/odishatv-khabar/media/post_attachments/uploadimage/library/16_9/16_9_0/BJD_1722688915.jpg)
BJD
ମମତା ମହାନ୍ତଙ୍କୁ ନେଇ ରାଜନୈତିକ ବୟାନବାଜି । ମମତାଙ୍କ ଯିବା ପଛରେ ବଡ଼ କାରବାର ହୋଇଥିବା କହିଛି ବିଜେଡି । ମୋରଡ଼ାର ପୂର୍ବତନ ବିଧାୟକ ରାଜକିଶୋର ଦାସ କହିଛନ୍ତି, ମମତା ମହାନ୍ତ ସେମିତି ବଡ଼ ବ୍ୟକ୍ତିତ୍ୱର ଅଧିକାରୀ ନୁହଁନ୍ତି । ନା ସେ ତାଙ୍କ ସମ୍ପ୍ରଦାୟ ପାଇଁ ନା ଦଳ ପାଇଁ କାମ କଲେ ।
୨୦୨୪ ନିର୍ବାଚନ ସମୟରେ ତାଙ୍କ କାର୍ଯ୍ୟକଳାପ ଠିକ୍ ନଥିଲା । ଯେଉଁଥିପାଇଁ ପାର୍ଟି ତାଙ୍କୁ ଦାୟିତ୍ବ ଦେଇନଥିଲା । ବିଜେପିର ରାଜ୍ୟସଭାରେ ସଂଖ୍ୟା କମ୍ । ସେଥିପାଇଁ ବିଜେପି ସବୁ କ୍ଷମତାକୁ ପ୍ରୟୋଗ କରି ଜଣକ ପରେ ଜଣଙ୍କୁ ନେବା ପାଇଁ ଉଦ୍ୟମ କରୁଛି ।
ରାଜକିଶୋରଙ୍କ ଏହି ବୟାନ ପରେ ଏହାର ଜବାବ ରଖିଛି ବିଜେପି । ମମତା ଦଳରେ ମିଶିବା ନେଇ କୌଣସି ଡିଲ୍ ହୋଇନି । ବିଜେଡିର ସବୁ ସଦସ୍ୟ ଏବେ ବନ୍ଦ କୋଠରୀ ଭିତରେ ଅଛନ୍ତି । ଅମ୍ଳଜାନ ମିଳୁନି, ଅଣନିଶ୍ବାସୀ ହୋଇଗଲେଣି । ନିଶ୍ବାସ ନେବାକୁ ସେମାନେ ବନ୍ଦ କୋଠରୀ ବାହାରକୁ ଆସୁଛନ୍ତି । ଯେତେବେଳେ ବିଜେଡି ନେତା ଅନୁଭବ କରୁଛନ୍ତି ଯେ ବିଜେଡି ଦଳରେ ତାଙ୍କର ଆଉ ଭବିଷ୍ୟତ ନାହିଁ ସେମାନେ ବାହାରକୁ ଆସୁଛନ୍ତି ଏବଂ ଅନ୍ୟର ଆଶ୍ରା ନେଉଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ ।
ଯଦି ମମତା ମହାନ୍ତ ଲୋକପ୍ରିୟ ନୁହଁନ୍ତି ତେବେ ତାଙ୍କ ଯିବାପରେ ଗତକାଲି ସୁପ୍ରିମୋ କାହିଁକି ମୟୂରଭଞ୍ଜ ନେତାଙ୍କୁ ନେଇ ବୈଠକ କଲେ। ଗଞ୍ଜାମରେ ବି ତାଙ୍କର ଅବସ୍ଥା ଭଲ ନାହିଁ। ଆଗକୁ ବିସ୍ଫୋରଣ ହେବ ବୋଲି କହିଛନ୍ତି ସରୋଜ ।
ସେପଟେ ମମତା ମହାନ୍ତ ବିଜେଡି ଛାଡି ବିଜେପିକୁ ଯିବା ପରେ ଶଙ୍ଖ ଦଳରେ ତୀବ୍ର ହେଲାଣି ବିବାଦ। ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପି ଯାଇଥିବା ଅରବିନ୍ଦ ଢାଲି ସାଂଘାତିକ ବୟାନ ଦେଇ କହିଛନ୍ତି, ବିଜେଡି ବସା ଖାଲି ହୋଇଯିବ । ଦଳରେ ବାକ୍ ସ୍ବାଧିନତା ନଥିବାରୁ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ଯେଉଁଥିପାଇଁ ବିଜେଡି ବିଲିନ ହୋଇଯିବ। ସେହିପରି ପାଣ୍ଡିଆନ୍ଙ୍କୁ ନେଇ ବି କଡ଼ା ସମାଲୋଚନା କରିଛନ୍ତି ଢାଲି।
ଆଉ ଢାଲିଙ୍କ ଏହି ବୟାନକୁ ଇଙ୍ଗିତରେ ସମର୍ଥନ କରିଥିଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ସେ କହିଥିଲେ ଦଳର ଆମୂଳଚୂଳ ସଂଗଠନକୁ ଠିକ୍ କରାନଗଲେ ଆଗକୁ ବଡ଼ ଅଘଟଣ ଘଟିବ। ଅନ୍ୟପଟେ ବିଜେଡି ନିଜ ଗୋଷ୍ଠୀ କନ୍ଦଳକୁ ନେଇ ଅଡୁଆରେ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଦଳୀୟ ନେତା ଉମା ସାମନ୍ତରାୟ। ଦଳ ନବୀନଙ୍କ ନେତୃତ୍ବରେ ସଂପୂର୍ଣ୍ଣ ସୁଦୃଢ ଅଛି ବୋଲି କହିଛନ୍ତି ଉମା ।
ସୂଚନା ଅନୁସାରେ ନିର୍ବାଚନ ପରେ ବିଜୁ ଜନତା ଦଳକୁ ଲାଗିଛି ବଡ଼ ଧକ୍କା । ଜୁଲାଇ ୩୧ରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ମମତା ମହାନ୍ତ । ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ । ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ନିଜେ ସୂଚନା ଦେଇଥିଲେ ମମତା ।
ଇସ୍ତଫାର କାରଣ ସମ୍ପର୍କରେ ମମତା ଦର୍ଶାଇଥିଲେ ଯେ, ବିଜେଡିରେ ସେ ଅଲୋଡ଼ା ହୋଇପଡ଼ିଥିଲେ ଏବଂ ଦଳ ତାଙ୍କ ସେବାର ଆବଶ୍ୟକତା ଅନୁଭବ କରୁନଥିଲା । ସେ ଲୋକଙ୍କ ନେତା ଏବଂ ଲୋକଙ୍କ ସେବା ହିଁ ତାଙ୍କର ମୁଖ୍ୟ ଧ୍ୟେୟ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ସେ ଆଉ ସେହି ଦଳରେ ରହିବାର ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି ଉଲ୍ଲେଖ କରିଥିଲେ ମମତା । ତେବେ ବିଜେଡିରୁ ଇସ୍ତଫା ଦେବା ପରେ ଅଗଷ୍ଟ ୧ରେ ବିଜେପିରେ ସାମିଲ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)