• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଡ଼କରୁ ସମ୍ବିଧାନ ଭବନ । ରାସ୍ତାଘାଟରୁ ରେଳଧାରଣା । ବସ୍ତିରୁ ବେଳାଭୂମି । ଆଜି ସବୁଠି ବୁଲିଛି ଝାଡ଼ୁ । ଶୁଭିଛି ସ୍ୱଚ୍ଛତା ହିଁ ସେବାର ମନ୍ତ୍ର । ନେତାଠୁ ଜନତା, ସମସ୍ତେ ହାତରେ ଝାଡ଼ୁ ଧରି ଏକମନ ଏକପ୍ରାଣରେ ସ୍ୱଚ୍ଛତା ପାଇଁ କରିଛନ୍ତି ଶ୍ରମଦାନ । ଦିନ ୧୦ଟାରୁ ୧୧ଟା । ଅତିକମରେ ଆଜି ଏଇ ଘଣ୍ଟାକ ଲାଗି ସ୍ୱଚ୍ଛତା ପାଇଁ ଶ୍ରମଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଅପିଲ୍ ଆଜି ମେଗା ଅଭିଯାନର ରୂପ ନେଇଥିଲା ସାରା ଦେଶରେ । ନିଜେ ମୋଦି ହରିୟାଣାର ଫିଟନେସ୍ ଇନଫ୍ଲୁଏନ୍ସର ଅଙ୍କିତ ବୈୟାନପୁରିଆଙ୍କ ସହ ସାମିଲ ହୋଇଥିଲେ ସଫେଇ ଅଭିଯାନରେ । ସୁସ୍ଥତା ସହ ସ୍ୱଚ୍ଛତାର ନିବିଡ଼ ସଂପର୍କ ରହିଛି ବୋଲି ଏହି ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଗୁଜରାଟ ଅହମ୍ମଦାବାଦରେ ସ୍ୱଚ୍ଛତା ଅଭିଯାନର ମଙ୍ଗ ଧରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀ ଗାନ୍ଧିଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୁରୁଗ୍ରାମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ଥିଲା ଝାଡ଼ୁ । ସାଥିରେ ଥିଲେ ବହୁ ନେତା, କର୍ମୀ ଓ ସାଧାରଣ ଲୋକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦିଲ୍ଲୀର ସେବା ବସ୍ତିରେ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦିଲ୍ଲୀ ଶାସ୍ତ୍ରୀନଗରରେ ଆଗେଇ ନେଇଥିଲେ ସ୍ୱଚ୍ଛତାର ଅଭିଯାନ । ତେଣେ ପୁରୁଣା ସଂସଦ ବା ସମ୍ବିଧାନ ଭବନ ଏବଂ ବାୟୁ ଭବନ ବି ବାଦ୍ ପଡ଼ିନି ଏହି ମେଗା ଅଭିଯାନରୁ । ବାୟୁ ଭବନରେ ବାୟୁବୀରଙ୍କ ସହ ସାମିଲ ହୋଇଥିଲେ ନିଜେ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶଲ ଭି.ଆର୍. ଚୌଧୁରୀ ।

ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତି । ରାଜଧାନୀ ସ୍ଥିତ ଐତିହ୍ୟସ୍ଥଳ ଖଣ୍ଡଗିରି-ଉଦୟଗିରିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହୋଇଥିଲା ସଫେଇ କାର୍ଯ୍ୟକ୍ରମ । ନୟାପଲ୍ଲୀ ଇନ୍ଦ୍ରଧନୁ ହାଟକୁ ବର୍ଜ୍ୟମୁକ୍ତ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେଣେ ୧ ନମ୍ବର ମାର୍କେଟ ନିକଟରେ ଷ୍ଟେଟ୍ ବ୍ୟାଙ୍କ୍ କର୍ମଚାରୀ, ନନ୍ଦନକାନନରେ NDRF ଯବାନ, ପୁରୀ ଓ ବାଲେଶ୍ୱରରେ ରେଳ କର୍ମଚାରୀ ଏବଂ ରାଉରକେଲାରେ CISF ଯବାନ କରିଥିଲେ ସ୍ୱଚ୍ଛତା ପାଇଁ ଶ୍ରମଦାନ ।

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ବେଳାଭୂମି ସଫା କରିବାର ଫଟୋ ସୋସିଆଲ ମିଡିଆରେ ଛାଡ଼ିଥିବା ବେଳେ, ପୁରୀ ବେଳାଭୂମିରେ ସୁନ୍ଦର କଳାକୃତି ଦ୍ୱାରା ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।