• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜନୀତିରେ କେତେବେଳେ କିଏ ଉପରକୁ ଉଠିବ ଓ କେତେବେଳେ କିଏ ତଳକୁ ଖସିବ କହିବା କଷ୍ଟ । ନବୀନ ସରକାରରେ ଏକଦା ମନ୍ତ୍ରୀଥିବା ଅଞ୍ଜଳି ବେହେରାଙ୍କ ଅବସ୍ଥା ଏବେ ଏମିତି ହୋଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଗିରିଧର ପ୍ରସାଦ ପଞ୍ଚାୟତରେ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । ହେଲେ ଏହି ନିର୍ବାଚନରେ ସେ ଜିତିପାରିଲେ ନାହିଁ । କାମିନୀ ନାୟକ ନାମ୍ନୀ ଜଣେ ପ୍ରାର୍ଥୀଙ୍କ ଠାରୁ ସେ ପରାଜିତ ହୋଇଛନ୍ତି ।

ନବୀନ ସରକାରରେ ଅଞ୍ଜଳି ଦୁଇ ଦୁଇ ଥର ମନ୍ତ୍ରୀ ହୋଇଛନ୍ତି । ବୟନ ଶିଳ୍ପ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଛନ୍ତି । ତାଙ୍କ ବାପା ତ୍ରିନାଥ ନାୟକ ମଧ୍ୟ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତ୍ରିନାଥ ନାୟକ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ତ୍ରିନାଥଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ତଥା ଅଞ୍ଜଳିଙ୍କ ମାଆ ମଧ୍ୟ ଉପନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହି ସମୟରେ ଅଞ୍ଜଳି ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ।

ତେବେ 2000 ମସିହା ବିଧାନସଭା ନିର୍ବାଚନରେ ହିନ୍ଦୋଳ ଆସନରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ଅଞ୍ଜଳି । ୨୦୦୦ ରୁ ୨୦୧୪ ପର୍ଯ୍ୟନ୍ତ ସେ ଏହି ଆସନରୁ ଲଗାତାର ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ମସିହାରେ ବିଜେଡି ତାଙ୍କୁ ବିଧାୟକ ଟିକେଟ ଦେଇନଥିଲା । ସେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ଲଢିଥିଲେ । ଏହି କାରଣରୁ ତାଙ୍କୁ ବିଜେଡିରୁ ସସ୍ପେଣ୍ଡ କରାଯାଇଥିଲା । ତା ପରଠାରୁ ସେ ରାଜନୀତିରେ ସକ୍ରିୟ ନଥିଲେ । ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୨୧ ଅକ୍ଟୋବର ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ ।

ପଞ୍ଚାୟତ ନିର୍ବାଚନରେ ସେ ହିନ୍ଦୋଳ ଗିରିଧର ପ୍ରସାଦ ପଞ୍ଚାୟତରେ ହଠାତ୍ ସମିତି ସଭ୍ୟା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରି ଚର୍ଚ୍ଚାକୁ ଆସିଥିଲେ । ତୃଣମୂଳ ସ୍ତରରେ ଲୋକଙ୍କ ସେବା କରିବା ପାଇଁ ସେ ପଞ୍ଚାୟତ ନିର୍ବାଚନ ଲଢୁଛନ୍ତି ବୋଲି କହିଥିଲେ । ଏହି ସଂରକ୍ଷିତ ଆସନରେ ସେ ତାଙ୍କ ଭାଗ୍ୟ ପରୀକ୍ଷା କରିଥିଲେ । ଏତେ ଲମ୍ୱା ରାଜନୈତିକ କ୍ୟାରିଅର୍ ଥିଲେ ବି ତାଙ୍କୁ ପଞ୍ଚାୟତରେ ପରାଜିତ ହେବାକୁ ପଡିଛି । ଇଏ ରାଜନୀତି । ସାପଶିଡିର ଖେଳ । କୁହାଯାଏ ଆଜି ଯେ ରାଜନ୍ଦ୍ରାସନେ କାଲି ସେ ଫକୀର । ୨୦୨୨ ପଞ୍ଚାୟତ ନିର୍ବାଚନରେ ଏମିତି ଏକ ଘଟଣା ସାମନାକୁ ଆସିଛି । ଦିନେ ମନ୍ତ୍ରୀ ଥିଲେ ଏବେ ସମିତି ସଭ୍ୟ ନିର୍ବାଚନ ବି ଜିତି ପାରିଲେନି ।