• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜନୀତି ଏମିତି ଏକ ନିଶା, ଯେଉଁଠି ଦେଖାଯାଏନି ବୟସର ତାରତମ୍ୟ । ଜୀବନର ଅପରାହ୍ନରେ ପହଞ୍ଚି ବି ଅନେକ ମଣିଷ କେମିତି ରାଜନୀତି ମାଧ୍ୟମରେ ଜନସେବା କରିବାକୁ ପ୍ରବଳ ଆଗ୍ରହୀ, ତାର ଚିତ୍ର ଆସିଛି ପଞ୍ଚାୟତ ନିର୍ବାଚନ ମଇଦାନରୁ । ସେମିତି ଜଣେ ବ୍ୟକ୍ତିତ୍ୱଙ୍କୁ ଆମ ଟିମ୍‌ ଭେଟିଛି । ବୟସ ଖୁବ୍‌ ଅଧିକ, ହେଲେ ବୟସ ଆଗରେ ଲୋକଙ୍କ ସବେ କରିବା ମନବୃତ୍ତି ହାର ମାନିନି ।

ନିର୍ବାଚନ ମଇଦାନରେ ସେହି ମହାଶୟଙ୍କ ଜୋଶ୍ ଦେଖିଲେ ଠିକ୍ ଅନୁମାନ କରିହେଉଛି, ଯେମିତି ବୟସ ୟାଙ୍କ ପାଖେ ହାର ମାନିଛି । ଉଭୟ ଚାଲି ଓ ବୋଲି ଦୁଇଟି ଯାକରେ ପାରଙ୍ଗମ । ହାତ ଚିହ୍ନ ଓ ଇନ୍ଦିରା ମାଆଙ୍କୁ ପାଥେୟ କରି ଭୋଟରଙ୍କ ପାଖକୁ ଯାଉଥିବା ବୟସ୍କ ଯୋଦ୍ଧା ଜଣକ ହେଉଛନ୍ତି ନନ୍ଦାହାଣ୍ଡି ବ୍ଲକ ଜୋନ୍ ୧ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ବୃନ୍ଦାବନ ତ୍ରିପାଠୀ । ବୃନ୍ଦାବନଙ୍କ ଦମ୍ଭୋକ୍ତି ୬୬ବର୍ଷରେ ପାଦ ଦେଇଥିଲେ ବି ତାଙ୍କ ସାଙ୍ଗେ ପ୍ରଚାରରେ ଆଦୌ ସମାନ ହୋଇ ପାରିବେନି ବିରୋଧୀ ଯୁବ ପ୍ରାର୍ଥୀ ।

ସେମିତି ଧୋବ ଫର ଫର ଚୁଟିରେ ବି ଯୁବ ସୁଲଭ ପ୍ରାର୍ଥୀର ଗୁଣ ଭରି ରହିଥିବା ଆଉ ଜଣେ ବୟସ୍କ କ୍ୟାଣ୍ଡିଡେଟ୍ ହେଲେ ନଟବର ପଲେଇ । ସେ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ଜୋନ୍-୨ ଜିଲ୍ଲା ପରିଷଦ ଆସନ ପାଇଁ ଜାତୀୟ ଦଳ ସିପିଆଇଏମ୍‌ରୁ ଟିକଟ୍ ପାଇ ପ୍ରାର୍ଥୀ ହୋଇଛନ୍ତି । ଯେହେତୁ ପୂର୍ବରୁ ଶ୍ରମିକ-ଚାଷୀ ଓ ଖଟିଖିଆଙ୍କ ପାଇଁ ଅନେକ ବାର ଲଢ଼େଇ କରିଛନ୍ତି, ତେଣୁ ଲୋକେ ତାଙ୍କୁ ନିଶ୍ଚେ ପସନ୍ଦ କରିବେ ବୋଲି ନଟବରଙ୍କ ଆଶା ।

 

