାନା ପରିସରରେ ହୋଇଥିଲା ଶକ୍ତିଶାଳୀ ବିସ୍ଫୋରଣ । ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ଆଖପାଖ ଅଞ୍ଚଳ । ଲୋକେ ପହଞ୍ଚିଥିଲେ, ହେଲେ ଥାନା ଜାଣି ପାଖ ମାଡ଼ିନଥିଲେ । କେବଳ ଏତିକି ଜଣାଥିଲା ମାଲଖାନା ଡ୍ୟୁଟିରେ ଥିବା ସେଣ୍ଟ୍ରି ଜଣକ ସୁରକ୍ଷିତ ଅଛନ୍ତି ।

ଖବର ପାଇ ରାତି ଅଧରେ ପୁରୀ ଏସ୍‌ପି କନଓ୍ୱର ବିଶାଲ ସିଂ ଓ ଆଜି ସକାଳେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ସାଇଣ୍ଟିଫିକ୍ ଟିମ୍, ଫୋରେନସିକ୍ ଟିମ୍, ବମ୍ ଡିସପୋଜାଲ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ତନ୍ନତନ୍ନ କରି ଯାଞ୍ଚ କରି ନମୁନା ସଂଗ୍ରହ କରିଛନ୍ତି । କେନ୍ଦ୍ରାଞ୍ଚଳ ଆଇଜିଙ୍କ ସୂଚନା ଅନୁସାରେ, ଥାନାର ମାଲଖାନାରେ କିଛି ଜବତ ବିସ୍ଫୋରକ ଦ୍ରବ୍ୟ ରହିଥିଲା । କୌଣସି କାରଣରୁ ଏଥିରେ ବିସ୍ଫୋରଣ ଘଟିଛି ।

ତେବେ ଏଠି ପ୍ରଶ୍ନ, ଥାନା ଭିତରେ କେଉଁ ପରିସ୍ଥିତିରେ ଏତେ ଶକ୍ତିଶାଳୀ ବିସ୍ଫୋରକ ଦ୍ରବ୍ୟ ରଖାଯାଇଥିଲା ? ଯଦି ଜବତ କରାଯାଇ ଅଣାଯାଇଥିଲା, ତାକୁ କାହିଁକି ଅକାମୀ କରାଯାଇ ନଥିଲା ? ବିସ୍ଫୋରଣ କ୍ଷୟକ୍ଷତି ପାଇଁ କାହାକୁ ଦାୟୀ କରାଯିବ ? ଜନତା ଏସବୁର ଜବାବ ମାଗିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି-ଯେଉଁ ଅଧିକାରୀ ବିସ୍ଫୋରକ ଦ୍ରବ୍ୟ ରଖିଥିଲେ, ତାକୁ ନେଇ ତଦନ୍ତ ହେବ ଓ ଦୋଷୀଙ୍କ ବିରୋଧରେ ଆକ୍ସନ ହେବ ।

ତେଣେ ଦିନକ ପରେ ପିପିଲି ଭୋଟ୍ ଥିବାବେଳେ ବଳଙ୍ଗା ଥାନା ବିସ୍ଫୋରଣକୁ ନେଇ ତେଜିଛି ରାଜନୀତି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛନ୍ତି-ବିସ୍ଫୋରଣ ଥାନା ଭିତରୁ ହୋଇଛି ନା ବାହାରୁ ? ନିକଟରେ ସାତଶଙ୍ଖରେ ବିଜେପି ଅଫିସରେ ବୋମାମାଡ଼ ହୋଇଥିଲା । ପିପିଲିରେ ଗ୍ୟାଙ୍ଗୱାର ଆଗରୁ ଚାଲିଛି ଆଉ ଏବେ ଥାନାରେ ବିସ୍ଫୋରଣ । ଯଦି ରକ୍ଷକ ସୁରକ୍ଷିତ ନୁହେଁ, ତେବେ ଲୋକେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିବା ସହ ପରୋକ୍ଷରେ ଶାସକ ଦଳ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ସମ୍ବିତ ।

ଜବାବରେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି-ବଳଙ୍ଗା ବିସ୍ଫୋରଣ ଘଟଣାର ତଦନ୍ତ କରିବା ଦାୟିତ୍ୱ ରାଜ୍ୟ ଗୃହ ବିଭାଗର । ତେଣେ କଂଗ୍ରେସ ବି ଏହି ଘଟଣାରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରି କହିଛି ପିପିଲି ଭୋଟରଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହା ଏକ ଚାଲ୍ ।