• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଓଡ଼ିଶାରେ ୨୪ ନିର୍ବାଚନ ଲଢି ଜିତିବ ବୋଲି ଧର୍ମେନ୍ଦ୍ର କହିବା ପରେ ସରଗରମ ରାଜ୍ୟ ରାଜନୀତି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବିଜେଡି ସିଧାସଳଖ ଚ୍ୟାଲେଞ୍ଜ୍ ଦେଇ କହିଛି, ନବୀନଙ୍କୁ ଟକ୍କର ଦେବା ଭଳି ନେତା ବିଜେପିରେ ନାହାନ୍ତି । ଜବାବରେ ବିଜେପି କହିଛି, ନବୀନଙ୍କଠାରୁ ଅନେକ ଦକ୍ଷ ଓ ଯୋଗ୍ୟ ନେତା ଆମ ଦଳରେ ଅଛନ୍ତି । ଏସବୁ ଭିତରେ କଂଗ୍ରେସ ବି କହିଛି ମୁଖ୍ୟମନ୍ତ୍ରୀ ହେବା ପାଇଁ ଆମ ଦଳରେ ନେତାଙ୍କ ଅଭାବ ନାହିଁ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ସରଗରମ ବିଜେପି ରାଜନୀତି । ୨୪ ନିର୍ବାଚନ ପାଇଁ ବିଜେପି ତାର ଷ୍ଟ୍ରାଟେଜି ଏକ ପ୍ରକାର ସ୍ପଷ୍ଟ କରିଛି । ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଦଳ ଓଡ଼ିଶାରେ ନିର୍ବାଚନ ଲଢ଼ିବ ଏବଂ ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ପୂର୍ବରୁ ମହାରାଷ୍ଟ୍ର, ହରିୟାଣାରେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ସଫଳତା ପାଇଛି । ଓଡ଼ିଶାରେ ବି ସେଇ ଫର୍ମୁଲା ଲାଗୁ ହେବ ବୋଲି ସଙ୍କେତ ଦେଇଛନ୍ତି ଧର୍ମେନ୍ଦ୍ର । ବିଜେପିରୁ ଏଭଳି ସଂକେତ ଆସିବା ପରେ ତେଜିଛି ରାଜ୍ୟ ରାଜନୀତି ।

ବିଜେଡି ସିଧାସଳଖ ଅଭିଯୋଗ କରିଛି ନବୀନଙ୍କୁ ଟକ୍କର ଦେବା ଭଳି ନେତା ବିଜେପିରେ ନାହାନ୍ତି । ତେବେ ବିଜେପିରୁ ସିଏମ୍ ହେବା ପାଇଁ ଯେଉଁସବୁ ଚେହେରା ଅଛନ୍ତି, ସେମାନଙ୍କର ଫଟୋକୁ ପୋଷ୍ଟର କରି ଆଗେ ମାରନ୍ତୁ ବୋଲି କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଭାଗୀରଥି ସେଠୀ । କେବଳ ଏତିକିରେ ଅଟକି ନଯାଇ, ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ନିର୍ବାଚନ ତ ଜିତିପାରିବ ନାହିଁ, ମୁଖ୍ୟମନ୍ତ୍ରୀ କଥା କେଉଁଠି ଉଠିଲା ? ଜବାବରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ନବୀନଙ୍କଠାରୁ ଅଧିକ ଯୋଗ୍ୟ ଓ ଦକ୍ଷତା ଥିବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଜେପିରେ ଅଛନ୍ତି ।

ବିଜେଡି-ବିଜେପି ଏପରି ତୁତୁ ମେମେ ମଧ୍ୟରେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି କଂଗ୍ରେସରୁ ନିରଂଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ବିଜୟ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ । ଏମାନଙ୍କ ବାଦ୍ ଆଉ କେହି ତାଙ୍କୁ ଦେଖାଯାଉନାହାନ୍ତି ବୋଲି କହି ଏକ ପ୍ରକାର କଟାକ୍ଷ କରିଛନ୍ତି ତାରା ।
ଏସବୁ ବୟାନବାଜି ଭିତରେ ପ୍ରଶ୍ନ ଉଠୁଛି ପ୍ରକୃତରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

ପଦ୍ମ ଦଳର କେଉଁ ଚେହେରା ନବୀନଙ୍କୁ ଟକ୍କର ଦେଇ ପାରିବ ? ବିଜେପିରେ ଅନେକବରିଷ୍ଠ ନେତା ଥାଉ ଥାଉ କାହିଁକି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଉ ନାହିଁ ? ନା କେବଳ ମୋଦିଙ୍କ ନାଁରେ ଭୋଟ୍ ନେବା ପାଇଁ ଦଳର ଏଭଳି ଷ୍ଟ୍ରାଟେଜି ? ସେପଟେ ରାଜନୈତିକ ସମୀକ୍ଷକ କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ବିଜେପିକୁ ଅଧିକ ଭୋଟ୍ ମିଳିବ ।

୨୦୨୪ ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସମରସଜ୍ଜା ଆରମ୍ଭ କରିଦେଲେଣି । ହେଲେ ନବୀନଙ୍କୁ ଟକ୍କର ଦେବା ପାଇଁ ବିଜେପି ଓ କଂଗ୍ରେସ କାହାକୁ ଆଗରେ ରଖି ଲଢ଼ିବେ ଓ କେତେଦୂର ଚ୍ୟାଲେଞ୍ଜ୍ ଦେଇପାରିବେ ତା ଉପରେ ନଜର ।

  • Reported by:
  • HARIHARA CHAND