• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଯୋଗ୍ୟ ହିତାଧିକାରୀଙ୍କୁ ସ୍ବପ୍ନ ପରି ଲାଗିଲାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତାଲିକାରେ ନାଁ ଥିଲେ ବି କେବେ ଘର ମିଳିବ ସେକଥା କାହାକୁ ଜଣାନାହିଁ । ଗ୍ରାଉଣ୍ଡ ଜିରୋରୁ ଏଭଳି ପୁଳା ପୁଳା ଚିତ୍ର ଆସିବାରେ ଲାଗିଛି । ଏଣେ କିନ୍ତୁ ଘର ବଣ୍ଟନ ପ୍ରତିଶ୍ରୁତିକୁ ନେଇ ରାଜନୀତି ଥମିବାର ନାଁ ନେଉନି । ରାଜ୍ୟରେ ପ୍ରକ୍ରିୟା ଶେଷ କରି ଖୁବଶୀଘ୍ର ୯ ଲକ୍ଷ ଆବାସ ବଣ୍ଟାଯିବ ବୋଲି ଗତକାଲି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା ପରେ ତାଲିକାର ସ୍ବଚ୍ଛତାକୁ ନେଇ ବିଜେପି ପଚାରିଛି ୪ଟି ପ୍ରଶ୍ନ । ତା’ସହ ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ପୁଣି ବାହାସ୍ଫୋଟ, ପୁଣି ଆବାସ ଘର ପ୍ରତିଶ୍ରୁତି ଭେଳିକି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗତକାଲି ନିଜ ବିଭାଗର କାର୍ଯ୍ୟ ସମୀକ୍ଷା ଅବସରରେ କହିଛନ୍ତି, ଖୁବଶୀଘ୍ର ୯ ଲକ୍ଷ ଆବାସ ରାଜ୍ୟରେ ବଣ୍ଟାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ହିତାଧିକାରୀ ଚୟନ ତ୍ରୁଟି ସଂପର୍କରେ ଗ୍ରାଉଣ୍ଡରୁ ଆସିଥିବା ଆପତ୍ତି ଅଭିଯୋଗର ତର୍ଜମା ସରିଛି । ୬୭୨୨ ପଞ୍ଚାୟତ ଦେଇଥିବା ସେମାନଙ୍କ ଚୂଡ଼ାନ୍ତ ହିତାଧିକାରୀ ତାଲିକା ଅନୁମୋଦନ ପାଇସିରିଛି । ଖୁବଶୀଘ୍ର ଆବାସ ଯୋଗାଇ ଦିଆଯିବ। 

ତେଣେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଏଭଳି ଅସ୍ପଷ୍ଟ ଘର ଆବଣ୍ଟନ ସମୟକୁ ନିଶାନା କରିବା ସହ ବିଜେପି କହିଛି, ଗତ ଜାନୁଆରୀ ମାସରୁ କେନ୍ଦ୍ର ସରକାର ଓଡ଼ିଶାକୁ ୯ଲକ୍ଷ ୫୯ ହଜାରରୁ ଅଧିକ ପିଏମ୍ ଆବାସ ଯୋଗାଇ ଦେଇଥିଲେ ବି ରାଜ୍ୟ ସରକାର ହିତାଧିକାରୀଙ୍କ ତାଲିକା ଧରି ବସିଛନ୍ତି ।

ଯେହେତୁ ପ୍ରତି ଗାଁରେ ହିତାଧିକାରୀ ଚୟନରେ ଅନିୟମିତତାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି, ତେଣୁ ଘର ବାଣ୍ଟିବାକୁ ସାହସ ଜୁଟାଇ ପାରୁନାହାନ୍ତି। ୨୦୧୯ ପରଠୁ ଆବାସ ପାଇନଥିବା ଯୋଗ୍ୟ ଲୋକଙ୍କ ପାଇଁ ସରକାରୀ ଘର ସ୍ୱପ୍ନ ପାଲଟିଛି। ରାଜନୈତିକ ଉଦ୍ଦେଶ୍ୟ ରଖି ସର୍ଭେ ହୋଇଥିବାରୁ ସାଢ଼େ ୪ ଲକ୍ଷ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। 

ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ ୪ଟି ପ୍ରଶ୍ନ ବି ପଚାରିଛି ବିଜେପି। ସେଗୁଡିକ ହେଲା..

