• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭାଙ୍ଗିଲା ଓଡ଼ିଶା କଂଗ୍ରେସ କମିଟି । ଆମୂଳଚୁଳ ପରିବର୍ତ୍ତନ ହେବ, ନୂଆ ରଣନୀତିରେ କାମ କରିବ ଦଳ । ଏପରିକି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବି ହଟାଇ ଦିଆଯାଇଛି । ସେପଟେ ୫ ଥରର ବିଧାୟକ ତାରା ବାହିନୀପତିଙ୍କୁ ପଛରେ ପକାଇ ଦଳ ଖେଳିଛି ଆଦିବାସୀ କାର୍ଡ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ୍ ହୋଇଛନ୍ତି କଂଗ୍ରେସ୍ ବିଧାୟକ ଦଳ ନେତା ।

ହଟିଲେ ଶରତ । ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ନିର୍ବାଚନ ପରେ ଓଡ଼ିଶାକୁ ନେଇ AICCର ବଡ଼ ନିଷ୍ପତ୍ତି । ଛାତ୍ରଠୁ ଯୁବ, ମହିଳାଠୁ ନେଇ କିସାନ କଂଗ୍ରେସ ସବୁ କମିଟିକୁ AICC ଭଙ୍ଗି ଦେଇଛନ୍ତି । ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ହାଇକମାଣ୍ଡ । ଶରତଙ୍କ ୯ରୁ ୯୦ ଫର୍ମୁଲା ଫେଲ୍ ମାରିବା ପରେ ତାଙ୍କ ନେତୃତ୍ୱକୁ ନେଇ ବିରୋଧ ତୀବ୍ର ହୋଇଥିଲା। ଏପରିକି କିଛି ଯୁବ-ଛାତ୍ର କର୍ମୀ ପାର୍ଟି ଅଫିସ ଭିତରେ ତାଙ୍କ ଉପରେ କାଳି ମାଡ଼ କରିଥିଲେ । ତାପରେ ଯେମିତି କଂଗ୍ରେସ ଭବନ ଅଚଳ ହୋଇଯାଇଥିଲା । ମାସାଧିକ କାଳ ଧରି କଂଗ୍ରେସ ଭବନକୁ ପିସିସି ସଭାପତି କି ବରିଷ୍ଠ ନେତାଙ୍କ ଗସ୍ତ ହୋଇନଥିଲା । ଏପରିକି ନିଲମ୍ବିତ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡା ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଏକ ପ୍ରକାର ମୂରବୀ ଶୂନ୍ୟ ହୋଇଯାଇ ଥିଲା ରାଜ୍ୟ କଂଗ୍ରେସ ।

ତେବେ କଂଗ୍ରେସ ତା’ର ଘର ସଜାଡ଼ିବା ଲାଗି ପୁଣି ଥରେ ପ୍ରୟାସ ଆରମ୍ଭ କରିଛି । ଖୁବଶୀଘ୍ର ନୂଆ ଟିମ୍ ସହ ନୂଆ ମଙ୍ଗୁଆଳଙ୍କ ନାଁ ଘୋଷଣା ହେବ ବୋଲି ସୂଚନା ରହିଛି । ପିସିସି ସଭାପତି ରେସରେ ଆଗରେ ଅଛନ୍ତି ସାଂସଦ ସପ୍ତଗିରି ଉଲାକା, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଭେଟରାନ ଭକ୍ତ ଦାସ ପ୍ରମୁଖ ।

ଅନ୍ୟପଟେ ବିଧାନସଭା ବଜେଟ ଅଧିବେଶନର ଦିନକ ପୂର୍ବରୁ AICC ଘୋଷଣା କରିଛି ବିଧାୟକ ଦଳ ନେତା, ଉପନେତା ଓ ମୁଖ୍ୟ ସଚେତକ ଙ୍କ ନାଁ । କଂଗ୍ରେସ ବିଧାୟକ ଦଳ ନେତା ଭାବେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ, ଉପନେତା ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ ମୁଖ୍ୟ ସଚେତକ ଭାବେ ରାଜଗାଙ୍ଗପୁର ବିଧାୟକ ସି ଏସ ରାଜନ୍ ଏକ୍କାଙ୍କ ନାଁରେ ମୋହର ମାରିଛନ୍ତି ହାଇ କମାଣ୍ଡ ।

ବିଳମ୍ବରେ ବିଧାୟକ ଦଳ ନେତା ଘୋଷଣାକୁ ନେଇ ଅନେକ ଚର୍ଚ୍ଚା ସାମ୍ନାକୁ ଆସିଛି । ତାରା-ସପ୍ତଗିରି କଳି ପାଇଁ ନିଷ୍ପତି ଝୁଲି ରହିଥିଲା ବୋଲି କୁହାଯାଉଛି । ୫ ଥରର ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାୟକ ଦଳ ନେତା ରେସରେ ଆଗରେ ଥିଲେ, ମାତ୍ର ସପ୍ତଗିରି, ତିନି ଥରର ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କ ସପକ୍ଷରେ ଦିଲ୍ଲୀରେ ଲବି କରିଥିବା ଚର୍ଚ୍ଚା ହେଉଛି ।

ଦକ୍ଷିଣ ଓଡ଼ିଶାରେ କଂଗ୍ରେସ ଜବରଦସ୍ତ ପ୍ରଦର୍ଶନ କରି ଏଥର ୮ଟି ବିଧାନସଭା ସିଟ୍ ଜିତିଥିବା ବେଳେ ସେଥିରୁ ୬ ଜଣ ବିଧାୟକ ହେଉଛନ୍ତି ଆଦିବାସୀ ବର୍ଗରୁ । ଯେଉଁଥିପାଇଁ ଦକ୍ଷିଣ ଓଡ଼ିଶାର ଆଦିବାସୀ ବର୍ଗ ବିଧାୟକଙ୍କ ଭିତରୁ ଜଣକୁ ବିଧାୟକ ଦଳ ନେତା କରାଗଲେ ଆଦିବାସୀ ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରହିବ ବୋଲି AICC ଅନୁଭବ କରି ଅଭିଜ୍ଞ କାଡ଼ାମଙ୍କୁ ଦାୟିତ୍ୱ ଦେଇଥିବା କୁହାଯାଉଛି ।

କଂଗ୍ରେସ ସାଙ୍ଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଚର୍ଚ୍ଚା ହେଉଛି ଦଳ ଛାଡ଼ି ବିଜେଡିକୁ ଯାଇଥିବା କିଛି ନେତା ସେଠାରେ ବିଫଳ ହେବା ପରେ ଏବେ ପୁରୁଣା ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now