• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମମିତା ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତିକୁ କଂଗ୍ରେସର କଡ଼ା ସମାଲୋଚନା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏଭଳି ବିବୃତିକୁ ରାଜ୍ୟ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି । କଂଗ୍ରେସର ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସେମାଲୋଚନା କରିଛନ୍ତି ।

ଗଣେଶ୍ୱର କହିଛନ୍ତି ମନ୍ତ୍ରୀଙ୍କ ବିବୃତି ନିହାତି ଅର୍ଥହୀନ ଓ ଅତ୍ୟନ୍ତ ହାଲୁକା । ବିବୃତ୍ତି କୌଣସି କଥା ସ୍ପଷ୍ଟ ନାହିଁ । ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିନାହାନ୍ତି । ସିଆରପିସି ଅନୁସାରେ ସମ୍ମାନ ହାନି ହେଲେ ହିଁ ମାନହାନି ମାମଲା ହେବ । ମନ୍ତ୍ରୀ କହିଥିବା ମାନହାନି ମାମଲା କଥା ଅର୍ଥହୀନ ବୋଲି କହିଲେ ଗଣେଶ୍ୱର ।

ମନ୍ତ୍ରୀ ମାନହାନୀ ମାମଲା କରି ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରିଛନ୍ତି । ଯାହାକି ଅତ୍ୟନ୍ତ ନିନ୍ଦନୀୟ ବିଷୟ । ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ତଦନ୍ତ ପରିସରକୁ ଆସି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରନ୍ତୁ ବୋଲି ଗଣେଶ୍ୱର ଦାବି କରିଛନ୍ତି । ମନ୍ତ୍ରୀଙ୍କ ବିବୃତିକୁ କଂଗ୍ରେସ ଦୃଢ଼ ଭାବେ ନିନ୍ଦା କରୁଛି । ମନ୍ତ୍ରୀଙ୍କ ବିରୋଧରେ ଏବଂ ମମିତା ମେହେରଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଆନ୍ଦୋଳନ ଏଭଳି ଜାରି ରହିବ । ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ତେବେ ମମିତା ହତ୍ୟା ମାମଲାର ପ୍ରାୟ ୨୧ ଦିନ ପରେ ତଥା ଗତ ଶୁକ୍ରବାର ସନ୍ଧ୍ୟାରେ ମନ୍ତ୍ରୀ ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ନିଜର ମତ ରଖିଥିଲେ । ତାକୁ ବିବୃତ୍ତିକୁ ଉଭୟ ରାଜ୍ୟ ବିଜେପି ଓ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି । ଗଣେଶ୍ୱରଙ୍କ ପୂର୍ବରୁ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଶୁକ୍ରବାର ସନ୍ଧ୍ୟାରେ ହିଁ ଏକ ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କରିବା ସହ କହିଛନ୍ତି ମନ୍ତ୍ରୀଙ୍କ ବିବୃତିରେ, ତଦନ୍ତକୁ ବାଟବଣା କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ମନ୍ତ୍ରୀଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆସିଛି, ସେହି କଥାକୁ ନବୁଲାଇ ନିର୍ଦ୍ଧିଷ୍ଟ ଉତ୍ତର ଦେବା ସହ ୪ଟି ପ୍ରଶ୍ନର ପଚାରିଛନ୍ତି ଲେଖାଶ୍ରୀ । କହିଛନ୍ତି, ମମିତାଙ୍କ ପାଖରେ କେଉଁ ଭିଡିଓ ରହିଥିଲା, ତାହା ମନ୍ତ୍ରୀ ନିଜେ ସ୍ପଷ୍ଟ କରନ୍ତୁ । ରାୟପୁରରେ ମମିତା-ଗୋବିନ୍ଦ ସହ ଯେଉଁ ମିଟିଂ କଥା ଉଠୁଛି, ସେ ବିଷୟରେ ସ୍ପଷ୍ଟ କରନ୍ତୁ ।

ଏହାସହ ଗୋବିନ୍ଦ ଫେରାର ନେଇ ବିଭାଗୀୟ ମନ୍ତ୍ରୀ ଭାବେ ମଧ୍ୟ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ । ହତ୍ୟାରେ ଦୁଃଖିତ କହିଲେ କିନ୍ତୁ ପରିବାରକୁ ଭେଟିବାକୁ ଥରେ ବି ଗଲେନି ମନ୍ତ୍ରୀ । ଏଥିରୁ ସେ କେତେ ଦୁଃଖୀ ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି କହି ସମାଲୋଚନା କରିଛନ୍ତି ଲେଖାଶ୍ରୀ ।