Advertisment

କଂଗ୍ରେସକୁ ପୁଣି ୟଙ୍ଗ ବ୍ରିଗେଡ୍ ଝଟକା, ୩ ଦିନରେ ଦଳ ଛାଡ଼ିଲେ ୩ ଯୁବ ନେତା

ରାଜ୍ୟ କଂଗ୍ରେସକୁ ଜଣକ ପରେ ଜଣେ ଯୁବ ନେତାଙ୍କ ଝଟ୍‌କା । ଦୁଇ ଦିନ ତଳେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ତ ଆଜି ଅଂଶୁମାନ ମହାନ୍ତି। ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବାବେଳେ ଜଣକ ପରେ ଜଣେ ୟଙ୍ଗ ବିଗ୍ରେଡ୍‌ଙ୍କ ଇସ୍ତଫା କଂଗ୍ରେସକୁ ଦୁର୍ବଳ କରିଛି।

author-image
Santosh Kumar Sahoo
Setback for Congress

Setback for Congress

ସୋମବାର ନିହାର ମହାନନ୍ଦ। ଗଲା କାଲି ବିପ୍ଲବ ଜେନା। ଆଉ ଆଜି ଅଂଶୁମାନ ମହାନ୍ତି। ତିନି ଦିନରେ ରାଜ୍ୟ କଂଗ୍ରେସକୁ ତିନି ୟଙ୍ଗ ବ୍ରିଗେଡ୍‌ଙ୍କ ଝଟକା। ଆଜି ଦଳ ଛାଡ଼ିଛନ୍ତି ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ସେ ପାର୍ଟିର ପ୍ରାଥମିକ ସଦସ୍ୟ ସହ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମଧ୍ୟ ଦେଇଛନ୍ତି ଇସ୍ତଫା। ତାଙ୍କ ପୂର୍ବରୁ ୧୨ ତାରିଖରେ ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ ବି କଂଗ୍ରେସ ଛାଡ଼ିଥିଲେ। ସେ କହିଥିଲେ ୧୫ ବର୍ଷ ଧରି ପାର୍ଟି ପାଇଁ କାମ କରୁଥିଲେ ବି ଗତ ବର୍ଷେ ହେଲା ଲୋକସେବା କରିବା ଲାଗି ତାଙ୍କୁ ସୁଯୋଗ ମିଳୁନଥିଲା।

Advertisment

ସେମିତି ମଙ୍ଗଳବାର ହାତ ଦଳକୁ ଅଲବିଦା କହିଥିବା ଅନୁଗୁଳ ଜିଲ୍ଲା କଂଗ୍ରେସର ଯୁବ ନେତା ବିପ୍ଲବ ଜେନା ବି ସେଠି ଥିଲେ ଦଳ ପାଇଁ ବଡ଼ ଆସେଟ୍। ହେଲେ ୨୦୧୪ରୁ ୨୦୧୯ ଯାଏଁ ରାଜନଗର ବିଧାୟକ ଥିବା ଅଂଶୁମାନ କାହିଁକି ଛାଡ଼ିଲେ କଂଗ୍ରେସ ? ସେ ନେଇ କିଛି ସ୍ପଷ୍ଟ କରିନଥିବାବେଳେ ପିସିସି ସଭାପତି ଶରତ ପଟ୍ଟନାୟକ କିନ୍ତୁ କହିଛନ୍ତି- ଏସବୁ ନେତା ଗଲେ ବି କଂଗ୍ରେସର କିଛି କ୍ଷତି ହେବନି । ସେମାନେ ବିଜେଡି-ବିଜେପି ଲିଙ୍କରେ ଅଛନ୍ତି। ଦଳରୁ ଗଲେ ନୂଆ ମୁହଁକୁ ଆମେ ସୁଯୋଗ ଦେବୁ। ଆମ ପାଖକୁ ବିଜେଡି ଓ ବିଜେପିରୁ ବି ନେତା ଆସୁଛନ୍ତି।

ମୁଣ୍ଡ ଉପରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ। ଏଭଳି ସମୟରେ କଂଗ୍ରେସକୁ ମଜଭୁତ୍ କରିବାକୁ ଦଳ ଗୋଟିଏ ପରେ ଗୋଟିଏ ଷ୍ଟ୍ରାଟେଜି ଆପଣାଉଛି। ନୂଆ ପିପିସି ପ୍ରଭାରୀ ଅଜୟ କୁମାର ନିଇତି ବିଜେଡି ସରକାରକୁ ଘେରୁଥିବା ବେଳେ ବିଜେପି-ବିଜେଡି ଏକ ବୋଲି ଦର୍ଶାଇବାକୁ ଯାଇ କଂଗ୍ରେସ୍ ପ୍ରତୀକାତ୍ମକ ବାହାଘର ବି କରାଇଥିଲା। ଗଲା ସପ୍ତାହରେ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଆସି ଓଡ଼ିଶା ମାଟିରୁ ନବୀନ ସରକାରକୁ ନିଶାନା କରି ସହ ବିଜେପି-ବିଜେଡି ପାର୍ଟନରସିପ୍ ସରକାର ଚାଲିଥିବା ମଧ୍ୟ କଟାକ୍ଷ କରିଥିଲେ।

Advertisment

ଏଣେ ରାଜ୍ୟ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ପ୍ରଦେଶ କଂଗ୍ରେସ ବି ଦଳ ଛାଡ଼ିଥିବା ପୁରୁଖା ନେତା ଯେମିତିକି ଗିରିଧର ଗମାଙ୍ଗ, ସଞ୍ଜୟ ଭୋଇ ଓ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କୁ ନିଜ ଶିବିରକୁ ଆଣିପାରିଛି। ତା ସହ ଓଲିଉଡ୍ ଅଭିନେତା ମନୋଜ ମିଶ୍ର ବି ନିକଟରେ ହାତ ଧରିଛନ୍ତି। ଏସବୁ ଭିତରେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ଓ ଅଂଶୁମାନ ମହାନ୍ତିଙ୍କ ଭଳି ଯୁବ ନେତାଙ୍କ ଇସ୍ତଫା ଦଳ ପାଇଁ ବଡ଼ ଧକ୍କା ବୋଲି କହିଛନ୍ତି ରାଜନୀତି ସମୀକ୍ଷକ।

ତେଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଯୁକ୍ତି-ନିର୍ବାଚନ ପାଖେଇଲେ ଏମିତି ଯାଆ ଆସ ଚାଲେ। ଖାଲି ଆମ ଦଳ ନୁହେଁ ଶାସକ ଦଳରେ ବି ନିୟମିତ ଏମିତି ଚାଲିଛି। ଏବେ ଦେଖିବାର କଥା, ଆଗକୁ କଂଗ୍ରେସରୁ ନେତାଙ୍କ ହାତ ଛାଡ଼ିବା ଧାରାରେ ବ୍ରେକ୍ ଲଗାଇବାରେ କେତେ ସଫଳ ହେଉଛି ପିସିସି।

Congress Congress Leader 2024 General Election
Advertisment
Advertisment