• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଜାବରେ ଆପ୍‌ର ଭାଙ୍ଗଡ଼ା । ବିଜୟର ବଲ୍ଲେ ବଲ୍ଲେ । ପଂଜାବରେ ଐତିହାସିକ ବିଜୟ ପରେ ଆଉ ଏକ ନୂଆ ଧାରା ଆରମ୍ଭ କରିବାକୁ ଯାଉଛି ଆମ୍ ଆଦମୀ ପାର୍ଟି । ମୁଖ୍ୟମନ୍ତ୍ରୀ ଭାବେ ଭଗଓ୍ୱନ୍ତ ମାନ୍ ରାଜଧାନୀରେ ଶପଥ ଗ୍ରହଣ ନ କରି ସହିଦ ଭଗତ ସିଂହଙ୍କ ଗାଁରେ ଶପଥ ନେବେ । ସହିଦ ଭଗତ ସିଂହଙ୍କୁ ସମ୍ମାନ ଦେବାକୁ ଆପ୍ ଏହି ନିଷ୍ପତ୍ତି ନେଇଛି । ବିପୁଳ ବିଜୟ ହାସଲ କରିବା ପରେ ଦଳର ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲଙ୍କୁ ଭେଟିବା ପାଇଁ ଆଜି ସେ ଦିଲ୍ଲୀ ଯାଉଛନ୍ତି ।

କେଜରିଓ୍ୱାଲଙ୍କ ସହିତ ଆଲୋଚନା ପରେ କେବେ ଶପଥ ନିଆଯିବ, ତାହା ଜଣାପଡ଼ିବ । ଆଜି ସଂଧ୍ୟା ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ମାନ୍ । କାଲି ସରକାର ଗଠନ ନେଇ ସେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବେ । ୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦ୍‌ମୀ ପାର୍ଟି ୯୨ ଆସନ ହାସଲ କରିଛି । କଂଗ୍ରେସକୁ ୧୮ଟି ସିଟ୍ ମିଳିଥିବା ବେଳେ ବିଜେପିକୁ ୨ଟି, ଅକାଳି ଦଳକୁ ୩ଟି ସିଟ୍ ମିଳିଛି ।

ପଞ୍ଜାବ ରାଜନୈତିକ ଇତିହାସରେ ପ୍ରଥମଥର ପାଇଁ କଂଗ୍ରେସ-ଅକାଳୀ ପାଳିରାଜ୍‌କୁ ଖତମ୍ କରି ବିପୁଳ ବିଜୟ ସହ କ୍ଷମତାକୁ ଆସିଛି ଆମ୍ ଆଦ୍‌ମୀ ପାର୍ଟି । ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ୫୭ ହଜାରରୁ ଅଧିକ ଭୋଟ୍‌ରେ ଜିତି କମେଡି କିଙ୍ଗ୍ ସାଂସଦ ରାସ୍ତା ଦେଇ ବନିବାକୁ ଯାଉଛନ୍ତି ପଞ୍ଜାବର ନୂଆ ସିଏମ୍ । ଆଉ ଏହା ଭିତରେ ନୂଆଦିଲ୍ଲୀରେ ପାର୍ଟି ସୁପ୍ରିମୋ ମିଡିଆକୁ ସମ୍ବୋଧିତ କରି କହିଥିଲେ, ପ୍ରଥମେ ଦିଲ୍ଲୀ ଆଉ ଏବେ ପଞ୍ଜାବରେ ଇନ୍‌କିଲାବ ହେଲା । ଏବେ ପୂରା ଦେଶରେ ହେବ ଇନ୍‌କିଲାବ୍ ।

ସେ ଆହୁରି କହିଥିଲେ, ମୁଁ ଆତଙ୍କବାଦୀ ନୁହେଁ, ଦେଶର ସଚ୍ଚା ସନ୍ତାନ । ଯାହା ଦିଲ୍ଲୀରେ ଦୁଇ ଦୁଇ ଥର ହୋଇଥିଲା (୨୦୧୫ରେ ୬୭ ସିଟ୍‌, ୨୦୨୦ରେ ୬୨ ସିଟ୍‌) । ଏଥର ପଞ୍ଜାବରେ ବି ତାର ପାଖାପାଖି ରିପିଟ୍ ପ୍ରଦର୍ଶନ । ଆପ୍ ଆସୁଛି ମାନେ ବାକି ସବୁ ପାର୍ଟି ସାଫ୍ । ଏକଦମ୍ ଏକପାଖିଆ ବିଜୟ । ଦିଲ୍ଲୀ ଭଳି ଏଠି ବି ଆଖପାଖରେ କେହି ନାହିଁ । ନା କଂଗ୍ରେସ ନା ଅକାଳୀ, ନା ବିଜେପି । କେବଳ ସେତିକି ନୁହେଁ, ପଞ୍ଜାବ ରାଜନୀତିର ସବୁ ବଡ଼ ବଡ଼ ଦ୍ରୁମ ବି ଧରାଶାୟୀ ।

ଆପ୍‌ର ପ୍ରଚଣ୍ଡ ଝଡ଼ରେ ବାଦଲ ଉଡ଼ିଲେ, ତ ପ୍ରବଳ ସୁନାମିରେ ଭାସିଗଲେ ମୁଖ୍ୟମନ୍ତ୍ରୀ ଚନ୍ନି, ସିଦ୍ଧୁ, କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂ । ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଦୁଇ ଦୁଇଟି ଆସନ ଭଦୌର, ଚମକୌର ସାହେବ୍‌ରୁ ହାରିଥିବା ବେଳେ, ପିସିସି ମୁଖିଆ ନବଜୋତ୍ ସିଂ ସିଦ୍ଧୁ ପାରମ୍ପରିକ ଆସନ ଅମୃତସର ଇଷ୍ଟ, କଂଗ୍ରେସ ଛାଡ଼ି ପଞ୍ଜାବ ଲୋକ କଂଗ୍ରେସ ଦଳ ଗଢିଥିବା କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂ ପଟିଆଲା ଆସନରୁ ପରାଜୟର ମୁହଁ ଦେଖିଛନ୍ତି ।