Advertisment

୨୪ ନିର୍ବାଚନକୁ ନେଇ ହାଇକୋର୍ଟରେ ରେକର୍ଡ ମାମଲା !

ପରାଜିତ ପ୍ରାର୍ଥୀଙ୍କ ୩୦ଟି ମିଥ୍ୟା ସତ୍ୟପାଠ ମାମଲା । ଭୁଲ୍ ତଥ୍ୟ, ଶିକ୍ଷାଗତ ଯୋଗ୍ୟତା ଓ ଜାତି ପ୍ରମାଣପତ୍ରକୁ ନେଇ କେଶ୍ ।

author-image
Satyendu Shekher Mishra
Odisha Politics

Odisha Politics

୨୪ ଭୋଟ୍ ଫଳାଫଳ ଆସିବାକୁ ୩ ମାସ ବିତିଲାଣି। ହେଲେ ଏବେ ଯାଏଁ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଅଧିକାଂଶ ପ୍ରାର୍ଥୀ। ଯେଉଁଥିପାଇଁ ଏଥର ହାଇକୋର୍ଟରେ ଦାଖଲ ହୋଇଛି ସର୍ବାଧିକ ମିଥ୍ୟା ସତ୍ୟପାଠ ମାମଲା। କିଏ ଭୁଲ ତଥ୍ୟ ପାଇଁ ତ ଆଉ କିଏ ବିଜୟୀ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଜାତିଗତ ପ୍ରମାଣପତ୍ରକୁ ନେଇ ମାମଲା ଦାୟର କରିଛନ୍ତି। ତଥ୍ୟ ଅନୁଯାୟୀ, ୨୦୧୯ ନିର୍ବାଚନରେ ୧୦ରୁ ୧୫ଟି ମିଥ୍ୟା ସତ୍ୟପାଠ ମାମଲା ଦାଖଲ ହୋଇଥିବାବେଳେ ଏଥର ଏଯାବତ୍ ୩୦ଟି ମିଥ୍ୟା ସତ୍ୟପାଠ ମାମଲା ଦାଖଲ ହୋଇସାରିଲାଣି ହାଇକୋର୍ଟରେ।

Advertisment

ଯେଉଁଥିରୁ ସମ୍ବଲପୁର ସାଂସଦ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ବିରୋଧରେ ମାମଲା ବି ରହିଛି। ସେହିପରି ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଶାରଦା ନାୟକଙ୍କ ବିରୁଦ୍ଧରେ ସର୍ବାଧିକ ୪ଟି ମାମଲା ରୁଜୁ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ନୟାଗଡ଼ ବିଧାୟକ ଅରୁଣ ସାହୁ, ସୋର ବିଧାୟକ ମାଧବ ଧଡ଼ାଙ୍କ ବିରୋଧରେ ବି ମିଥ୍ୟା ସତ୍ୟପାଠ ମାମଲା ହୋଇଛି। ଚର୍ଚ୍ଚା ହେଉଛି, ୨୦୨୪ ନିର୍ବାଚନରେ ଅନେକ ସ୍ଥାନରେ କ୍ଲୋଜ୍ ଫାଇଟ୍ ହୋଇଥିବାରୁ ମାମଲା ସଂଖ୍ୟା ବଢିଛି।

ଚର୍ଚ୍ଚାରେ ଥିବା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ମାତ୍ର ୩୭ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ଅନନ୍ତନାରାୟଣ ଜେନାଙ୍କଠାରୁ ପରାଜିତ ହୋଇଥିଲେ। ସେ ବି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଭିନ୍ନ ଦଳର ପ୍ରାର୍ଥୀ, କୋର୍ଟଙ୍କ ନିକଟରେ ମାମଲା ଦାୟର କରି ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ରଖିଥିବାବେଳେ ଆଉ କିଛି ଲମ୍ବା ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ ଲଗାଇଛନ୍ତି ।

Advertisment

ନିୟମ ଅନୁଯାୟୀ ନିର୍ବାଚନୀ ଫଳ ପ୍ରକାଶନର ୪୫ ଦିନ ଭିତରେ ବିଜୟୀ ପ୍ରାର୍ଥୀଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲା ଦାୟର ହୋଇପାରିବ। ତେବେ ଚଳିତ ଥର କାହିଁକି ମିଥ୍ୟା ସତ୍ୟପାଠ ଦାଖଲ ମାମଲା ବଢିଲା? କମ୍ ବ୍ୟବଧାନରେ ହାରିବାକୁ ଗ୍ରହଣ କରିପାରୁନାହାଁନ୍ତି କି ପ୍ରାର୍ଥୀ? ନା ପ୍ରାର୍ଥିଙ୍କ ଭିତରେ ବଢୁଥିବା ସଚେତନତା କାରଣ?

୨୦୦୨ ପୂର୍ବରୁ ପ୍ରାର୍ଥୀଙ୍କ ନାମାଙ୍କନ ସହ ସତ୍ୟପାଠ ଦାଖଲ ବ୍ୟବସ୍ଥା ନଥିଲା। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରାର୍ଥୀ ମାନେ ନିଜର ସମ୍ପତ୍ତି ତାଲିକା, ଅପରାଧିକ ମାମଲା ଦାଖଲ କରୁଛନ୍ତି। ଯାହାକୁ ଭୋଟରଙ୍କ ଅବଗତି ନିମନ୍ତେ ପବ୍ଲିକ୍ ଡୋମେନରେ ଅପଲୋଡ କରାଯାଉଛି, ଏହା ସୁଯୋଗ ସୃଷ୍ଟି କରୁଛି ମିଥ୍ୟା ସତ୍ୟପାଠ ମାମଲା ଦାଏର ଲାଗି।

ଓଡ଼ିଶାରେ ନିର୍ବାଚନୀ ଅନିୟମିତତା ପ୍ରସଙ୍ଗରେ ତିନିଟି ମାମଲା ମୁଖ୍ୟତଃ ଚର୍ଚ୍ଚାକୁ ଆସିଥିଲା। ୨୦୦୯ରେ ଆଠଗଡ଼ ବିଧାୟକ ରମେଶ ରାଉତ, ୨୦୧୪ରେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂଙ୍କୁ ଏଥିପାଇଁ ସଭ୍ୟ ପଦ ହରାଇବାକୁ ପଡ଼ିଥିବା ବେଳେ ଗତ ୨୦୧୯ରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଅଡୁଆରେ ପଡ଼ିଥିଲେ। ଏବେ ଦେଖିବାକୁ ବାକି, ନ୍ୟାୟିକ ବ୍ୟବସ୍ଥାର ଏହି ଲମ୍ବା ପ୍ରକ୍ରିୟାରେ ଆଗକୁ କାହା ମାମଲାରେ କି ରାୟ ଆସୁଛି।

BJD BJP Congress Odisha Politics
Advertisment
Advertisment