• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଦ୍ରକ ଧାମନଗର ପରେ ବରଗଡ଼ର ପଦ୍ମପୁର । ଏଠି ବି ଉପନିର୍ବାଚନ ଲାଗି ଆରମ୍ଭ ହେଲା କସରତ । ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ୧୦ରୁ ଆରମ୍ଭ ହେବ ନାମଙ୍କନପତ୍ର ଦାଖଲ ପକ୍ରିୟା । ତେଣୁ ପ୍ରାର୍ଥୀ ଚୟନ ଲାଗି ହାତରେ ଆଉ କମ ସମୟ ଥିବାରୁ ସବୁ ଦଳ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ୍ ଉପଯୁକ୍ତ ପ୍ରାର୍ଥୀ ଚୟନ ।

ତେବେ ପ୍ରାର୍ଥୀ ବଛା ପ୍ରକ୍ରିୟାରେ ବିଜେଡି ଓ କଂଗ୍ରେସ ଅପେକ୍ଷା, ଟିକେ ସ୍ପଷ୍ଟ ଚିତ୍ର ରଖିଛି ବିଜେପି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ସେଲ୍‌ର ସଭାପତି ପ୍ରଦୀପ ପୁରୋହିତ ପଦ୍ମ ଦଳରୁ ଲଢ଼ିବା ଏକ ପ୍ରକାର ନିଶ୍ଚିିତ । କଂଗ୍ରେସ ଏଠୁ କାହାକୁ ପ୍ରାର୍ଥୀ କରିବ, ସେନେଇ ଦଳର ଏକ ପର୍ଯ୍ୟବେକ୍ଷକ ଟିମ୍ ଗ୍ରାଉଣ୍ଡ ଭିଜିଟ୍ କରି ୪ ଜଣଙ୍କ ନାଁ ସ୍ଥିର କରିଛି । ଏମାନେ ହେଲେ ପୂର୍ବତନ ବିଧାୟକ ସତ୍ୟଭୁଷଣ ସାହୁ, ଦଳର ବରିଷ୍ଠ ନେତା ସୁନୀଲ ଅଗ୍ରଓ୍ୱାଲ୍, ପଦ୍ମପର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଚମ୍ପକେଶ୍ୱର ପୁରୋହିତ ଓ ଆଦିବାସୀ ନେତା ଗଜରାଜ ସିଂ ପୁଟାହ୍ନା ।

ସେପଟେ ଧାମନଗର ଝଟ୍‌କା ପରେ ଏ ଉପନିର୍ବାଚନରେ ବି ପ୍ରାର୍ଥୀ ଚୟନକୁ ନେଇ ପୁଣି ଅଡୁଆରେ ପଡ଼ିଛି ବିଜେଡି । ଧାମନଗରରେ ଦଳ ଯେଉଁ ଭୁଲ୍ କରିଥିଲା, ପଦ୍ମପୁରରେ ତାକୁ ରିପିଟ୍ କରିବାକୁ ଚାହୁିଁନି । ତେଣୁ ସର୍ବସମ୍ମତି ଥିବା ପ୍ରାର୍ଥୀ ଚୟନ ପାଇଁ ଚାଲିଛି ଜୋରଦାର ବିଚାରବିମର୍ଶ । ଶଂଖ ଦଳରୁ ଲଢ଼ିବା ପାଇଁ ଆଗରେ ଥିବା ନେତାଙ୍କ ଭିତରୁ ସବୁଠୁ ଆଗରେ ଅଛନ୍ତି ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳତ୍ତୋମା ସିଂ ବରିହା । ସେପଟେ ନୂଆପଡାରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢେଇ ମଧ୍ୟ ଅନ୍ୟତମ ଦାବିଦାର ଚର୍ଚ୍ଚା ହେଉଛି ।

ସେପଟେ ଧାମନଗର ଉପନିର୍ବାଚନରେ ବିଜେପିର ବୃହତ ବିଜୟ ପରେ ଏହାର ସିଧାସଳଖ ପ୍ରଭାବ ପଦ୍ମପୁରରେ ପଡିବ ବୋଲି ଚର୍ଚ୍ଚା ଢେର । ୨୦୧୯ ନିର୍ବାଚନରେ ମଧ୍ୟ ବିଜୟ ରଂଜନ ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ମାତ୍ର ୫ ହଜାର ୭୩୪ ଭୋଟ ବ୍ୟବଧାନରେ ହରାଇଥିଲେ । ତା’ପୂର୍ବରୁ ୨୦୧୪ରେ ପଦ୍ମପୁର ବିଧାୟକ ଥିଲେ ପ୍ରଦୀପ ପୁରୋହିତ । ତେଣୁ ଧାମନଗର ଭଳି ଏଠି ବି ବିଜେପି ଓ ବିଜେଡି ଭିତରେ କାଣ୍ଟେ କା ଟକ୍କର ସ୍ଥିତି । ସେପଟେ ପଦ୍ମପୁରରେ କଂଗ୍ରେସର ନିର୍ଦ୍ଦିଷ୍ଟ କିଛି ଭୋଟ୍ ରହିଥିବାରୁ ଦଳ ଏଠି ନିର୍ଣ୍ଣାୟକ ଭୂମିକା ନେବ ବୋଲି ଅନୁମାନ କରାଯାଉଛି ।

ଆସନ୍ତା ଡିସେମ୍ବର ୫ ଅର୍ଥାତ, ମାତ୍ର ଗୋଟିଏ ମାସର ବ୍ୟବଧାନ ପରେ ଓଡ଼ିଶାରେ ହେବାକୁ ଯାଉଛି ଆଉ ଏକ ଉପନିର୍ବାଚନ । ୟା ଭିତରେ ଗତ କିଛି ବର୍ଷ ଧରି ସବୁ ଉପନିର୍ବାଚନକୁ ବିଜେଡି ଏକତରଫା ଭାବେ ଜିତି ଆସୁଥିବା ବେଳେ ଧାମନଗର ନିର୍ବାଚନ ଫଳାଫଳ ସେଥିରେ ବ୍ରେକ୍ ଲଗାଇଥିବାରୁ ପଦ୍ମପୁର ଲଢେଇ ଅଧିକ ରୋଚକ ହେବା ଆଶା କରାଯାଉଛି ।