Advertisment

ଯାଜପୁରକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବର୍ଷା ! ୧୧ ସାଂସଦ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା

ଖୋଲୁଛି ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଯାଜପୁର ବିକାଶର ମଡେଲ୍ । ଖାଲି ମମତା ନୁହଁନ୍ତି ଗତ ୪ ବର୍ଷରେ ୧୧ ସାଂସଦ ଯାଜପୁରକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Rajya Sabha MP

Rajya Sabha MP

ଯାଜପୁର ଜିଲ୍ଲାକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବର୍ଷା । ୨୦୧୯ରୁ ୨୪ ଯାଏଁ ୧୧ ରାଜ୍ୟସଭା ସାଂସଦ ଗୋଟିଏ ଜିଲ୍ଲାକୁ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା । ବବିଙ୍କ ଦରବାରରେ କିଭଳି ଭେଟି ଦିଆଯାଉଥିଲା ସାଂସଦ ପାଣ୍ଠି, କେମିତି ବିଜେଡି ରାଜ୍ୟସଭା ସାଂସଦ ପାଣ୍ଠିର ଅର୍ଥ ବିନିଯୋଗ କରୁଥିଲା ବିଜେଡି, ସାଂସଦ ପଦ ଓ ଦଳରୁ ଇସ୍ତଫା ଦେବା ପରେ ପ୍ରଥମେ ମମତା ମହାନ୍ତ ଏସବୁର ଗୁମର ଖୋଲିବା ପରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ ।

Advertisment

ଖୋଲୁଛି ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଯାଜପୁର ବିକାଶର ମଡେଲ୍ । ଖାଲି ମମତା ନୁହଁନ୍ତି ଗତ ୪ ବର୍ଷରେ ୧୧ ସାଂସଦ ଯାଜପୁରକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା । ଯାହାର ତଥ୍ୟ ଲାଗିଛି ଓଟିଭି ହାତରେ । ମୌଳିକ ସମସ୍ୟାରେ ଜର୍ଜରିତ ରାଜ୍ୟର ଉପାନ୍ତ ଓ ଅଣବିକଶିତ ଅଞ୍ଚଳକୁ ଗୌଣ କରି କାହା ସ୍ବାର୍ଥ ବା ଚାପରେ, ସାଂସଦ ମାନେ କେବଳ ବବିଙ୍କ ଜିଲ୍ଲା ଯାଜପୁରକୁ ଅଜାଡି ଦେଇଥିଲେ ସିଂହଭାଗ ତାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।

ଦରଦ ନା ଚାପ ? ଶ୍ରଦ୍ଧା ନା ବାଧ୍ୟବାଧକତା ? କ’ଣ ଥିଲା ଯାଜପୁରୁ ସାଂସଦ ପାଣ୍ଠି ବର୍ଷାର କାରଣ ? ପୂର୍ବରୁ ଏଇ ସାଂସଦ ପାଣ୍ଠି ହିଁ ମମତା-ବବି କଳିର ମଂଜି ବୋଲି ନିଜେ ମମତା ସ୍ପଷ୍ଟ କରି ସାରିଥିଲା ବେଳେ ବାକି ସାଂସଦ ମାନଙ୍କ ଉପରେ ବି କ’ଣ ଚାପ କାମ କରିଥିଲା ତାକୁ ନେଇ ବି ପ୍ରଶ୍ନ ଉଠିଛି। ତେବେ ଏନେଇ ବବି ଦାସଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment

ଏବେ ନଜର ପକାନ୍ତୁ କେଉଁ ସାଂସଦ ଦେଇଛନ୍ତି କେତେ ଟଙ୍କା। ସରକାରୀ ତଥ୍ୟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ଯାଜପୁର ବ୍ଲକକୁ ଦେଇଛନ୍ତି ୨୫ ଲକ୍ଷ ଟଙ୍କା । ସେହିପରି ବିଞ୍ଝାରପୁର ବ୍ଲକକୁ ୮ ଲକ୍ଷ ଟଙ୍କା ଦେଇଛନ୍ତି । ୨୦୧୯-୨୦ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଅମର ପଟ୍ଟନାୟକ ଦେଇଛନ୍ତି ୪୫ ଲକ୍ଷ ଟଙ୍କା । ଡକ୍ଟର ସସ୍ମିତ ପାତ୍ର ତାଙ୍କ ସାଂସଦ ପାଣ୍ଠିରୁ ୫ କୋଟି ଟଙ୍କା ଯାଜପୁର ବ୍ଲକ୍‌କୁ ଏବଂ ଦଶରଥପୁର ବ୍ଲକକୁ ୨ ଲକ୍ଷ ୫୦ ହଜାର ଟଙ୍କା ଦେଇଛନ୍ତି ।

