• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭୁଲ । ଏମିତି ଭୁଲ୍‌ କେବେ କୌଣସି ମୁଖ୍ୟମନ୍ତ୍ରୀ କରିଥିବା ନଜିର ନାହିଁ । ଯେଉଁଥିପାଇଁ ସୋସିଆଲ ମିଡିଆ ରେ ଟ୍ରୋଲ ହେଲେ ମୁଖ୍ୟମନ୍ତ୍ରୀ । ବିରୋଧୀ କହିଲେ ଏହା ଗଣତନ୍ତ୍ରର ଅପମାନ । ସବୁ ଦିଗରୁ ମୁଖ୍ୟମନ୍ତ୍ରୀ ହେଲେ ସମାଲୋଚିତ ।

ପୁରା ଘଟଣାଟି ହେଲା, ଗତ ଶୁକ୍ରବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭାରେ ବଜେଟ ଉପସ୍ଥାପନ କରୁଥିଲେ । ପ୍ରାୟ ୫ରୁ ୭ ମିନିଟ୍‌ ବଜେଟ ପଢ଼ିବା ପରେ ତାଙ୍କୁ ନିଜ ଦଳର ଜଣେ ବିଧାୟକ ତଥା ମନ୍ତ୍ରୀ ମହେଶ ଜୋସି ଅଧାରୁ ଅଟକାଇଥିଲେ । କାରଣ ମୁଖ୍ୟମନ୍ତ୍ରୀ ଯେଉଁ ବଜେଟ ଉପସ୍ଥାପନ କରୁଥିଲେ ତାହା ଗତ ବର୍ଷର ଥିଲା । ଏହା ଜାଣିବା ପରେ ବିରୋଧୀ ଠୋ-ଠୋ ହୋଇ ହସିବା ସହ ଗୃହରେ ହଙ୍ଗାମା କରିଥିଲେ ।

ମୁଖ୍ୟମନ୍ତ୍ରୀ ନିଜେ ଅର୍ଥ ବିଭାଗ ଦାୟିତ୍ୱରେ ଥାଇ ବି କିଭଳି ଜାଣିପାରିଲେନି ତାହା ପୁରୁଣା ବଜେଟ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଗତ ବର୍ଷର ଯୋଜନା, ଯାହା କି ଲାଗୁ ହୋଇସାରିଛି ତାହା କେମିତି ଜାଣିପାରିଲେନି ମୁଖ୍ୟମନ୍ତ୍ରୀ । ସେ କ’ଣ ବଜେଟ ଉପସ୍ଥାପନ କରିବା ପୂର୍ବରୁ ନିଜେ ପଢ଼ିନଥିଲେ କି ? ଏମିତି ନାନା ପ୍ରଶ୍ନ କରି ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମାଲୋଚନା କରିଥିଲେ ।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଛନ୍ତି, ‘ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ବାରମ୍ବାର ବଜେଟ୍‌ ଚେକ୍‌ କରିଥାଏ । ବଜେଟ୍ ଉପସ୍ଥାପନ ପୂର୍ବରୁ ନିଜକୁ ପ୍ରସ୍ତୁତ କରିଥାଏ । ରାଜସ୍ଥାନବାସୀ ଗେହଲଟଙ୍କ ଏଭଳି ଆଚରଣ ଦେଖି କ’ଣ ଚିନ୍ତା କରୁଥିବେ । ମୁଖ୍ୟମନ୍ତ୍ରୀ ନିଜେ ଜାଣିପାରୁ ନାହନ୍ତି ରାଜ୍ୟର ନୂଆ ବଜେଟ କ’ଣ ? ତେବେ ରାଜ୍ୟ କେମିତି ସୁରକ୍ଷିତ ରହିଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।’

ବସୁନ୍ଧରାଙ୍କ ଏଭଳି ଆକ୍ଷେପ ପରେ ବିଜେପି ନେତା ଗୁଲାବ କାଟାରିଆ କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ ଏଭଳି ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ । ଏହା ଗଣତନ୍ତ୍ରକୁ ଏକ ଅପମାନ ।