• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କିଛିଦିନ ଧରି ଏକ ପ୍ରକାର ସ୍ଥାଣୁ ଥିବା ରାଜ୍ୟ ରାଜନୀତି ଅଚାନକ୍ ଚଳଚଂଚଳ ହୋଇପଡ଼ିଛି । ୨୪ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ଷ୍ଟ୍ରାଟେଜି ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ରାଜଧାନୀରେ ବିଜେଡିର ପାଓ୍ୱାର୍ ସୋ ପରେ ଏବେ ନବୀନଙ୍କ ୨୫ ବର୍ଷର ସେବା ଓ ବିକାଶର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରିଛି ବିଜେଡି । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଭାପତିମାନଙ୍କ ବୈଠକରେ ଏନେଇ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ୍ । ସେପଟେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ସମୀକ୍ଷା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନକ୍ସାକୁ ଅପେକ୍ଷା କରିଛି ଦଳ । ତେଣେ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ନିଜର ଅଭିଯାନ ଆରମ୍ଭ କରିଛି କଂଗ୍ରେସ୍ ।

ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିବା ପରେ ଦିଲ୍ଲୀରେ ସେଲିବ୍ରେସନ୍, ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ ଆଉ ଏବେ ଗାଁ ଗାଁରେ ପ୍ରଚାର କରିବ ବିଜେଡି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଜେଡିର ବିଭିନ୍ନ ଜିଲ୍ଲାର ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ହୋଇଥିବା ବୈଠକରେ ହୋଇଛି ଏହି ଷ୍ଟ୍ରାଟେଜି । ଫୋକସରେ ରହିଛି ଲୋକଙ୍କ ପାଖରେ ସେବା ଓ ବିକାଶ ବାର୍ତ୍ତା ପହଞ୍ଚାଇବା । ବିଜେପି-ବିଜେଡି ଭିତରେ ସଂପର୍କ ମଧୁର ହେବାପରେ ବିଜେଡି ଆଉ ପୂର୍ବଭଳି କେନ୍ଦ୍ର ସରକାର ବିରୋଧରେ ଗର୍ଜନ କରୁନି । ସେଥିପାଇଁ ନବୀନଙ୍କ ୨୫ ବର୍ଷର ସେବା ଓ ରାଜ୍ୟ ବିକାଶର ଚିତ୍ରକୁ ନେଇ ଗାଁ ଗାଁକୁ ଯିବ ଦଳ ।୨୪ ନିର୍ବାଚନ ପୂର୍ବରୁ ବିଜେଡି କିଛି ଏଭଳି ବ୍ଳୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି । ଅକ୍ଚୋବରରେ ପଦଯାତ୍ରା, ଡିସେମ୍ବରରେ ଦଳର ପ୍ରତିଷ୍ଠା ଦିବସ ଓ ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀକୁ ବଡ଼ ଧରଣରେ ପାଳନ କରିବାକୁ ସଜବାଜ ହେଉଛି । ଦଳୀୟ ସଂଗଠନ ଉପରେ ବି ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

ସେପଟେ ବିଜେପି ବି ପଛରେ ନାହିଁ । ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଭୁବନେଶ୍ୱର ଆସି ଦୁଇଦିନ ଧରି ସମୀକ୍ଷା କରିବା ପରେ ଅନେକ ଟାସ୍କ ଦେଇଛନ୍ତି । ମୁଖ୍ୟତଃ ବୁଥ୍ ମଜଭୁତ କରିବା ଉପରେ ରହିଛି ବଂଶଲଙ୍କ ଫୋକସ୍ । ଆସନ୍ତା ୧୩ରୁ ପୁରୀରେ ଦଳୀୟ କର୍ମକର୍ତ୍ତାଙ୍କ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ । ଏଥିରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷଙ୍କ ସମେତ କେନ୍ଦ୍ରୀୟ ନେତାମାନେ ଯୋଗ ଦେବେ । ତାଛଡ଼ା ୨୯ ଓ ୩୦ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସି ୨୦୨୪ର ବ୍ଲୁ ପ୍ରିଣ୍ଟରେ ରଖିବେ ।

ସେପଟେ ଆଜିଠୁ କଂଗ୍ରେସ୍ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ୍ ଆରମ୍ଭ କରିଛି ଭାରତ ଯୋଡ଼ ଯାତ୍ରା । କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଏହା ଚାଲିବ । ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ପ୍ରସଙ୍ଗକୁ ମୂଳ ପ୍ରସଙ୍ଗ କରିଛି କଂଗ୍ରେସ୍ । ସେପଟେ ରାଜ୍ୟରେ ପିସିସି ସଭାପତି ଶରତ ପଟ୍ଟନାୟକ ଖୁବ୍ ଶୀଘ୍ର ନୂଆ ଟିମ୍ ଗଠନ କରି ସାଂଗଠନିକ କାର୍ଯ୍ୟ ବଢ଼ାଇବାକୁ ଯୋଜନା ରଖିଛନ୍ତି ।

ରାଜନୈତିକ ଦଳଗୁଡ଼ିକର ଏସବୁ କାର୍ଯ୍ୟକ୍ରମ ପରେ ରାଜ୍ୟ ରାଜନୀତି ବେଶ୍ ଚଳଚଂଚଳ ହୋଇପଡ଼ିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ୨୪ ନିର୍ବାଚନ ରେ ତିନି ଦଳ ମଧ୍ୟରେ ଲଢେଇ ଜୋରଦାର ହେବ । ସାଧାରଣ ନିର୍ବାଚନ ପାଇଁ ଆହୁରି ଦେଢ ବର୍ଷ ସମୟ ରହିଛି ହେଲେ କାଳେ ଆଗୁଆ ନିର୍ବାଚନ ହୋଇଯିବ । ତାକୁ ଆକଳନ କରି ରାଜନୈତିକ ଦଳଗୁଡ଼ିକ ଏବେଠାରୁ ପାଗ ଭିଡ଼ିଲେଣି ।