  1. ୧-ହିତାଧିକାରୀଙ୍କୁ କେବେ କାର୍ଯ୍ୟାଦେଶପତ୍ର ମିଳିବ, ସେ ନେଇ କେବେ ତାରିଖ ଘୋଷଣା ହବ ?
  2.  ୨- ଯେଉଁ ତାଲିକା ଦେବେ ସେଥିରୁ ଅଯୋଗ୍ୟଙ୍କ ନାମ ଉଚ୍ଛେଦ ହେବ ତ ?  
  3. ୩- ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେବେ ସାର୍ବଜନୀନ କରିବେ ? 
  4. ୪- ବାକି ଥିବା ଲୋକଙ୍କ ନାଁ କେବେ ତାଲିକାରେ ଯୋଡ଼ିବେ ? 

ଏସବୁ ପ୍ରଶ୍ନର ଉତ୍ତର ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଦଳ ।

ବାସୁଦେବପୁର ବ୍ଲକ୍ ବୀଣାପଦା ଗାଁରେ ଦିବ୍ୟାଙ୍ଗ ଶ୍ରୀକାନ୍ତ ମଲ୍ଲିକ । ଜରିପାଲ ଘେରା ଘରେ ଜୀବନ ବିତୁଥିବା ଶ୍ରୀକାନ୍ତଙ୍କର ୬ମାସ ତଳୁ ହିତାଧିକାରୀ ତାଲିକାକୁ ନାଁ ଉଠିଛି, ହେଲେ ଘର କେବେ ମିଳିବ ଜାଣିବାକୁ ବ୍ଲକକୁ ଧାଇଁ ଧାଇଁ ନିରାଶ ହେଲେଣି । ତାଙ୍କ ଭଳି ଗାଁର ରତିକାନ୍ତ ସେନାପତି ଓ ଗୟାଧର ମଲ୍ଲିକ, ସମସ୍ତଙ୍କ ପାଇଁ ଆବାସ ଘର, ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି।

ସେମିତି ସୋର ବ୍ଲକ ସରଳିଆ ଗାଁରେ ଦୁଇ ଯୋଗ୍ୟ ହିତାଧିକାରୀ ଶୁକଦେବ ବେହେରା ଓ କେଦାରନାଥ ବେହେରା । ତାଙ୍କ ଘର ଭିତରର ଅବସ୍ଥା ଦେଖନ୍ତୁ, ଦିନରେ ଖରା ଓ ରାତିରେ ତରା ତାଙ୍କ ପାଇଁ ସବୁଦିନିଆ କଥା । ତାଲିକାରେ ନାଁ ଅଛି, ଘର ମିଳିବ। ଏକଥା ଶୁଣି ଶୁଣି କାନ ବଧିରା ହୋଇଗଲାଣି, ଏଣେ ବର୍ଷା ଦିନ ପାଖେଇ ଆସୁଥିବାରୁ ଦଦରା ଘରେ କେମିତି ମୁଣ୍ଡ ଗୁଞ୍ଜିବେ, ସେ କଥା ଭାବି ଚିନ୍ତା ବଢ଼ି ଯାଇଛି ।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଆବାସ ତାଲିକାକୁ ନେଇ ରାଜନୈତିକ କଳି ଛିଡୁନି ତ ଅନ୍ୟପଟେ ଘର ଅପେକ୍ଷାରେ ଥିବା ହିତାଧିକାରୀଙ୍କ ଅପେକ୍ଷାର ଅନ୍ତ ହେଉନି ।

  • Reported by:
  • KAPILENDRA PRADHAN , Suryadoya Biswal , Niranjan Behera

OTV is now on Whatsapp

Join and get latest news update delivered to you via whatsapp

Join Now