• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡି ଜନସମ୍ପର୍କ ପଦଯାତ୍ରରେ ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନ୍‌ । ବିଜେଡି ସାଂସଦଙ୍କ ଏହି ବୟାନ ପରେ ଏବେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ସେ କହିଛନ୍ତି, ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ । ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ୨୨ ନେତା ବିଜେପିରେ ଯୋଗ ଦେଇଥିଲେ, ସେମାନେ ଏବେ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି, ତେଣୁ ବିଜେଡି କ୍ଷମତାକୁ ଫେରିବା ରାସ୍ତା ଖୋଲୁଛି ବୋଲି କହିଛନ୍ତି ମୁନ୍ନା ଖାଁ ।

ସୂଚନା ଅନୁସାରେ ଗତକାଲି ନବରଙ୍ଗପୁରରେ ବିଜେଡି ଜନସଂପର୍କ ପଦଯାତ୍ରାରେ କର୍ମୀଙ୍କୁ ସମ୍ବୋଧନ କରି ଏଭଳି ଦମ୍ଭୋକ୍ତି କରିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାନ୍ । ତାସହ ଆହୁରି ମଧ୍ୟ କହିଛନ୍ତି- ଏବେ ବି ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ଅଛି, ତେଣୁ ଏବେ ନିର୍ବାଚନ ହେଲେ ଆମେ ଶହେ ସିଟ୍ ଜିତିବୁ ।

ସେପଟେ ବିଜେଡି ସାଂସଦ ମୁନ୍ନା ଖାନଙ୍କ ଏହି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି । ନବରଙ୍ଗପୁର ବିଧାୟକ ଗୌରଶଙ୍କର ମାଝୀ କହିଛନ୍ତି-ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କର ଏହା ଏକ ମିଡିଆ ଷ୍ଟଣ୍ଟ । ଯଦି ନବରଙ୍ଗପୁର ପାଇଁ ତାଙ୍କର ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଥାଆନ୍ତା । ସେ ଖୋର୍ଦ୍ଧା ଜିଲ୍ଲାକୁ ନୋଡାଲ ଜିଲ୍ଲା ନେଇନଥାନ୍ତେ । ଲାଷ୍ଟ ବେଳକୁ ସେ ନବରଙ୍ଗପୁରକୁ ନୋଡାଲ ଜିଲ୍ଲା ନେଇଛନ୍ତି । ସେ ନିଜର ହେବା ପାଇଁ ଏଭଳି ବିବୃତ୍ତି ରଖୁଛନ୍ତି । କିନ୍ତୁ ଲୋକମାନେ ଜାଣିଛନ୍ତି, ଏହି କଥାକୁ ଲୋକମାନେ ଗ୍ରହଣ କରିବେନି ।

ସେହିପରି ସେ ଆହୁରି କହିଛନ୍ତି, ଗତକାଲି ବିଜେଡି ସଭାରେ ରାଜ୍ୟସଭା ସାଂସଦ ଯେଉଁ କହିଛନ୍ତି ବିଜେପି ଛିଡ଼ିଯିବ ୨୨ରୁ ୧୪ଟା ବିଧାୟକ ଆମର ଅଛନ୍ତି, ତାହା ବିଲକୁଲ ନୁହେଁ । ତାଙ୍କ ଦଳର ବହୁ ନେତା ବିଜେପିକୁ ଆସିବାକୁ ଅନେଇ ବସିଛନ୍ତି । କାଳେ ତାଙ୍କ ବିଧାୟକ ପଳେଇ ଆସିବେ ତେଣୁ ସେ ଏବେ ଲିଷ୍ଟ କରିବା ଆରମ୍ଭ କଲେଣି ଓ ଲୁଚେଇବା ଆରମ୍ଭ କଲେଣି । ନବରଙ୍ଗପୁରବାସୀ ବୋକା ନୁହଁନ୍ତି । ସେମାନେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ । ଆଉ ଚଳିତ ନିର୍ବାଚନରେ ଠିକ୍ ନିଷ୍ପତ୍ତି ନେଇ ସେମାନଙ୍କୁ ଓଲଟାଇ ଦେଇଛନ୍ତି ବୋଲି କହିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ।

ସେପଟେ ଗତକିଛି ଦିନ ତଳେ ବିଜେଡିକୁ ଟାର୍ଗେଟ କରି ବଡ଼ ବୟାନ ରଖିଥିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଥିଲେ -ଅମିତ ଶାହାଙ୍କ ଗୋଟିଏ ହ୍ବିସଲରେ ବିଜେଡି ଭାଙ୍ଗିଯିବ । ଆମ ଦଳ ଭାଙ୍ଗୁନୁ ବରଂ ବିଜେଡି ଭାଙ୍ଗୁଛି । ବିଜେଡି ଆଗାମୀ ଦିନରେ ରହିବ କି ନାହିଁ ସେକଥା ଚିନ୍ତା କରନ୍ତୁ । ତାଙ୍କର ୨ ସାଂସଦ ଆସିଲେଣି, ଜିଲ୍ଲାସ୍ତରରେ ଗଣ୍ଡଗୋଳ ଚାଲିଛି । ବିଜେଡିକୁ କିଭଳି ସମ୍ଭାଳି କରି ରଖିବେ ସେକଥା ଚିନ୍ତା କରନ୍ତୁ ବୋଲି ଜୟନାରାୟଣ କହିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now