Advertisment

Adivasi Land Sale Controversy: ଆଦିବାସୀଙ୍କ ଜମି ବିକ୍ରି : ଚପି ଯାଇଥିଲେ ପୂର୍ବ ସରକାର, ମୁଣ୍ଡ ଟେକିଲେ ମୋହନ ସରକାର

ଏହି ପ୍ରସଙ୍ଗରେ ପୂର୍ବରୁ ବିଜେଡି ସରକାରକୁ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଥିଲା । ଶେଷରେ ବ୍ୟାକଫୁଟକୁ ଯିବାକୁ ବାଧ୍ୟ ହୋଇଥିଲା ନବୀନ ସରକାର । ବର୍ତ୍ତମାନର ବିଜେପି ସରକାର ସେହି ‘ଆଦିବାସୀଙ୍କ ଜମି ବିକ୍ରି’ ପ୍ରସଙ୍ଗ ଉଠାଇ ବିତର୍କର ସାମ୍ନା କରୁଛନ୍ତି। ତେବେ ଅଚାନକ ସରକାର ଏହି ଜମି କିଣା ବିକା ଉପରେ ମନ ବଳାଇଲେ କାହିଁକି?

author-image
Dilip Sabat
ଅଦ୍ୟତନ ହୋଇଛି
Adivasi Land

Adivasi Land

ଅତୀତରେ ଆଦିବାସୀମାନେ ସେମାନଙ୍କ ଜମିକୁ ନେଇ ଚିନ୍ତା ଓ ଅପଦସ୍ତ ଯଦି ହୋଇଛନ୍ତି ତାହେଲେ ତତ୍କାଳୀନ ସରକାରଙ୍କ ପାଇଁ l ଖଣି କମ୍ପାନୀଙ୍କୁ ଜମି ଦେବା ପାଇଁ ଅଧିଗ୍ରହଣ, ଉଚ୍ଛେଦ ଆଦିକୁ ନେଇ କେତେଯେ ଲଙ୍କାକାଣ୍ଡ ଅତୀତରେ ଦେଖାଯାଇଛି ତାର ହିସାବ ନାହିଁ l ବିପକ୍ଷ ଦଳ ଓ ବିଭିନ୍ନ ସଂଗଠନ ଏସବୁର ପ୍ରତିବାଦ କଲାବେଳେ ରାଜ୍ୟରେ ପେସା ଆଇନ ପ୍ରଚଳନ ଦାବିକୁ ଜୋର ଦେଇଛନ୍ତି l ପୂର୍ବ ସରକାର ପେସା ଆଇନ ଲାଗୁ କଲେ ନାହିଁ l ଏବେକାର ମୋହନ ମାଝୀ ସରକାର କ୍ଷମତାକୁ ଆସୁ ଆସୁ ଏହି ଆଇନ ଲାଗୁ କରିବା କଥା କହିଲେ l ଆଉ ସରକାର ଜମି କିଣା ବିକା ପାଇଁ ମନ ବଳାଇଛନ୍ତି l

Advertisment

ଗତ ବିଜେଡି ସରକାରରେ ଆଦିବାସୀମାନଙ୍କ ଜମି ବିକ୍ରି ପ୍ରସଙ୍ଗକୁ ନେଇ ପ୍ରବଳ ବିରୋଧ ହୋଇଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ବିବାହ ତଥା ଅତ୍ୟାବଶ୍ୟକୀୟ ପରିସ୍ଥିତିରେ ଅଦିବାସୀମାନେ ଜମି ଅଣଆଦିବାସୀଙ୍କୁ ବିକ୍ରି କରିପାରିବା ଭଳି ଏକ ପ୍ରସ୍ତାବକୁ କ୍ୟାବିନେଟ ମଂଜୁର କଲା । ତେବେ ପ୍ରସ୍ତାବର ୪୮ ଘଣ୍ଟା ନପୂରୁଣୁ ପୂର୍ବ ସରକାର ଏହାକୁ ସ୍ଥଗିତ ରଖିଲେ ।

ହେଲେ ଏତିକିରେ ବିରୋଧୀ ଚୁପ୍ ରହିନଥିଲେ l ପ୍ରସ୍ତାବକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି ହେଲା । ଖଣି ତଥା ଶିଳ୍ପ କମ୍ପାନୀ ହାତରେ ଆଦିବାସୀମାନଙ୍କ ଜମି ଟେକିଦବା ପାଇଁ ସରକାରଙ୍କ ଏହା ଷଡଯନ୍ତ୍ର ବୋଲି ବିରୋଧୀ ଆଭିଯୋଗ ଆଣିଲେ । ବିରୋଧୀ ଦଳରେ ଥିବା ବିଜେପି ବିଧାନସଭାରେ ବ୍ୟାପକ ହଙ୍ଗାମା ପ୍ରଦର୍ଶନ କଲା। ଆଦିବାସୀ ଜମିଜମା ବିକ୍ରି ସଂକ୍ରାନ୍ତୀୟ ବିଲକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟପାଳଙ୍କ ନିକଟରେ ବିଜେପି ବିଧାୟକ ଫେରାଦ ହେଲେ l ବିଧାନସଭାରେ ଅଚଳାବସ୍ଥା ଲାଗିରହିଲା l ଏଥି ସହିତ ରାଜ୍ୟରେ ପେସା ଆଇନ ଲାଗୁ କରିବାକୁ ବିରୋଧୀ କଂଗ୍ରେସ ଦାବି କଲା । ପେସା ଆଇନ ତ ଲାଗୁ ହେଲାନି, କିନ୍ତୁ ଆଦିବାସୀଙ୍କ ଜମି ବିକ୍ରିର ପ୍ରସ୍ତାବ ପ୍ରତ୍ୟାହାର ହେଲା ।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବାଂଲାଦେଶୀଙ୍କୁ କିଏ ଦେଇଛି ପ୍ରଶ୍ରୟ ? ଭୁବନେଶ୍ୱର ମେୟରଙ୍କ ବୟାନ ପରେ ତେଜିଲା ବୟାନବାଜି

