/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742917878.jpg)
ଧୋଇଯାଉଛି ବିଧାନସଭା
ବିଧାନସଭାର ଚଳିତ ଅଧିବେଶନରେ ବିରୋଧୀଙ୍କ ଲଗାତର ବିଶୃଙ୍ଖଳିତ ଆଚରଣ ପାଇଁ ଧୋଇ ଗଲାଣି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ ଓ ମୂଲ୍ୟବାନ ଆଲୋଚନା ସମୟ । ଆଜିକୁ ଦୀର୍ଘ ୧୧ ଦିନ ଧରି ଗୋଟିଏ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକଙ୍କ ରୀତିମତ ହଲ୍ଲାବୋଲ ଏବଂ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ପାଇଁ ଠିକରେ ଚାଲି ପାରୁନି ଗୃହ । ଅଧିବେଶନ କାଳରେ ବିଧାନସଭା ଚାଲିବା ପାଇଁ ଦିନକୁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏପରି ସ୍ଥଳେ ବାଚସ୍ପତିଙ୍କ ପାଞ୍ଚ ପାଞ୍ଚ ଥର ସର୍ବଦଳୀୟ ଡାକି ବିରୋଧୀଙ୍କୁ ସନ୍ତୁଷ୍ଟ କରିବାର ପ୍ରୟାସ ବିଫଳ ହୋଇଥିବା ବେଳେ ଅଚଳ ହୋଇଛି ବିଧାନସଭା ।
ଅଧିକ ପଢ଼ନ୍ତୁ: ତାମିଲନାଡୁ ଶରଣରେ ନବୀନ, ବଦଳାଇଲେ ଷ୍ଟାଣ୍ଡ
ବିଧାନସଭାରେ ବିରୋଧୀଙ୍କ ରୀତିମତ ହଙ୍ଗାମା । କଂଗ୍ରେସ ସଦସ୍ୟଙ୍କ ଲଗାତର ବିଶୃଙ୍ଖଳିତ ଆଚରଣ । ଗୃହ ଭିତରେ ହାତାହାତି ପରିସ୍ଥିତି ଭିତରେ । ବିଧାନସଭାକୁ ଚଳାଇ ନଦେବାର ଯୋଜନାବଦ୍ଧ ଉଦ୍ୟମ ! ଗଲା ଶୁକ୍ରବାର, ଗତକାଲି ଓ ଆଜି । ୩ ଦିନ ଧରି ଏମିତି ଗୃହ ଓ ଗୃହ ବାହାରେ ଘଣ୍ଟପିଟି, ଗିନି ବଜାଇ, ତୁରୀ ଫୁଙ୍କି ଆଉ ବଂଶୀ ବଜାଇ ଏମିତି ଆଚରଣ କରି ଆସୁଥିଲେ କଂଗ୍ରେସ ସଦସ୍ୟ । ତା ପୂର୍ବରୁ ଗତ ୨୦ ତାରିଖରେ ହ୍ବିସିଲ୍ ଫୁଙ୍କି ଗୃହକୁ ଅଚଳ କରିଥିଲେ ।
ସେପଟେ ବିରୋଧୀ ବିଜେଡି ବି ସମାନ୍ତରାଳ ଭାବେ ଜାରି ରଖି ଆସୁଥିଲା ବିରୋଧ ପ୍ରଦର୍ଶନ । ଫଳରେ ମାର୍ଚ୍ଚ ୭ରୁ ଆରମ୍ଭ ହୋଇଥିବା ବିଧାନସଭା ବଜେଟ୍ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟରେ ପ୍ରଶ୍ନକାଳ ଆଦୌ ଚାଲି ପାରିନଥିଲା । ଯାହା ଫଳରେ ରାଜ୍ୟର ବିଭିନ୍ନ ଅଂଚଳର ପ୍ରସଙ୍ଗ ଉଠାଇବାରୁ ବଂଚିତ ହୋଇଥିଲେ ବିଧାୟକ ।
ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଆଜିକୁ ୧୧ ଦିନ ହେବ ଲାଗି ରହିଛି ଏଭଳି ଅଚଳାବସ୍ଥା । ଯାହା ପାଇଁ ସରକାରୀ ତହବିଲରୁ ବର୍ବାଦ ହେଉଛି କୋଟି କୋଟି ଟଙ୍କା । ଅଧିବେଶନ ବେଳେ ବିଧାନସଭା ଗୋଟିଏ ଦିନ ଚାଲିବାକୁ ଖର୍ଚ୍ଚ ହେଉଛି ପ୍ରାୟ ୭୦ ଲକ୍ଷ ଟଙ୍କା । ଆଉ ବିରୋଧୀଙ୍କ ଏ ନିୟମିତ ଏବଂ ଧାରାବାହିକ ବିଶୃଙ୍ଖଳିତ ଆଚରଣ ପାଇଁ ଏ ବ୍ୟୟବହୁଳ ପ୍ରକ୍ରିୟା ଭିତରେ ଲୁଚି ଯାଉଛି ସାଧାରଣ ଲୋକଙ୍କ ସ୍ବାର୍ଥ ସମ୍ବଳିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଧୋଇ ଯାଉଛି ମୂଲ୍ୟବାନ ପ୍ରଶ୍ନକାଳ ସମୟ । ଏହାର ସମାଧାନ ଲାଗି ବାଚସ୍ପତି ୟା ଭିତରେ ପାଞ୍ଚ ପାଞ୍ଚ ଥର ସର୍ବଦଳୀୟ ବୈଠକ ବି ଡାକିଥିଲେ । ସେହିଭଳି ଗୃହ ବାରମ୍ବାର ମୁଲତବୀ ହେଉଥିବାରୁ ବିଧାନସଭାରେ ବିରୋଧୀଙ୍କ ଆଚରଣକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କିନ୍ତୁ ବିରୋଧୀ କଂଗ୍ରେସ ଗୋଟିଏ ପ୍ରସଙ୍ଗକୁ ନେଇ ଅଡ଼ି ବସିବା ସହିତ ବିରୋଧ ପ୍ରଦର୍ଶନରୁ ବିରତ ହୋଇନଥିବାରୁ ଗୁରୁତର ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)