• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଉଠାଇଥିଲେ ଏହି ପ୍ରସଙ୍ଗ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଖୋଲି ସେଥିରେ କେତେ ପରିମାଣର ସୁନା, ରୁପା, ହୀରା ଓ ଅନ୍ୟାନ୍ୟ ରତ୍ନ ଆଦି ରହିଛି, ସେନେଇ ଜାଣିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ କରିଥିଲେ ମୋହନ ମାଝୀ ।

ଏହାର ଉତ୍ତରରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ, ରତ୍ନ ଭଣ୍ଡାର ଖୋଲିବା ନେଇ ପ୍ରସ୍ତାବ ଆସିଲେ ସେନେଇ ଅନୁଧ୍ୟାନ କରି ପଦକ୍ଷେପ ନେବୁ । ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ବି କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ମରାମତି ଓ ଅଳଙ୍କାର ଗଣତି ପାଇଁ ପୂର୍ବରୁ କରିଥିଲେ ଅପିଲ୍ ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ପ୍ରାଥମିକତା ଭିତ୍ତିରେ ବଲାଙ୍ଗୀର ଜିଲ୍ଲାରେ ଥିବା ଭୀମ ପାହାଡ, ରାଣୀ ଝରିଆଲ, ହରିଶଙ୍କର ପର୍ଯଟନସ୍ଥଳୀର ବିକାଶ କରାଯିବ । ସ୍ଥିତି ଅନୁଧ୍ୟାନ ପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୃହରେ କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ।

ଆଜି ପ୍ରଶ୍ନକାଳରେ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ମୂଳପ୍ରଶ୍ନ ଓ ବିଧାୟକ ନରସିଂହ ମିଶ୍ରଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ୨୦୧୬ ପର୍ଯ୍ୟଟନ ନୀତି ଅନୁଯାୟୀ, ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀଗୁଡିକର ଭିତ୍ତିଭୂମିର ବିକାଶ ଜାରି ରଖିଛନ୍ତି । ହୋଟେଲ, ଷ୍ଟାର ହୋଟେଲ, ମୌଜ ଉଦ୍ୟାନ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି କୋରାପୁଟ ଜିଲ୍ଲାର ଦେଓମାଳୀ, ଗୁପ୍ତେଶ୍ୱର ଓ ମାଛକୁଣ୍ଡକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରାଯାଇଛି । ହେଲେ ଏଠାରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଉ ନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି, ଏହି ପ୍ରସଙ୍ଗରେ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ।