/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741769232.jpg)
Odisha Assembly Fight
ଦେଶ ଦେଖିଲା ଓଡ଼ିଶା ବିଧାୟକଙ୍କ ବ୍ୟବହାର । ବିଧାନସଭାକୁ କରିଦେଲେ କ୍ଲବ ଘର ? ଗଣତନ୍ତ୍ର ମନ୍ଦିରରେ ଗଣ୍ଡଗୋଳ । ଜନତାଙ୍କ ପ୍ରତିନିଧି ହେଲେ ବାଡ଼ିଆପିଟା । ଓଡ଼ିଶା ସ୍ବାର୍ଥ ପଛ, ଆଗ ହେଲା ଏମାନଙ୍କ ଅହଂକାର । କାହାକୁ ଆପଣ କହିବେ ଠିକ୍ ? ଶାସକ ନା ବିରୋଧୀ ? ମନ୍ତ୍ରୀ ନା ବିଧାୟକ ? ନିଜ ଜିଦ୍ରେ ଅଟଳ ସମସ୍ତେ । ହାଇଡ୍ରାମା କରିବାକୁ ମଉକା ଖୋଜୁଛନ୍ତି ଯେମିତି । କେହି କାହାଠୁ କମ୍ ନୁହେଁ, କେହି କାହାଠୁ ବି ଅଧିକ ନୁହେଁ । ସମସ୍ତେ ଯେମିତି ଗୋଟିଏ ଲାଉର ୧୪୭ ମଞ୍ଜି । ଜଣେ ଜଣକୁ ଟାର୍ଗେଟ୍ କରୁଛନ୍ତି, ଆଉ ଜଣେ ଦେଉଛନ୍ତି ଉତ୍ତର ।
ଓଡ଼ିଶା ବିଧାନସଭାର ଇତିହାସରେ ଲେଖିଛନ୍ତି କଳଙ୍କିତ ଅଧ୍ୟାୟ । ଗଣତନ୍ତ୍ର ମନ୍ଦିରରେ ହିଂସାକରି ବିଧାନସଭା ବାହାରେ କରିଛନ୍ତି ଠିଆପାଲା । ଖାଲି ସେତିକି ଯେ ତା’ ନୁହେଁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିତଣ୍ଡା ଯୁକ୍ତି ଓ ବିଜେଡି ବିଧାୟକ ଅରୁଣ ସାହୁଙ୍କ ସହ ବିଜେଡି ବିଧାୟକମାନେ ଦେଇଥିବା ବିବୃତି ବି କିଛି କମ୍ ନୁହେଁ । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଜବାବ ଦାବି କରି ଅଭିନବ ଢଙ୍ଗରେ ବିରୋଧ କରିଛି ବିଜେଡି । ଲଣ୍ଠନ ଧରି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଛି । ପରେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ସମୁଖରେ ଧାରଣା ଦେଇଥିଲେ ।
ଅଧିକ ପଢ଼ନ୍ତୁ: ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ, ହାତାହାତି ହେଲେ ସରକାରୀ ଓ ବିରୋଧୀ ବିଧାୟକ
ସବୁଠାରୁ ବଡ଼ କଥା ହେଉଛି, ଉଭୟ ବିଜେଡି ବିଜେପି ଓ କଂଗ୍ରେସ ରାଜନୀତିକୁ ନେଇ ବେଶ୍ ବ୍ୟସ୍ତ ରହୁଥିବାବେଳେ ସେପଟେ ରାଜରାସ୍ତାରେ ଖରା କାକରରେ ସିଝୁଛନ୍ତି ହଜାର ହଜାର ଆଶାକର୍ମୀ ଓ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ । କିନ୍ତୁ ଏମାନଙ୍କୁ ଲାଗିଛି ଦଳ, କୋଶଳ ଓ ରାଜନୀତି ଚିନ୍ତା ।
ସରୁନି ଦେଷାରୋପର ପର୍ବ । ଚାଲିଛି ଦୋଷ ଲଦା ଲଦି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଗୃହ ଭିତରେ ଠେଲା ପେଲା ସମୟର ଭିଡିଓ ଯାଞ୍ଚ କରି ବିଧାୟକ ଜୟନାରାୟଣ ମିଶ୍ର, ବାବୁ ସିଂ, ରଘୁରାମ ମାଛ ଓ ଅନ୍ୟାନ୍ୟ ସଦସ୍ୟଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ବିଧାୟକ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)