ସେହିପରି ମୟୂରଭଞ୍ଜର ରାଜ୍ୟସଭା ସାଂସଦ ମମତା ମହାନ୍ତ ଯାଜପୁର ବ୍ଲକ୍‌କୁ ୧ କୋଟି ଦେଇଛନ୍ତି । ସାଂସଦ ନରେନ୍ଦ୍ର ସ୍ବାଇଁ ଦଶରଥପୁର ବ୍ଲକକୁ ୮ ଲକ୍ଷ, ବିଂଝାରପୁର ବ୍ଲକ୍‌କୁ ୨୦ ଲକ୍ଷ ଦେଇଥିବା ବେଳେ, ୨୦୨୧-୨୨ ଆର୍ଥିକ ବର୍ଷରେ ସାଂସଦ ସୁଜିତ କୁମାର ଯାଜପୁର ବ୍ଲକ୍‌କୁ ୨୫ ଲକ୍ଷ, କୋରେଇ ବ୍ଲକକୁ ୬ ଲକ୍ଷ ଅନୁଦାନ ଦେଇଛନ୍ତି ।

ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ସେ ଯାଜପୁର ବ୍ଲକକୁ ୫୦ ଲକ୍ଷ ଦେଇଛନ୍ତି। ସାଂସଦ ମୁନା ଖାଁ ଯାଜପୁରର ବିଭିନ୍ନ ପ୍ରକଳ୍ପ ପାଇଁ ୩୦ ଲକ୍ଷ, ବଡଚଣା ପାଇଁ ୫ ଲକ୍ଷ, କୋରେଇ ପାଇଁ ୪ ଲକ୍ଷର ଅନୁଦାନ ଦେଇଛନ୍ତି ।

ପୂର୍ବତନ ସାଂସଦ ତଥା ବର୍ତ୍ତମାନର କଟକ ମେୟର ସୁବାସ ସିଂହ ସାଂସଦ ପାଣ୍ଠିରୁ ୩୫ ଲକ୍ଷ ଦେଇଥିଲେ । ସେଥିରୁ ସେ ଯାଜପୁର ବ୍ଲକ୍ ପାଇଁ ୩୦ ଲକ୍ଷ ଓ ବଡ଼ଚଣା ବ୍ଲକ୍ ପାଇଁ ୫ ଲକ୍ଷ ଦେଇଛନ୍ତି । ସାଂସଦ ସୁଲତା ଦେଓ ମୋଟ ୩ କୋଟି ୮୪ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ସେଥିରୁ ସେ ରସୁଲପୁର ବ୍ଲକ୍ ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ଯାଜପୁର ବ୍ଲକ୍‌କୁ ୩ କୋଟି ୫୯ ଲକ୍ଷ ଦେଇଛନ୍ତି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ବରୀ ବ୍ଲକ ପାଇଂ ୧୫ ଲକ୍ଷ, ଯାଜପୁର ପାଇଁ ୧ କୋଟି ୮୦ ଲକ୍ଷ ଓ ରସୁଲପୁର ପାଇଁ ୧୫ ଲକ୍ଷର ଅନୁଦାନ ଦେଇଛନ୍ତି ।

ସାଂସଦ ମାନସ ମଙ୍ଗରାଜ ମଧ୍ୟ ଯାଜପୁର ବ୍ଲକ୍‌କୁ ୩୦ ଲକ୍ଷର ଅନୁଦାନ ଦେଇଛନ୍ତି । ଅବଶ୍ୟ ସାଂସଦ ସୁଲତା ଦେଓ ଯାଜପୁର ଜିଲ୍ଲାର ହୋଇଥିବାରୁ ସେ ତାଙ୍କ ସାଂସଦ ପାଣ୍ଠି ଅର୍ଥ ଯାଜପୁରକୁ ଦେବା କଥା ବୁଝାପଡୁଛି, ହେଲେ ବାକି ମାନଙ୍କ କ୍ଷେତ୍ରରେ କ’ଣ ବୋଲି ପ୍ରଶ୍ନ ଉଠୁଛି।

Jajpur Rajya Sabha MPs Pranab Prakash Das
Advertisment
Advertisment