• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ୍ ଆଦମୀ ପାର୍ଟି ଫୋକସ୍‌ରେ ଓଡ଼ିଶା । ବିଜେଡିର ବିକଳ୍ପ ସାଜିବାକୁ ଆପ୍‌ର ପ୍ରୟାସ । ଭୁବନେଶ୍ୱରରେ ଆଜି ଅନୁଷ୍ଠିତ କର୍ମକର୍ତ୍ତା ସମ୍ମିଳନୀରେ ପ୍ରଭାରୀ ବିରେନ୍ଦର୍ ସିଂ କାଡିଆନ୍ ଯୋଗଦେଇ ୨୦୨୪ ପାଇଁ ପ୍ରସ୍ତୁତି ଲାଗି ମନ୍ତ୍ର ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଓ ବେକାରୀ ସମସ୍ୟାକୁ ଦଳ ନିର୍ବାଚନୀ ପ୍ରସଙ୍ଗ କରିବ ।

ପ୍ରାଥମିକ ସ୍ତରରେ ଦଳକୁ ଜିଲ୍ଲା ସ୍ତରରେ ସଂଗଠିତ କରାଯିବ । ଖାଲି ସେତିକି ନୁହେଁ ଅନ୍ୟଦଳର ପୁରୁଖା ନେତାଙ୍କୁ ବି ଆମଦାନୀ କରିବା ଲାଗି ଦଳ ପ୍ରସ୍ତୁତ କରିଛି ରଣନୀତି । ବିଜେଡି ୨୨ ବର୍ଷ ଧରି ସରକାରରେ ଥିଲେ ବି ରାଜ୍ୟ ଯେତିକି ଆଗେଇବା କଥା ସେତିକି ଆଗେଇନି । ଅମଲାତନ୍ତ୍ର ଶାସନକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ବିଜେପି ଓ କଂଗ୍ରେସ ଏଠି ବିଜେଡି ସହ ମିଶିକରି ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି କାଡିଆନ୍ । ରାଜ୍ୟରେ ସରକାର ବିରୋଧୀ ଜନ ଅସନ୍ତୋଷ ପ୍ରବଳ ମାତ୍ରାରେ ଅଛି । ଯାହାକୁ ପାଥେୟ କରି ଆମ୍ ଆଦମୀ ପାର୍ଟି ବିକଳ୍ପ ସାଜିବ ବୋଲି ଲକ୍ଷ୍ୟ ରଖିଛି । ଖାଲି ସେତିକି ନୁହେଁ, ଦଳ କହିଛି କିଛି ବିଧାୟକ ଏବେ ଆପ୍ ସହ ଯୋଗାଯୋଗରେ ଅଛନ୍ତି । ସମୟ ଆସିଲେ ସ୍ପଷ୍ଟ ହେବ ।

୨୦୨୪ ପାଇଁ ପ୍ରମୁଖ ବିରୋଧୀ ଦଳ ବିଜେପି ମିଶନ ୧୨୦ ପ୍ଲସ୍‌ରେ କାଏମ୍ ରହିଛି । କଂଗ୍ରେସ୍ ୯ ରୁ ୯୦ ଷ୍ଟ୍ରାଟେଜି ନେଇ ଆଗକୁ ବଢୁଛି । ଆପ୍ କିନ୍ତୁ ସେଭଳି କିଛି ଟାର୍ଗେଟ ସମ୍ପର୍କରେ ଏଯାଏ ସ୍ପଷ୍ଟ କରିନି । କିନ୍ତୁ ନିକଟରେ ଶେଷ ହୋଇଥିବା ପୌର ନିର୍ବାଚନରେ ଦଳ ନିଜର ସ୍ଥିତି ଜାହିର୍ କରିଥିଲା । ବ୍ରହ୍ମପୁରରେ ଦଳ କଂଗ୍ରେସକୁ ଚତୁର୍ଥ ସ୍ଥାନକୁ ଠେଲି ତୃତୀୟ ସ୍ଥାନ ହାସଲ କରିଥିଲା । ତେବେ ସାଧାରଣ ନିର୍ବାଚନକୁ ଦୁଇ ବର୍ଷରୁ କମ୍ ସମୟ ଥିବାବେଳେ ସଂଗଠନକୁ ମଜବୁତ କରି ଭୋଟ୍ ହାତେଇବା ଦଳ ପାଇଁ ବଡ଼ ଚାଲେଞ୍ଜ ହେବ ।

ସେହିପରି ଦିଲ୍ଲୀରେ ଥିବା ଆପ୍ ସରକାରର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଦୁର୍ନୀତିରେ ଛନ୍ଦି ହୋଇ ଗିରଫ ହୋଇଛନ୍ତି । ଶିକ୍ଷାମନ୍ତ୍ରୀ ମନୀଷ ଶିଶୋଦିଆ ବି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇଛନ୍ତି । ଯାହାକି ଦଳର ଛବିକୁ ମଳିନ କରିପାରେ । ସେପଟେ ବିଜେପି କହିଛି ଦୁର୍ନୀତିରେ ଲିପ୍ତ ଥିବା ଆପ୍‌କୁ ଓଡିଶାବାସୀ ଗ୍ରହଣ କରିବେନି । ବିଜେଡି ଓ କଂଗ୍ରେସ କହିଛନ୍ତି ଆପ୍ ସେଭଳି କିଛି ପ୍ରଭାବ ପକାଇପାରିବନି ।

ପ୍ରଥମେ ଦିଲ୍ଲୀ ପରେ ପଞ୍ଜାବକୁ ନିଜ ଅକ୍ତିଆରକୁ ନେଇଛି ଆପ୍ । ଏବେ ଦଳର ନଜର ଗୁଜରାଟ ଏବଂ ଓଡିଶା ଉପରେ । ତେବେ ଦଳ ଓଡିଶାରେ କେତେ ସଫଳ ହେଉଛି ତାଉପରେ ନଜର ।