ରାଜ୍ୟରେ ବିଜେପି ସରକାର ଗଠନ ହେବାର ୧୧ ମାସ ପରେ ପୁନର୍ବାର ସେହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ସାମ୍ନାକୁ ଆସିଛି । ଅବଶ୍ୟ ଅଣଆଦିବାସୀ ନୁହେଁ ବରଂ ଆଦିବାସୀମାନେ ସେମାନଙ୍କ ଜମି ସରକାରଙ୍କୁ ବିକ୍ରି କରିପାରିବା ଭଳି ପ୍ରକ୍ରିୟା ପ୍ରସ୍ତୁତ ହେଉଥିବା ରାଜସ୍ୱ ମନ୍ତ୍ରୀଙ୍କ ବୟାନ ପ୍ରକାଶ ପାଇଛି । ଯଦିଓ ଏନେଇ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କିମ୍ବା ପ୍ରସ୍ତାବ ପ୍ରକାଶ ପାଇ ନାହିଁ, କିନ୍ତୁ ରାଜନୈତିକ ସ୍ତରରେ ଏବଂ ବିଭିନ୍ନ ସଂଗଠନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଝିଅ ବାହାଘର, ସ୍ୱାସ୍ଥ୍ୟ ଚିକିତ୍ସା ଓ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ ସରକାର କିଣିବେ। ସରକାର ଉକ୍ତ ଜମିକୁ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବେ। ପରେ ଜମି ମାଲିକ ଚାହିଁଲେ ପୁଣି ସରକାରଙ୍କ ଠାରୁ ସେହି ଜମି କିଣିପାରିବେ। କିନ୍ତୁ ଯଦି ଜମି ମାଲିକ ଆଉ ଜମି ଫେରାଇ ନେବାକୁ ଚାହିଁବେ ନାହିଁ। ତେବେ ଅନୁସୂଚିତ ଜନଜାତି ଲୋକଙ୍କ ପାଖରୁ କିଣା ଯାଇଥିବା ଜମି ସେହି ବର୍ଗର ଲୋକଙ୍କୁ ହିଁ ନିଲାମ କରାଯିବ।

ଏହା ପୂର୍ବରୁ ଡିସେମ୍ବର ୨୦୨୪ ବିଧାନସଭା ଅଧିବେଶନରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଏକ ପ୍ରଶ୍ନରେ ଆଦିବାସୀଙ୍କ ଜମି କେହି ଦଖଲ କରିପାରିବେ ନାହିଁ l ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିଲେ, ବେଆଇନ ଘୋଷଣା କରାଯିବ ବୋଲି ଉତ୍ତର ରଖିଥିଲେ l ଯାହାକୁ ନେଇ ବିଭିନ୍ନ ମହଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା l

ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ବାସଗୃହ ଭଳି ମୌଳିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ହେଉଛି ସରକାରଙ୍କ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ l ଏଥିପାଇଁ ବ୍ୟାପକ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର କରିଛନ୍ତି l ରାଜ୍ୟ ରାଜକୋଷରୁ ଏଥି ନିମିତ୍ତ ପ୍ରବଳ ଅର୍ଥ ବ୍ୟୟ ହେଉଛି l ଏସବୁ ସତ୍ତ୍ୱେ ଆଦିବାସୀମାନଙ୍କୁ ଶିକ୍ଷା ସ୍ୱାସ୍ଥ୍ୟ ସୁବିଧା ପାଇଁ ଜମି ବିକ୍ରି କରିବାକୁ ପଡିବ? ଖୋଦ ସରକାର ଏକଥା କେମିତି କହୁଛନ୍ତି?

ଅଚାନକ ସରକାର ଆଦିବାସୀମାନଙ୍କ ଜମି ସୁରକ୍ଷା ଚିନ୍ତା ପ୍ରକଟ କଲେ କାହିଁକି? ଏହା ଏକ ଭୟଙ୍କର ନିଷ୍ପତ୍ତି ଯାହାକୁ ସରକାର ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି l ପୁଞ୍ଜିପତି ତଥା ଶିଳ୍ପପତିମାନଙ୍କୁ ଜମି ହସ୍ଥାନ୍ତର ପାଇଁ ଷଡଯନ୍ତ୍ର ହେଉଥିବା ମତ ପ୍ରକାଶ ପାଇଛି l ତେବେ ଏହି ନିଷ୍ପତ୍ତିରେ ସରକାର ବ୍ୟାକଫୁଟକୁ ଯିବେ ନା ଆଗକୁ ଆସି ବିପକ୍ଷଙ୍କ ଜନ ଆନ୍ଦୋଳନର ଆହ୍ୱାନକୁ ଆଗକୁ ବଢ଼ାଇବେ? ନିଷ୍ପତ୍ତି ସରକାରଙ୍କ ହାତରେ l

ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ 'ଲିଗାସୀ' ଗୋଟି, କାହା ପଲା ଭାରି

Naveen Patnaik BJD BJP Politics Mohan Majhi
Advertisment
Advertisment