• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସକାଳୁ ସକାଳୁ ବିଜେଡି ଉପରେ ପଡ଼ିଲା ଚଡ଼କ । ଦୁଇ ଜଣ ଟାଣୁଆ ନେତା ଛାଡ଼ିଛନ୍ତି ଦଳ । ପ୍ରିୟଦର୍ଶୀଙ୍କ ପରେ ଦଳ ଛାଡ଼ିଛନ୍ତି କୋରେଇର ପୂର୍ବତନ ବିଧାୟକ ଆକାଶ ଦାଶ ନାୟକ । ଏହା ପୂର୍ବରୁ ସକାଳୁ ଭୁବନେଶ୍ୱରରେ ନିଜର ପତିଆରା ଜାହିର କରି ଆସୁଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବି ଦଳ ଛାଡ଼ିଛନ୍ତି । ପ୍ରଥମେ ପ୍ରିୟଦର୍ଶୀ ମିଶ୍ର ପରେ ଆକାଶ ଦାଶ ନାୟକ ଦଳ ଛାଡ଼ିବା ବିଜେଡିକୁ ଏକ ଝଟ୍‌କା ଦେଇଛି । ଉଭୟ ନେତାଙ୍କର ଖୁବ୍‌ ଲୋକପ୍ରିୟତା ରହିଛି । ସେମାନଙ୍କର ନିଜସ୍ୱ ସଂଗଠନ ରହିଛି ।

ତେବେ ଅନ୍ତରଆତ୍ମାର ସ୍ୱର, ଆତ୍ମସମ୍ମାନ, ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ଆକାଶ । ମୋ ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ । ଆଗାମୀ ଦିନରେ କୋରେଇ ବାସୀଙ୍କ ଭଲ ପାଇବାକୁ ପାଥେୟ କରି ମୋର ସମର୍ଥକ ଓ ସାଥୀଙ୍କ ପରାମର୍ଶରେ ମୋର ଆଗାମୀ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିବି ବୋଲି କହିଛନ୍ତି ଆକାଶ । ଆକାଶ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ କୋରେଇ ବିଧାୟକ ଥିଲେ । 

ସେପଟେ କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଥିଲେ ଚିରଞ୍ଜୀବ । ଏବେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ଦିନ  ଧରି ଦଳର ନେତୃତ୍ୱକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ମଧ୍ୟ ସେ ଦଳର ନେତୃତ୍ୱଙ୍କ ବିରୋଧରେ ସମ୍ୟକ ବିଦ୍ରୋହ କରିଥିବା ଦେଖାଯାଇଥିଲା ।

ତେବେ ବିଜେଡିରେ ଲଗାତାର ଅବହେଳା କରାଯାଉଥିବା କଥା କହି ଇସ୍ତଫା ଦେଇଛନ୍ତି ପ୍ରିୟଦର୍ଶୀ । ଭୁବନେଶ୍ୱର ଉତ୍ତରରୁ ୨୦୧୪ରେ ବିଧାୟକ ଥିଲେ । ତେବେ ଗତ ଥର ପ୍ରିୟଦର୍ଶୀଙ୍କ ଟିକେଟ୍ କଟିଥିଲା । ପ୍ରିୟଦର୍ଶୀ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ସେ କହିଛନ୍ତି ଦଳ ପାଇଁ ବହୁତ୍ କିଛି କରିଛି । ଦଳ ବହୁ ଥର ମୋତେ ଅବହେଳା କରିଛି । ମୁଁ ଦଳ ସହ ଛାତ୍ର ଜୀବନରୁ ଥିଲି । ମୋ ସମର୍ଥକ ଯାହା ନିଷ୍ପତ୍ତି ନେବେ ତାହା କରିବି । ଦଳକୁ ଗଢ଼ିଥିବା ଲୋକଙ୍କୁ ଅଣଦେଖା କରାଯାଇଛି । 

ଓଟିଭିକୁ EXCLUSIVE ପ୍ରତିକ୍ରିୟା ଦେଇ ପ୍ରିୟଦର୍ଶୀ କହିଛନ୍ତି, ଦଳ ଗତ ଥର ଧୋକା ଦେଇଥିଲା, ଏବେ ବି ଧୋକା ଦେଉଥିବା ଜାଣି ଇସ୍ତଫା ଦେଲି । ୨୦୧୯ରେ ଟିକେଟ୍ ଦେବେ କହି ଦେଇନଥିଲେ, ୨୪ରେ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ ତାହା କରୁନଥିବା ସ୍ପଷ୍ଟ ହେଉଥିବାରୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।