Advertisment

ଭୋଟ୍ ପୂର୍ବରୁ BJDରେ ମାଡ଼ିଲାଣି ବିଦ୍ରୋହ ରୋଗ, ନବୀନ ନିବାସ ପହଞ୍ଚିଲା ଟିକେଟ୍ କଳି

ଶକ୍ତି ପ୍ରଦର୍ଶନ ସହ ଶୀର୍ଷ ନେତୃତ୍ବଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍ । କିଏ, କେମିତି ହେବେ ମ୍ୟାନେଜ୍, ଚାଲିଛି କସରତ୍ ।

author-image
Satyendu Shekher Mishra
undefined

BJD

ନିର୍ବାଚନ ଯେତିକି ପାଖଉଛି ସେତେ ଘନଉଛି ବିଜେଡିରେ ଟିକେଟ୍ କଳି। ସମାନ୍ତରାଳ ସଂଗଠନ ସହ ଶୀର୍ଷ ନେତୃତ୍ୱକୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। ଉପାନ୍ତରୁ ଉପକୂଳ ସବୁଠି ସ୍ଥିତି ସଙ୍ଗୀନ। ଏମିତିକି ଟିକେଟ ପାଇଁ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ କରି ଲବି ବି ଆରମ୍ଭ ହୋଇଗଲାଣି। ଭୁବନେଶ୍ୱର ମହାନଗର ନିଗମର ବିଜେଡି କର୍ପୋରେଟର ଅମରେଶ ଜେନା ଆଜି କିଛି ବରିଷ୍ଠ ନାଗରିକଙ୍କୁ ନେଇ ନବୀନ ନିବାସ ଯାଇଥିଲେ। ଅମରେଶ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ଲଢିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ସେ କହିଛନ୍ତି ଠିକଣା ସମୟରେ ପଦକ୍ଷେପ ନେବି।

Advertisment

ସେପଟେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ କର୍ମୀଙ୍କ ଅସନ୍ତୋଷ ଖଲ୍ଲିକୋଟ ଡେଇଁ ଶଙ୍ଖଭବନ ଏବଂ ନବୀନ ନିବାସ ଯାଏଁ ବି ପହଞ୍ଚିଛି। ଗତକାଲି ଗାଡିରେ ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ ବ୍ୟାନର ଲଗାଇ ଶୀର୍ଷ ନେତୃତ୍ୱଙ୍କ ପାଖରେ ଫେରାଦ ହୋଇଥିଲେ ବିଧାୟିକାଙ୍କ ବିରୋଧୀ।

ଅନ୍ୟପଟେ ଦଳ ପାଇଁ ମୁଣ୍ଡବିଧା ସାଜିଲା ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ଟେକୁଥିବା ସମାନ୍ତରାଳ ସଂଗଠନ। କାକଟପୁରର ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ର ସେଠୀ ଏବର ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଖୋଲା ଚାଲେଞ୍ଜ ଦେଇ ସମାନ୍ତରାଳ ସଂଗଠନ ଜାରି ରଖିଛନ୍ତି। ଗତଥର ସୁରଙ୍କୁ ଟିକେଟ ମିଳିଥିଲେ ବି ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ କାଟି ବିଜେପିରୁ ଆସିଥିବା ତୁଷାରକାନ୍ତି ବେହେରାଙ୍କୁ ଦଳ ଟିକେଟ ଦେଇଥିଲା। ହେଲେ ଏଥର କିନ୍ତୁ ସୁର ନଛୋଡ଼ବନ୍ଦା । ତେଣୁ ଆଜି ସେ ନବୀନ ନିବାସ ଆସି ଟିକେଟ୍ ପାଇଁ ଲବି କରିଛନ୍ତି।

Advertisment

ପାଟଣାଗଡରେ ବି ଅନୁରୂପ ସ୍ଥିତି। ବିଧାୟକ ସରୋଜ ମେହେରଙ୍କୁ ଟକ୍କର ଦେଇ ବିଜେଡି ଟିକେଟ ହାତେଇବା ଲକ୍ଷ୍ୟରେ ଆଶାୟୀ ପ୍ରାର୍ଥୀ ଶିବାନନ୍ଦ ପରିଚ୍ଛା। ଉଭୟ ଅଲଗା ଅଲଗା କର୍ମୀ ସମ୍ମିଳନୀ ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। କିଛି ବିଜେଡି ନେତା ତ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ମନ୍ତବ୍ୟ ଦେବା ଆରମ୍ଭ କଲେଣି। ଏକପ୍ରକାର ଶୀତଳ ଯୁଦ୍ଧ ପରିସ୍ଥିତି ପାଟଣାଗଡ ବିଜେଡିରେ।

ସେପଟେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଝିଆରୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିବାରୁ ନିର୍ବାଚନ ମଣ୍ଡଳୀରେ ଅସନ୍ତୋଷ ତେଜିଛି। ନିର୍ବାଚନମଣ୍ଡଳୀର ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀପ୍ରିୟାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଓ ଫାଇଭ୍ ଟି ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇଛନ୍ତି। 

ଏଇ ମାସ ପ୍ରଥମାର୍ଦ୍ଧ ଭିତରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ। ତେଣୁ ତା ପୂର୍ବରୁ ବିଜେଡି ଆଶାୟୀ ନିଜ ନିଜ ଶକ୍ତି ପ୍ରଦର୍ଶନରେ ଲାଗି ପଡ଼ିଛନ୍ତି। ତେବେ ବିଦ୍ରୋହୀଙ୍କୁ ଦଳ କେମିତି ମ୍ୟାନେଜ କରି ନିର୍ବାଚନ ମଇଦାନକୁ ଯାଉଛି ତାଉପରେ ନଜର।

BJD General Election 2024 Congress BJP Odisha Politics
Advertisment
Advertisment