ସେମିତି ଆଉ ଜଣେ ବୟସର ଅପରାହ୍ନରେ ଥାଇ ବି ରାଜନୀତି ପୋଖରୀକୁ ଡେଇଁଥିବା ପ୍ରାର୍ଥୀ ହେଲେ ଢେଙ୍କାନାଳ ସଦରବ୍ଲକ ଚାଉଳିଆ ପଞ୍ଚାୟତରୁ ସମିତିସଭ୍ୟ ପଦ ପାଇଁ ଲଢୁଥିବା ପ୍ରେମାନନ୍ଦ ରାଉତ । ପୂର୍ବରୁ ସେ ପୂର୍ବରୁ ଶିକ୍ଷକ ଥିଲେ, ୨୦୧୧ରେ ଅବସର ନେବା ପରଠୁ ସମାଜସେବାରେ ଲାଗିଛନ୍ତି । ଆଉ ଏବେ ଲୋକ ପ୍ରତିନିଧି ହେବାକୁ ମନ ବଳାଇଛନ୍ତି ।

ଖାଲି ବୟସ୍କ ନୁହଁନ୍ତି, ବୟସ୍କା ପ୍ରାର୍ଥୀ ବି ଅଛନ୍ତି । ଏଥର ପଞ୍ଚାୟତ ରଣାଙ୍ଗନରେ ରାୟଗଡ଼ା ଜିଲ୍ଲା କେଲିଗୁଡ଼ା ପଞ୍ଚାୟତରେ ସରପଞ୍ଚ ପଦ ଲାଗି ଲଢୁଛନ୍ତି ବାମିନି ମିଣିଆକା । ଯଦିଓ ବାମିନି ରାଜନୀତିରେ ନୂଆ ନୁହଁନ୍ତି, ତେବେ ବୟସ ତାଙ୍କ ପାଇଁ ଟିକେ ବାଟ ଓଗାଳୁଥିବା ମନେ ହେଉଥିବ । କିନ୍ତୁ କଥାଟା ପୁରା ଭୁଲ୍ । ଏବେ ବି ସେ ଚଳଚଞ୍ଚଳ ଓ ପଞ୍ଚାୟତବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିବାକୁ ପ୍ରତିଶୃତିବଦ୍ଧ । ପୂର୍ବରୁ ୨ଥର ଓ୍ୱାର୍ଡ ସଭ୍ୟ ୨ଥର ସରପଞ୍ଚ ହୋଇ ସାରିଥିବା ବାମିନି ନିଜ ଘର ଓ ପରିବାର କଥା ଭୁଲି ସବୁବେଳେ ଲୋକଙ୍କ ସେବାରେ ଲାଗିଥିବାରୁ ତୃତୀୟ ଥର ବି ଭୋଟରଙ୍କ ହୃଦୟ ଜିତିଯିବେ ବୋଲି କହୁଛନ୍ତି ସ୍ଥାନୀୟ ମତଦାତା ।

ଆଉ ଜଣେ ହେଳେ ୯୫ ବର୍ଷ ବୟସ୍କ ମିନି ଜେନା । ସେ ୯୫ ପାର୍, ତଥାପି ପଞ୍ଚାୟତ ମଇଦାନରେ ପ୍ରାର୍ଥୀ । ଭଣ୍ଡାରୀପୋଖରୀ ବ୍ଲକ୍ ତେସିଙ୍ଗା ପଞ୍ଚାୟତର ୪ନମ୍ବର ଓ୍ୱାର୍ଡମେମ୍ବର ପଦ ପାଇଁ ଲଢୁଛନ୍ତି । ମିନିଙ୍କ କହିବା କଥା, ତାଙ୍କ ଜୀବନକାଳ ଭିତରେ ସେ ଆଖପାଖ ଅଞ୍ଚଳରେ ପ୍ରାୟ ୨ହଜାର ଗର୍ଭବତୀଙ୍କୁ ପ୍ରସବ କରାଇଛନ୍ତି । ଲୋକେ ତାଙ୍କୁ ଭଲକରି ଜାଣନ୍ତି ଓ ଚିହ୍ନନ୍ତି । ତେଣୁ ଭୋଟ୍ ପାଇବାରେ ଅସୁବିଧା ହେବନି । ତାଙ୍କର ବି ଇଚ୍ଛା ଜୀବନର ଶେଷ ସମୟରେ ନିଜ ଓ୍ୱାର୍ଡ ପାଇଁ କିଛି ଉନ୍ନତିମୂଳକ କାମ କରିବେ ।