• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିପିଲି: ପିପିଲିରେ ଏଥର ୭୮ ପ୍ରତିଶତ ଭୋଟ୍ ପଡିଛି । ୨୦୧୪ ଓ ୨୦୧୯ ତୁଳନାରେ ଏଥର ପିପିଲିରେ ଭୋଟ୍ ପ୍ରତିଶତ ବଢିବା ପରିବର୍ତ୍ତନର ସଙ୍କେତ । ଆଜି ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଭାରତୀୟ ଜନତା ପାର୍ଟି ଏଥର ପିପିଲିରେ ବାଜିମାତ୍‌ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଗତ ୩୫ ବର୍ଷ ଧରି ପିପିଲି ନିର୍ବାଚନମଣ୍ଡଳୀର ଲୋକେ ଭୟ ଓ ଆଶଙ୍କା ଭିତରେ ଥିଲେ । କିନ୍ତୁ ଏଥର ଲୋକଙ୍କ ମାନସିକତା ବଦଳିଛି, ଯାହା ସବୁ ବୁଥ୍‌ରୁ ଜଣାପଡିଥିଲା ବୋଲି ପୃଥ୍ୱୀରାଜ କହିଛନ୍ତି ।

ଗତକାଲି ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି ପିପିଲି ଉପନିର୍ବାଚନ । ମୋଟ ୭୮.୨୪ ପ୍ରତିଶତ ମତଦାନ ହୋଇଛି । ଭୋଟିଂ ପରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ବେଶ୍ ଆଶାବାଦୀ ଅଛନ୍ତି । ଆସନ୍ତା ୩ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଏବେ ସବୁ ପ୍ରର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ରହିଛି । ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ପିପିଲି ବାସୀ । ଇଭିଏମ ସବୁ ଏବେ ପେଣ୍ଠକଟାସ୍ଥିତ ଓୟାର ହାଉସ୍ ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଇନର କର୍ଡନ ଦାୟିତ୍ୱ ବିଏସଏଫ୍ ଯବାନଙ୍କୁ ଦିଆଯାଇଥିବା ବେଳେ ବ୍ୟାପକ ସୁରକ୍ଷାକର୍ମୀଙ୍କ ସହ ଦୁଇ ଜଣ ଇନ୍ସପେକ୍ଟର ଏବଂ ୩ ଜଣ ଏସଆଇଙ୍କୁ ମୁତୟନ କରାଯାଇଛି । ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ ଏବଂ ଅବଜରଭରଙ୍କ ଉପସ୍ଥିତିରେ ଭୋଟ୍ ଯାଞ୍ଚ କରାଯିବ । ଏହାପରେ ସବିଶେଷ ରିପୋର୍ଟ ଭାରତୀୟ ନିର୍ବାଚନ କମିସନଙ୍କ ଅଫିସକୁ ପଠାଯିବ ।

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁଁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଛନ୍ତି । ମୋଟ ୩୪୮ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଥିଲା । ୧୭୫ଟି ବୁଥରେ ୱେବକାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଥିଲା । ୨୩ଟି ବୁଥରେ ମାଇକ୍ରୋ ଅବଜରଭର୍ ମୁତୟନ ରହିଥିଲେ ।

୨୨ ପ୍ଲାଟୁନ୍ ଶସସ୍ତ୍ର ଫୋର୍ସ ଓ ୩ କମ୍ପାନି ବିଏସ୍ଏଫକୁ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୨୩ ଠାରୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ ହୋଇଥିଲା । ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର, ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା ହୋଇଥିଲା । ତେବେ ଏଥିପାଇଁ ୭ଟି ପୋଲିଂ ପାର୍ଟି କରାଯାଇଥିଲା । ସେମାନଙ୍କ ମଧ୍ୟରେ ମାଇକ୍ରୋ ଅବଜରଭର, ସୁରକ୍ଷା କର୍ମୀ, ପୋଲିଂ ଅଫିସର, ଭିଡିଓଗ୍ରାଫି ଟିମ୍‌ ରହିଥିଲେ ।